ଦୁର୍ଘଟଣା ହ୍ରାସ ପାଇଁ ଜରୁରୀକାଳୀନ ବୈଠକ
ପାରାଦ୍ୱୀପ : ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ସଭାପତିତ୍ୱରେ, ସୋଲ ସ୍ପେଶାଲ ସର୍କିଟ ହାଉସ, ପାରାଦ୍ୱୀପ ଠାରେ, ପାରାଦୀପ ବନ୍ଦର ମଧ୍ୟରେ ଥିବା ନିଷିଦ୍ଧାଞ୍ଚଳରେ ଘଟିଥିବା ଦୁର୍ଘଟଣା ଓ ଭୂତୁମୁଣ୍ଡାଇ ରୁ ଅଠରବାଙ୍କି ମଧ୍ୟରେ ଘଟୁଥିବା ସଡ଼କ ଦୁର୍ଘଟଣା ତଥା ଆଗାମୀ ଦିନମାନଙ୍କରେ ସଡ଼କ ଦୁର୍ଘଟଣାଗୁଡ଼ିକୁ କିପରି ଭାବରେ ହ୍ରାସ କରାଯାଇପାରିବ ଓ ସହଜରେ କିପରି ପାରାଦୀପ ବନ୍ଦର ମଧ୍ୟକୁ ପଣ୍ୟ କାରବାର ଅନାୟସରେ କରାଯାଇପାରିବ ତତ୍ସମ୍ପର୍କରେ ଏକ ଜରୁରକାଳୀନ ବୈଠକ ଆହୂତ କରାଯାଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଜେ ସୋନାଲ, ଆରକ୍ଷୀ ଅଧିକ୍ଷକ ଭବାନୀ ଶଙ୍କର ଉଦ୍ଗତା, ଉପାଧ୍ୟକ୍ଷ, ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ନିଳାଭ୍ର ଦାଶଗୁପ୍ତା, ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ମୃତି ରଞ୍ଜନ କର ସହିତ ପାରାଦୀପ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ, ସ୍ଥାନୀୟ କୁଜଙ୍ଗ ତହସିଲଦାର, ସ୍ଥାନୀୟ ସମସ୍ତ ଥାନାର ଭାରପ୍ରାପ୍ତ ଅଧିକାରୀ, ଇଫକୋ, ଏଏମଏନଏସ ଇଣ୍ଡିଆର ବରିଷ୍ଠ ଅଧିକାରୀ ବୃନ୍ଦ, ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅଧିକାରୀ ବୃନ୍ଦ, ପାରାଦୀପ ବନ୍ଦର ଡେପୁଟି ଟ୍ରାଫିକ ମ୍ୟାନେଜର, ଡମ୍ଫର ଆସୋସିଏସନର ସଭାପତି, ରାସ୍ତା ଓ ଗୃହନିର୍ମାଣ, ଜଗତିସଂହପୁରର ଅଧିକ୍ଷଣ ଯନ୍ତ୍ରୀ, ଆଞ୍ଚଳିକ ପରିବହନ ଅଧିକାରୀ, ଜଗତସିଂହପୁର ସହିତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।
ଦୁର୍ଘଟଣା ସମୟରେ ଅତି ଜରୁରୀକାଳୀନ ସେବା ପ୍ରଦାନ ପାଇଁ ପାରାଦୀପ ବନ୍ଦର ୩ ଓ ୪ ନଂ ଫାଟକ ପାଖରେ ସିଆଇଏସଫ କର୍ତ୍ତୃପକ୍ଷଙ୍କ ପାଖରେ ୨ ଟି ଆମ୍ବୁଲାନ୍ସ ନିୟୋଜିତ କରାଯିବ । ଏହାର ଫୋନ୍ ନମ୍ବର ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ କରାଯିବ ।
ଏନଏଚଏଆଇ ଓ ଇଫକୋ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବୁଝାମଣା କରାଯାଇ ସ୍ଥାନୀୟ ଇଫକୋ ଛକରେ ଏକ ଗୋଲେଇ ଛକ କରାଯିବ । ଏହାର ସମ୍ପୂର୍ଣ୍ଣ ଖର୍ଚ୍ଚ ଇଫକୋ କର୍ତ୍ତୃପକ୍ଷ ବହନ କରିବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଉଛି କୌଣସି ପରିସ୍ଥିତିରେ କୌଣସି ସଂଗଠନ ପାରାଦୀପ ବନ୍ଦରର କୌଣସି ଫାଟକ ଅବରୋଧ କରିପାରିବେ ନାହିଁ । ଯଦି ଭବିଷ୍ୟତରେ ଏହିପରି ପରିସ୍ଥିତି ଉପୁଜେ ତାହେଲେ ଅବରୋଧକାରୀମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯିବ । ଆବଶ୍ୟକ ହେଲେ ଏସମା (ଋଝଗଇ) ଲାଗୁ କରାଯିବା ପାଇଁ ଜିଲ୍ଲା ପ୍ରଶାସନ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ନିଷ୍ପତି ନେବେ ବୋଲି ବୈଠକରେ ଆଲୋଚନା ହୋଇଥିଲା ।