ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଚାଉଳ ପାଉଛନ୍ତି ୯୩.୨୩ଲକ୍ଷ ପରିବାର
ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ଯୋଜନା ଜରିଆରେ ହିତାଧିକାରୀଙ୍କୁ ମାଗଣା ଚାଉଳ ବଣ୍ଟନ କରାଯାଉଛି । ବିଶେଷ କରି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ୯୩,୨୩,୦୭୯ ପରିବାରର ୩,୨୬,୩୩,୦୯୭ ସଦସ୍ୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ୩,୧୫,୦୨୪ ପରିବାରର ୧୦,୦୩,୭୧୯ ସଦସ୍ୟଙ୍କୁ ମାଗଣାରେ ଚାଉଳ ଯୋଗାଇ ଦିଆଯାଉଛି । ରାସନକାର୍ଡ ବ୍ୟବସ୍ଥାରେ ସ୍ୱଚ୍ଛତା ଯୋଗୁ ଏଯାବତ୍ ପ୍ରାୟ ୬.୨ ଲକ୍ଷ ହିତାଧିକାରୀ ରାସନକାର୍ଡ ନିମନ୍ତେ ଆବେଦନକରି ଅପେକ୍ଷାରେ ଅଛନ୍ତି । ଗୃହରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ଶ୍ରୀ ପାତ୍ର ଆହୁରି କହିଛନ୍ତି ଯେ, କେନ୍ଦ୍ରସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଆବଶ୍ୟକ ହେଉଥିବା ବାର୍ଷିକ ହାରାହାରି ୨୨,୪୪,୦୦୦ ମେଟ୍ରିକ ଟନ ଚାଉଳ ଯୋଗାଇ ଦେଉଛନ୍ତି । ଯାହାର କିଲୋ ପିଛା ଖର୍ଚ୍ଚ ହାରାହାରି ୩୯.୯୬ ଟଙ୍କା ଏବଂ ବାର୍ଷିକ ସମୁଦାୟ ଖର୍ଚ୍ଚ ହାରାହାରି ୮୯୬୭ କୋଟି । ଏଥିରୁ, ପରିବହନ ଏବଂ ବିତରଣ ବାବଦରେ କିଲୋପିଛା ହାରାହାରି ୦.୯୦ ଟଙ୍କା ଖର୍ଚ୍ଚ ହେଉଛି । ସେହିପରି ରାଜ୍ୟ ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଆବଶ୍ୟକ ହେଉଥିବା ବାର୍ଷିକ ହାରାହାରି ୬୦,୦୦୦ ମେଟ୍ରିକ ଟନ ଚାଉଳ ଯୋଗାଇଦେଉଛନ୍ତି, ଯାହାର କିଲୋପିଛା ଖର୍ଚ୍ଚ ହାରାହାରି ୪୧.୩୩ ଟଙ୍କା ଏବଂ ବାର୍ଷିକ ସମୁଦାୟ ଖର୍ଚ୍ଚ ହାରାହାରି ୨୫ କୋଟି ।