୧୦୮ ଲୋକତନ୍ତ୍ର ସେନାନୀ ସମ୍ମାନିତ
ଭୁବନେଶ୍ୱର: ‘ଜରୁରୀ କାଳୀନ ପରିସ୍ଥିତି’ ସମୟ ହେଉଛି ସ୍ୱାଧୀନ ଭାରତ ଇତିହାସର ଏକ କଳଙ୍କିତ ଅଧ୍ୟାୟ । ନୂଆ ପିଢିଙ୍କ ପାଖରେ ଏହି କାଳିମାମୟ ଅଧ୍ୟାୟର ସ୍ମୃତିକୁ ପହଞ୍ଚାଇବା ପାଇଁ ବର୍ଷବ୍ୟାପୀ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ସ୍ୱାଧୀନତା ସଂଗ୍ରାମୀଙ୍କ ପରି ଲୋକତନ୍ତ୍ର ସେନାନୀଙ୍କୁ ଉପଯୁକ୍ତ ସମ୍ମାନ ମିଳିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି । ଭାରତରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେବାର ୫୦ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମ୍ବିଧାନ ହତ୍ୟା ଦିବସ ୨୦୨୫ ସ୍ଥାନୀୟ ରେଳ ଅଡିଟୋରିଅମ ଠାରେ ପାଳିତ ହୋଇଯାଇଛି ।
ଜରୁରୀକାଳୀନ ପରିସ୍ଥିତିରେ ଯେଉଁ ପ୍ରକାର ଦମନଲୀଳା, ଅକଥନୀୟ ଅତ୍ୟାଚାର ଚାଲିଥିଲା ସେସବୁକୁ କେହି ଭୁଲି ପାରିବେ ନାହିଁ । ଏକଛତ୍ରବାଦୀ ଶାସନ ବିରୁଦ୍ଧରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ଉଦେ୍ଦଶ୍ୟ । ନୂଆ ପିଢିଙ୍କ ପାଖରେ ଏହି କାଳିମାମୟ ଅଧ୍ୟାୟର ସ୍ମୃତିକୁ ପହଞ୍ଚାଇବା ପାଇଁ ବର୍ଷ ବ୍ୟାପୀ କାର୍ଯ୍ୟକ୍ରମ ଗ୍ରହଣ କରିବା ନିମନ୍ତେ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ବର୍ଷ ବ୍ୟାପୀ କାର୍ଯ୍ୟକ୍ରମ ୨୫ ଜୁନ ୨୦୨୬ରେ ଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ କହିଛନ୍ତି । ଜରୁରୀକାଳୀନ ସମୟ ବିଷୟରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ସେହି ସମୟରେସମ୍ବିଧାନର ସୁରକ୍ଷା ପାଇଁ, ଲୋକଙ୍କ ମୌଳିକ ଅଧିକାରର ସୁରକ୍ଷା ପାଇଁ ଭାରତୀୟ ଜନତା ପାର୍ଟି ସାରା ଭାରତରେ ଲଢେଇ ଜାରି ରଖିଥିଲା । ଦେଶର ସମସ୍ତ ବଡ ବଡ ନେତାଙ୍କ ସହିତ ଅଟଳ ବିହାରୀ ବାଜପେୟୀଜୀ ଓ ଲାଲକୃଷ୍ଣ ଆଡଭାନୀଜୀଙ୍କ ପରି ନେତାମାନେ ମଧ୍ୟ ଜେଲ ଯାଇଥିଲେ । ଦମନଲୀଳା ଏତେ ମାତ୍ରାରେ ଥିଲା ତାଙ୍କ ପାଖରେ କେବଳ ଦୁଇଟି ବିକଳ୍ପ ଥିଲା, ଯଦି ସରକାରଙ୍କୁ ବିରୋଧ କରିବ ତେବେ ଜେଲ ଯିବ ଅଥବା ଖବରକାଗଜ ବନ୍ଦ ହେବ । ପ୍ରାୟ ୧୦ ହଜାର ସାମ୍ବାଦିକ ଜେଲ ଦଣ୍ଡ ଭୋଗିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆମ ଓଡିଶାରେ ମଧ୍ୟ ଡକ୍ଟର ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ବିଶ୍ୱଭୂଷଣ ହରିଚନ୍ଦନଙ୍କ ପରି ଅନେକ ବଡ ବଡ ନେତା ଗିରଫ ହୋଇଥିଲେ । ଲୋକତନ୍ତ୍ର ସେନାନୀମାନେ, ଯେଉଁମାନେ ଆଜି ଆମ ସହିତ ଉପସ୍ଥିତ ଅଛନ୍ତି, ସେମାନେ ଜାଣିଛନ୍ତି ସେମାନଙ୍କ ଉପରେ ଜେଲରେ କିପରି ଅତ୍ୟାଚାର କରାଯାଉଥିଲା । ସେ ପୁଣି କହିଥିଲେ ଯେ, ଆଜି ଆମ ସହିତ ୧୦୮ ଜଣ ଲୋକତନ୍ତ୍ର ସେନାନୀ ଅଛନ୍ତି । ଏହି କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସମ୍ମାନିତ କରି ଆମେ ଗୌରବାନ୍ୱିତ ଅନୁଭବ କରୁଛୁ । ସେମାନଙ୍କୁ ମାସକୁ ୨୦ ହଜାର ଟଙ୍କା ପେନସନ ଓ ଚିକିସôା ସୁବିଧା ମଧ୍ୟ ମିଳୁଛି । ବର୍ତ୍ତମାନ ସୁଦ୍ଧା ୫୬ ଜଣଙ୍କର ପେନସନ ପାଇଁ ଅନୁମୋଦନ ମିଳି ସାରିଛି । ଅନ୍ୟ ଲୋକତନ୍ତ୍ର ସେନାନୀମାନଙ୍କ ପାଇଁ ପ୍ରକ୍ରିୟା ଜାରି ରହିଛି । ଖୁବ୍ଶୀଘ୍ର ସେମାନେ ମଧ୍ୟ ପେନସନ ପାଇବେ । ସ୍ୱାଧୀନତା ସଂଗ୍ରାମୀଙ୍କ ପରି ଲୋକତନ୍ତ୍ର ସେନାନୀମାନଙ୍କୁ ମଧ୍ୟ ଉପଯୁକ୍ତ ସମ୍ମାନ ଦିଆଯିବ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେଯେ, ୫୦ ବର୍ଷ ତଳେ ଯେଉଁ ଭୁଲ ହୋଇଥିଲା ତାହା ଆଜିର ପୀଢ଼ି ଜାଣିବା ଦରକାର । ଅନ୍ୟର ଭୁଲରୁ ମଣିଷ ଶିଖିବା ଭଳି, ଆଜିର ପୀଢ଼ି ଏହି ଦିବସରେ ଶିଖିବା ଦରକାର । ସେ ସମୟରେ ଦେଶକୁ ଶାସନ କରିବାକୁ ଯେଉଁ ବ୍ୟବସ୍ଥା ଚାଲିଥିଲା ସେ ସମୟ ସମସ୍ତଙ୍କ ପାଇଁ ଏକ କଳା ଦୁନିଆ ଥିଲା । କିନ୍ତୁ ସେଇ ଲଢେଇ ଆଜିର ଦିନରେ ଏକ ଶିକ୍ଷା ହେଉ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନିଜ ବକ୍ତବ୍ୟରେ କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ବାବୁ ସିଂ, ଲୋକତନ୍ତ୍ର ସେନାନୀ ବିମ୍ବାଧର କୁଅଁର, କୃଷ୍ଣଚନ୍ଦ୍ର ଜଗଦେବ ଓ କାହ୍ନୁଚରଣ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ବରିଷ୍ଠ ନେତା ଅମର ପ୍ରସାଦ ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ ।