୭ ତାରିଖ କହିବ ପ୍ରକାଶଙ୍କ ଭବିଷ୍ୟତ
ବେଗୁନିଆ ମିନି ଷ୍ଟାଡିଅମରେ ଆସନ୍ତା ୭ ତାରିଖ ମହାମିଶ୍ରଣ ପର୍ବ ପରେ ଜଣାପଡିବ ବିଜେପି ନେତା ପ୍ରକାଶ ରଣବିଜୁଳୀଙ୍କ ଭାଗ୍ୟ ଓ ଭବିଷ୍ୟତ । ଅପରାଜିତା କଣ ଲେଖିଛନ୍ତି ପ୍ରକାଶ ରଣବିଜୁଳୀଙ୍କ ରାଜନୈତିକ ଜାତକ । କାରଣ ବିଜୁଳୀଙ୍କୁ ଦୀର୍ଘ ୫ବର୍ଷ ଧରି ନିର୍ବାଚନ ମଣ୍ଡଳୀର ପୂର୍ଣ୍ଣ କ୍ଷମତା ଅଜାଡି ଦେଇଥିଲେ ସାଂସଦ ଅପରାଜିତା ଷଡଙ୍ଗୀ । ତେବେ ଦୀର୍ଘ ୫ ବର୍ଷରେ ସଂଗଠନକୁ ମଜଭୁତ କରିବା ଦିଗରେ ସେତେଟା ଆଖିଦୃଶିଆ ପ୍ରଭାବ ବିସ୍ତାର କରିପାରିନାହାନ୍ତି ପ୍ରକାଶ ରଣବିଜୁଳୀ । ବରଂ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାମରେ ନିଜକୁ ପରିଚିତ କରି ଭୋଟ ହାର ବଢାଇବାରେ ସେତେ ପ୍ରଭାବ ପକାଇ ପାରିନଥିଲେ । ଯାହା ଭଲଭାବେ ଅବଗତ ହେବାପରେ ବେଗୁନିଆରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦାୟିତ୍ୱ ଦେଇଛନ୍ତି ସାଂସଦ ଅପରାଜିତା । ଯାହାକୁ ନେଇ ପ୍ରକାଶ ବିଜୁଳୀଙ୍କ ମୁଣ୍ଡକୁ ସତେ ଯେମିତି ବିଛା କାମୁଡିଛି । ପ୍ରଶାନ୍ତ ଜଗଦ୍ଦେବ ବେଗୁନିଆରେ ଘନଘନ ବୈଠକ ପରେ ବିଜେଡି ଶିବିର ବି ଛନକା ପସିଛି । କାଳେ ବିଜେଡି କର୍ମୀ ବିଜେପିରେ ମିଶିଯିବେ ବିଜେଡି ଦୁର୍ଗର ପତନ ହେବ ସେଥିପାଇଁ ବିଜେଡି ବିଧାୟକ ତାଙ୍କ ସଂଗଠନକୁ କିଭଳି ନିଜ ପାଖରେ ରଖିବେ ସେ ନେଇ ବୈଠକ ଆରମ୍ଭ କରିଛନ୍ତି । ଅନୁରୂପ ଭାବେ ୭ ତାରିଖରେ ବେଗୁନିଆ ମିନି ଷ୍ଟାଡିୟମ ପଡିଆରେ ହେବାକୁ ଥିବା ବିଜେପି ମିଶ୍ରଣ ପର୍ବକୁ କିଭଳି ସଫଳ କରାଯିବ ସାଂସଦଙ୍କ ନିର୍ଦ୍ଦେଶରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏବଂ ବିଦ୍୍ୟୁତ କାଣ୍ଡୀ ଘନଘନ ବୈଠକ କରୁଛନ୍ତି । ସେପଟେ ପ୍ରକାଶ ମଧ୍ୟ ରବିବାର ଅପରାହ୍ନରେ ପିଚୁକୁଳି ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ୪୦ ପଞ୍ଚାୟତର କିଛି ହାତଗଣତି ସମର୍ଥକ ଓ କର୍ମୀଙ୍କୁ ଧରି ବୈଠକ କରିଥିଲେ । ବୈଠକରେ କିଭଳି ପ୍ରଶାନ୍ତ ଜଗଦ୍ଦେବ ଆୟୋଜିତ କରୁଥିବା ମିଶ୍ରଣ ପର୍ବକୁ ଭଣ୍ଡୁର କରିବା ପାଇଁ ଆଲୋଚନା ହୋଇଥିବା ସାଧାରଣ ଜନତାଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି । ବେଗୁନିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ପ୍ରକାଶ ରଣବିଜୁଳୀ ଆସନ୍ତା ୭ ତାରିଖ ମିଶ୍ରଣ ପର୍ବରେ କେଉଁ ଭୂମିକାରେ ଅବତରଣ କରିବେ ତାହା ଏବେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଂଶୟ ସୃଷ୍ଟି କରିଛି । ସାଙ୍ଗଠନିକ ଦୃଷ୍ଟି କୋଣରୁ ପ୍ରକାଶ ରଣବିଜୁଳୀଙ୍କ ଦକ୍ଷତା କେଉଁଠି ନା କେଉଁଠି କମ ଥିବା ସ୍ପଷ୍ଟ ହୋଇ ସାରିଛି । ତାସହ ପ୍ରକାଶଙ୍କ ସମର୍ଥକମାନଙ୍କର ନିଜ ପଞ୍ଚାୟତରେ ମଧ୍ୟ ସେତେଟା କାଟତି ନଥିବା ମଧ୍ୟ ଚର୍ଚ୍ଚା ହେଉଛି । ସେହିପରି ଗତ ସାଧାରଣ ନିର୍ବାଚନରେ ପ୍ରକାଶ ରଣବିଜୁଳୀ ପୂର୍ବ ବିଜେପି କର୍ମୀମାନଙ୍କୁ ଏକତ୍ରୀତ କରିବାରେ ବିଫଳ ହୋଇଥିବା ଦେଖିବାକୁ ମିଳିଥିଲା ।
ସେହିପରି ରବିବାର ସାଂସଦ ଅପରାଜିତା ଆସନ୍ତା ୭ତାରିଖରେ ବୋଲଗଡ ବ୍ଲକ ହେବାକୁ ଥିବା ସମିତି ବୈଠକରେ ସାଂସଦ ପ୍ରତିନିଧି ରୂପେ ପ୍ରଶାନ୍ତ ଜଗଦ୍ଦେବ ଓ ବିଦ୍ୟୁତ କାଣ୍ଡିଙ୍କୁ ମନୋନୀତ କରିଛନ୍ତି । ଯାହା ଦେଖିବାକୁ ଗଲେ ପ୍ରକାଶ ଦଳରେ ଥାଇ ମଧ୍ୟ ତାଙ୍କୁ ଏକପ୍ରକାର କୋଣ ଠେସା କରି ରଖାଯାଇଛି । ଯାହା ତାଙ୍କ କର୍ମୀଙ୍କ ମଧ୍ୟରେ ମନୋବଳ ଭାଙ୍ଗୁଥିବା ଆଲୋଚନା ହେଉଛି । ତେବେ ୭ ତାରିଖ ଦିନ ବେଗୁନିଆ ମିନିଷ୍ଟାଡିୟମରେ ହେବାକୁ ଥିବା ମିଶ୍ରଣ ପର୍ବରେ ପ୍ରକାଶ ରଣବିଜୁଳୀଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି ।