ପୁଅ ଭୁଲକୁ ସୁଧାରିବାକୁ ବାପାଙ୍କ ନିଆରା ଦଣ୍ଡ
ପିଲାଙ୍କୁ ସୁଧାରିବା ପାଇଁ ଅଭିଭାବକମାନେ ଅନେକ ସମୟରେ ସେମାନଙ୍କୁ ଦଣ୍ଡ ଦେଇଥାନ୍ତି । ଏହି ପରିପ୍ରେକ୍ଷୀରେ ଚୀନର ଏକ ଘଟଣା ଏବେ ସଭିଙ୍କ ଦୃଷ୍ଟି ଆକର୍ଷଣ କରିଛି । ଚୀନରେ ଜଣେ ଆଠବର୍ଷର ବାଳକ ସ୍କୁଲ କାନ୍ଥରେ ଚିତ୍ର ଆଙ୍କିବାରୁ ତା’ର ବାପା ଏପରି ଦଣ୍ଡ ଦେଇଥିଲେ ଯାହା ଏବେ ଚର୍ଚ୍ଚାର ବିଷୟ ପାଳଟିଛି । ଘଟଣାଟି ଚୀନର ସାକ୍ସି ଅଞ୍ଚଳର । ବାଳକ ଜଣକ ସ୍କୁଲ କାନ୍ଥରେ କିଛି ଚିତ୍ର ଆଙ୍କିଥିଲେ । ଏହା ପରେ ସ୍କୁଲ କର୍ତ୍ତୃପକ୍ଷ ପିଲାଟିର ବାପାମାଙ୍କୁ ଡାକି ଏ ସମ୍ପର୍କରେ ସୂଚନା ଦେବା ସହ ପିଲାଟି ବିରୋଧରେ ଅଭିଯୋଗ କରିଥିଲେ । ଏହା ପରେ ପିଲାଟିର ଏହି ଭୁଲ ପାଇଁ ତା’ର ବାପା ଏକ ନିଆରା ଦଣ୍ଡ ଦେବାକୁ ସ୍ଥିର କରିଥିଲେ । ପୁଅକୁ ଏକ ଗିଟାର ଦେଇ ରାସ୍ତାରେ ବସାଇ ଦେଇଥିଲେ । ଗିଟାର ବଜାଇ ଅର୍ଥ ଉପାର୍ଜନ କରିବାକୁ କହିଥିଲେ । ତେବେ ତାଙ୍କର ଏପରି କରିବା ପଛରେ ଉଦ୍ଦେଶ୍ୟ ଥିଲା ପୁଅର ରୋଜଗାର ଅର୍ଥରେ ସେ ସ୍କୁଲ କାନ୍ଥଟିକୁ ଆଉ ଥରେ ରଙ୍ଗ କରିବ । ପିଲାଟି ବାପାଙ୍କ କଥାକୁ ସମ୍ମାନ ଦେଇ ଲଗାତାର ତିନି ଦିନ ଧରି ଗିଟାର ବଜାଇବା ସହ ଗୀତ ଗାଇଥିଲା । ଏହି ସମୟରେ ତା’ର ଆତରେ ଏକ ନୋଟ୍ ଥିଲା । ଏଥିରେ ଲେଖାଥିଲା, ମୁଁ ସ୍କୁଲ କାନ୍ଥ ନଷ୍ଟ କରିଛି ମୋତେ ତାକୁ ଠିକ୍ କରିବା ପାଇଁ ୩୬୮୬ ଟଙ୍କା ଆୟ କରିବାକୁ ହେବ ।’ ଏ ନେଇ ପିଲାଟିର ବାପାଙ୍କର କହିବା ଅନୁସାରେ, ‘ମୋ ପୁଅ ସ୍କୁଲ କାନ୍ଥରେ ଚିତ୍ର ଆଙ୍କି ଏହାକୁ ନଷ୍ଟ କରିଦେଇଥିଲା । ଏବେ ତା’ର ରୋଜଗାର ଅର୍ଥରେ କାନ୍ଥଟିକୁ ରଙ୍ଗ କରାଯାଇଛି । ଏହା ଦ୍ୱାରା ସେ ଭବିଷ୍ୟତରେ ଦାୟିତ୍ୱବାନ ହେବ ବୋଲି ମୁଁ ଆଶା କରୁଛି ।’