ଡାଭୋସ ବିଶ୍ୱ ଅର୍ଥନୈତିକ ଫୋରମ୍ ୨୦୨୫ ବିଶ୍ୱର ଉତ୍ପାଦନ ମହାଶକ୍ତି ହେବ ଭାରତ

ନୂଆଦିଲ୍ଲୀ:  ସ୍ୱିଜରଲାଣ୍ଡ୍ର ଡାଭୋସରେ ଅନୁଷ୍ଠିତ ହୋଇଛି ବିଶ୍ୱ ଅର୍ଥନୈତିକ ଫୋରମ୍ ୨୦୨୫ ସମ୍ମିଳନୀ । ଏଥିରେ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗଦେଇ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି । ରେଳବାଇ କ୍ଷେତ୍ରରେ ଅନ୍ତର୍ଜାତୀୟ ସହଭାଗିତା ଓ ନୂଆ ଜ୍ଞାନକୌଶଳ ହାସଲ ଦିଗରେ ଭାରତର ପ୍ରତିବଦ୍ଧତାକୁ ଉପସ୍ଥାପନା କରିଥିଲେ ରେଳମନ୍ତ୍ରୀ । ଏହି ଅବସରରେ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ଆମ ଉଦ୍ୟମଗୁଡ଼ିକ ଯେପରି ବିଶ୍ୱସ୍ତରୀୟ ମାନଦଣ୍ଡ ହାସଲ କରିପାରିବ ସେ ଦିଗରେ ପ୍ରଧାନମନ୍ତ୍ରୀ ମୋଦୀ ସବୁବେଳେ ଏହାର ନେତୃତ୍ୱ ନେଇ ଆସୁଛନ୍ତି । ଏହାସହ ଭାରତକୁ ବିଶ୍ୱର ଏକ ଉତ୍ପାଦନ ମହାଶକ୍ତିରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନାକୁ ସାକାର କରିବା ଦିଗରେ ଏହି ଗସ୍ତ ଆଉ ଏକ ନୂଆ ଉଦ୍ୟମ । ଏହାସହ ଆମର ମେଡ୍ ଇନ ଇଣ୍ଡିଆ ଉତ୍ପାଦ ପାଇଁ ବିଶ୍ୱବ୍ୟାପୀ ଅନେକ ଆଗ୍ରହ ରହିଛି ବୋଲି କହିଥିଲେ । 
ପ୍ରାରମ୍ଭରେ ପ୍ରଥମେ ସ୍ୱିସ୍ ଫେଡେରାଲ୍ ରେଲୱେଜ୍ (ଏସବିବି) ପକ୍ଷରୁ ଏକ ଉପସ୍ଥାପନା କରାଯାଇଥିଲା । ଏଥିରେ ଭିତ୍ତିଭୂମି ଚିହ୍ନଟ କ୍ଷେତ୍ରରେ ନୂଆ ଅଗ୍ରଗତି ସଂପର୍କରେ ସୂଚନା ଦିଆଯାଇଥିଲା । ଭାରତୀୟ ରେଳ ବ୍ୟବସ୍ଥାର ପରିଚାଳନା ଦକ୍ଷତା ଓ ନିରାପତ୍ତା ବୃଦ୍ଧି କରିବା ଦିଗରେ ସହାୟକ ହେଉଥିବା ଅତ୍ୟାଧୁନିକ ପ୍ରଯୁକ୍ତି ସଂପର୍କରେ ସେ ସ୍ୱିସ୍ ବିଶେଷଜ୍ଞଙ୍କ ସହ ଆଲୋଚନା କରିଥିଲେ । 
ଏହା ପରେ ପରେ ରେଳ କ୍ଷେତ୍ରରେ ଥିବା ସ୍ୱିଜରଲାଣ୍ଡର ପ୍ରମୁଖ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା ଯେପରିକି ରୋମ୍ବର୍ଗ, ସେର୍ସା ଏଜି, ସେଲେକ୍ଟ୍ରନ, ୟୁସେଣ୍ଟ୍ରିକ୍ସ, ଆଉଟେକ୍, ନୁ୍ୟ ଗ୍ଲାସର ପ୍ରତିନିଧିମାନଙ୍କ ସହ ସେ ଆଲୋଚନା କରିଥିଲେ । ଭାରତୀୟ ରେଳ ସମ୍ପର୍କରେ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ଭାରତରେ ଅନେକ ଲୋକ ରେଳବାଇରେ ଯାତ୍ରା କରନ୍ତି ଏବଂ ଆମକୁ ଯାତ୍ରୀମାନଙ୍କ ଅନୁଭୂତିରେ ଉନ୍ନତି ଆଣିବାକୁ ହେବ । ସେଥିପାଇଁ ଆମେ ୪ଟି ନୂଆ ପିଢ଼ିର ଟ୍ରେନ କାର୍ଯ୍ୟକ୍ରମ ଆରମ୍ଭ କରିଛୁ । ପ୍ରଥମଟି ହେଉଛି ବନେ୍ଦ ଭାରତ ଚେୟାର କାର୍, ଦ୍ୱିତୀୟଟି ବନେ୍ଦ ଭାରତ ସ୍ଲିପର୍, ତୃତୀୟରେ ଅମୃତ ଭାରତ ଟ୍ରେନ୍ ଏବଂ ଚତୁର୍ଥଟି ନମୋ ଭାରତ ରାପିଡ୍ ଟ୍ରେନ୍ । ଏବେ ଏହି ସବୁ ଟ୍ରେନ୍ ନିର୍ମାଣ, ପରୀକ୍ଷଣ ଓ ନିୟୋଜିତ କରାଯାଉଛି । ଏଆଇ ସଂପର୍କରେ ସେ କହିଥିଲେ ଯେ ଏ କ୍ଷେତ୍ରରେ ଉପଯୁକ୍ତ ନିୟାମକ ଢାଞ୍ଚା ପାଇବା ପାଇଁ ଆମେ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା କରୁଛୁ । ଯାହା ଦ୍ୱାରା ଉଦ୍ଭାବନ ଏବଂ ନିୟନ୍ତ୍ରଣ ସନ୍ତୁଳିତ ହେବ ।