ଦକ୍ଷିଣ ଓଡ଼ିଶା ଦେଇ ଅତିକ୍ରମ କରିବ ଅବପାତ

ଦକ୍ଷିଣ ଓଡ଼ିଶା ଦେଇ ଅତିକ୍ରମ କରିବ ଅବପାତ
  • ବେଶୀ ପ୍ରଭାବିତ ହେବ କୋରାପୁଟ, ମାଲକାନଗିରି ଓ କଳାହାଣ୍ଡି 
  • ଅନେକ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୪ ଜିଲ୍ଲାକୁ ସତର୍କ ସୂଚନା
  • ନରାଜରେ ମହାନଦୀ, ଆଖୁଆପଦାରେ ବୈତରଣୀ, ଗୁଣୁପୁରୁରେ ବଢ଼ୁଛି ବଂଶଧାରା

ଭୁବନେଶ୍ୱର : କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବ । ଆସନ୍ତାକାଲି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଦେଇ ଅବପାତ ଅତିକ୍ରମ କରିବ । ଏହାର ପ୍ରଭାବରେ ଆଜି ପ୍ରବଳ ବର୍ଷା ହୋଇଥିବାବେଳେ ଆସନ୍ତାକାଲି ବି ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଅନେକ ଜିଲ୍ଳାକୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୪ ଜିଲ୍ଲାକୁ ସତର୍କ ରହିବାକୁ ଏସଆରସିଙ୍କ ପକ୍ଷରୁ କୁହାଯାଇଛି । କୋରାପୁଟ, ମାଲକାନଗିରି ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଥିବାରୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ପାଇଁ ଅତି ପ୍ରବଳ ବର୍ଷା ପାଇଁ ନବରଙ୍ଗପୁରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଯେତେବେଳେକି ପ୍ରବଳ ବର୍ଷା ପାଇଁ କୋରାପୁଟ, ମାଲକାନାଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି ଓ ନୂଆପଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି । ଅପରପକ୍ଷରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, କନ୍ଧମାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜରେ ଝଡ଼ବର୍ଷା ହେବାର ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । 

ଅପରପକ୍ଷରେ ଗତ କିଛିଦିନ ଧରି ବର୍ଷା କାରଣରୁ କେତେକ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ନରାଜରେ ମହାନଦୀର ଜଳସ୍ତର ବଢିଛି । ଯାହାକି ବିପଦସଂକେତ ନିକଟବର୍ତ୍ତୀ ହୋଇଯାଇଛି । ସେପଟେ ହୀରାକୁଦର ୨୦ ଫାଟକ ଖୋଲାଥିବାରୁ ନରାଜ ବିପଦସଂକେତ ଟପିବ ବୋଲି ଅନୁମାନ କରାଯାଉଛି । ସେହିପରି ଆଳିପିଙ୍ଗଳ ଠାରେ ଦେବୀ ନଦୀ, ଇନ୍ଦୁପୁର ଠାରେ ବ୍ରାହ୍ମଣୀ, ଆଖୁଆପଦା ଠାରେ ବୈତରଣୀ, ଜାମଶୋଳାଘାଟ ଠାରେ ସୁବର୍ଣ୍ଣରେଖା ଓ ଗୁଣୁପୁର ଠାରେ ବଂଶଧାରା ନଦୀର ଜଳସ୍ତର ବୃଦ୍ଧିପାଇଛି ।