ଦିଲ୍ଲୀରେ ଏକା ଲଢ଼ିବ ଆପ୍

 ନୂଆଦିଲ୍ଲୀ : ଇଣ୍ଡି ମେଣ୍ଟରେ ଥିଲେ ବି ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର୍ ଏକାକୀ ନିର୍ବାଚନ ଲଢ଼ିବ  । କଂଗ୍ରେସ ସହ ମେଣ୍ଟ କରି ଦଳ ଘାଟାରେ ରହିବାକୁ ଚାହୁଁନାହିଁ  । ଏକାକୀ ଲଢ଼ିବା ନେଇ ନେଇ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍ ସ୍ପଷ୍ଟ କରିଛନ୍ତି  ।
ଆସନ୍ତା ଫେବ୍ରୁଆରୀରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ  । ବିଜେପି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଥିବାବେଳେ କେଜ୍ରିୱାଲ ମଧ୍ୟ ଟକ୍କର ଦେବାକୁ ପ୍ରସ୍ତୁତ ହୋଇସାରିଲେଣି  । ନିର୍ବାଚନ କମିଶନ ତାରିଖ ସ୍ପଷ୍ଟ କରିନଥିଲେ ସୁଦ୍ଧା ଦିଲ୍ଲୀ ହାତେଇବା ପାଇଁ ବିଜେପି ପ୍ରାଣମୂର୍ଚ୍ଛା ଉଦ୍ୟମ କରିବ ବୋଲି ରାଜନୈତିକ ବିଶାରଦମାନେ ମତ ଦେଇଛନ୍ତି । ସେପଟେ ଦିଲ୍ଲୀକୁ ନିଜର ଗଡ଼ କରିଥିବା ଆମ୍ ଆଦମୀ ପାର୍ଟି ଏଥର କି ପ୍ରକାର ରଣନୀତି ଆପଣାଉଛି, ତାହାକୁ ଅପେକ୍ଷା । ଏହାରି ମଧ୍ୟରେ ରବିବାର ଏକ ଘୋଷଣାନାମାରେ ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଦିଲ୍ଲୀରେ କୌଣସି ଦଳ ସହିତ ମେଣ୍ଟ କରିବନି ଆମ୍ ଆଦମୀ ପାର୍ଟି । ଦିଲ୍ଲୀର ମୋଟ୍ ୭୦ ଆସନରେ ଆପ୍ ଏକାକୀ ଲଢ଼ିବ ବୋଲି ସେ କହିଛନ୍ତି । କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟରେ ଆପ୍ ଥିଲେ ମଧ୍ୟ ଦିଲ୍ଲୀରେ ଦଳ କୌଣସି ପ୍ରକାର ମେଣ୍ଟ କରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ତେବେ ନିର୍ବାଚନ ପୂର୍ବରୁ ଆପ୍ ୧୪ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । 
ସୂଚନାଯୋଗ୍ୟ, ଦିଲ୍ଲୀରେ ମୋଟ ୭୦ ବିଧାନସଭା ଆସନ ଥିବା ବେଳେ ଗତଥର ଏଥିରୁ ୬୨ ଆସନରେ ଆପ୍ ବିଜୟୀ ହୋଇ ସରକାର ଗଠନ କରିଛି  । ଅବକାରୀ ଦୁର୍ନୀତି ମାମଲାରେ ଇଡି ଏବଂ ସିବିଆଇ ତାଙ୍କୁ ଗିରଫ କରିବା ପରେ ଜେଲରୁ ଆସି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କେଜ୍ରିୱାଲ  । ବର୍ତ୍ତମାନ ଆତିଶୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅଛନ୍ତି ।