ଦେଶରେ ବଢୁଛନ୍ତି ମିଲିୟନାୟାର : ୨୦୨୯ ସୁଦ୍ଧା ୫୫% ବଢ଼ିବ
ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଧନୀକ ସଂଖ୍ୟା ବଢ଼ିବାରେ ଲାଗିଛି । ଆଗାମୀ ୨୦୨୯ ସୁଦ୍ଧା ଦେଶରେ ମିଲିୟନାରଙ୍କ ସଂଖ୍ୟା ୫୫ ପ୍ରତିଶତ ବୃଦ୍ଧି ପାଇବ ବୋଲି ବୋଷ୍ଟନ କନସଲଟିଂ ଗ୍ରୁପ୍ ପକ୍ଷରୁ ଆକଳନ କରାଯାଇଛି । ଏସବୁ ଭିତରେ ଉଦ୍ବେଗର କଥା ହେଉଛି, ମିଲିୟନାରମାନେ ଦେଶଛାଡ଼ି ଚାଲିଯାଉଛନ୍ତି । ଚଳିତ ବର୍ଷ ୩୫ ଶହ ମିଲିୟନାର ଦେଶ ଛାଡ଼ିଛନ୍ତି ବୋଲି ଅନ୍ୟ ଏକ ରିପୋର୍ଟରୁ ଜଣାପଡ଼ିଛି । ରିପୋର୍ଟ ଅନୁଯାୟୀ ଆଗାମୀ ୫ ବର୍ଷରେ ଦେଶର ମିଲିୟନାରଙ୍କ ସଂଖ୍ୟା ଦୁଇଗୁଣା ହୋଇଯିବ । ୨୦୨୩ରୁ ୨୦୨୪ ମଧ୍ୟରେ ଦେଶର ଆର୍ଥିକ ସମ୍ପତ୍ତି ୧୦.୮% ବୃଦ୍ଧି ପାଇଛି । ବିଶ୍ୱରେ ଏହି ହାର ୭.୩% ରହିଛି । ଆଗାମୀ ଦିନରେ ଏହା ୯% ହାରରେ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ୨୦୨୪ରେ ଷ୍ଟକ ମାର୍କେଟର ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ ଆର୍ଥିକ ସମ୍ପତ୍ତି ବୃଦ୍ଧି ପାଇଥିଲା ।
ସୂଚନାଯୋଗ୍ୟଯେ, ୨୦୨୫ରେ ବିଶ୍ୱର ୧ ଲକ୍ଷ ୪୨ ହଜାର ମିଲିୟନାର ଅନ୍ୟ ଦେଶକୁ ଦେଶାନ୍ତର ହୋଇଛନ୍ତି । ଯେତେବେଳେକି ୨୦୨୬ ବେଳକୁ ଏହି ସଂଖ୍ୟା ୧ ଲକ୍ଷ ୬୫ ହଜାର ଛୁଇଁବାର ସମ୍ଭାବନା ରହିଛି । ହେନଲି ପ୍ରାଇଭେଟ ୱେଲଥ ମାଇଗ୍ରେସନ୍ ରିପୋର୍ଟ ୨୦୨୫ରେ ଏହା ଉଲ୍ଳେଖ ରହଛି । କେବଳ ଭାରତରୁ ୩୫ ଶହ ମିଲିୟନାର ଅନ୍ୟ ଦେଶକୁ ଯାଇଛନ୍ତି । ବିଶେଷକରି ଅଧିକାଂଶ ଦୁବାଇ ଯାଉଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ବିଶ୍ୱରେ ବି ଦୁବାଇ ମିଲିୟନାରଙ୍କ ଆକର୍ଷଣର ପ୍ରମୁଖ ସ୍ଥଳୀ ପାଲଟିଛି । ଗତବର୍ଷ ବିଶ୍ୱର ୬୭ ଶହ ମିଲିୟନାର ଦୁବାଇ ଯାଇଥିବାବେଳେ ୨୦୨୫ରେ ସେହି ସଂଖ୍ୟା ୯୮ ଶହକୁ ବୃଦ୍ଧି ପାଇଛି । ସେହିପରି ଆମେରିକାକୁ ୭୫ ଶହ ମିଲିୟନାର, ଇଟାଲୀକୁ ୨୨ ଶହ ଓ ସ୍ୱିଜରଲାଣ୍ଡକୁ ୧୫୦୦ ମିଲିୟନାର ଯାଇଛନ୍ତି ।