ବଦଳିବ ମନରେଗା ନାଁ ଓ ଆଇନ୍ : ଭିବି-ଜି ରାମ ଜି ବିଲ୍ ଆଗତ
ନୂଆଦିଲ୍ଲୀ : ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଆଇନ୍ ବା ମନରେଗାର ନାଁ ବଦଳିବା ନେଇ ଦୁଇ ଦିନ ତଳେ ସୂଚନା ମିଳିଥିଲା । ଏହି ଯୋଜନାର ନାଁ ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନା କରାଯିବାକୁ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଥିଲା । ହେଲେ କେନ୍ଦ୍ର ସରକାର ଏନେଇ ନୂଆ ଆଇନ୍ ଆଣିବାକୁ ଯାଉଛନ୍ତି । ଲୋକସଭାରେ ଏସଂକ୍ରାନ୍ତୀୟ ନୂଆ ବିଲ୍ ଉପସ୍ଥାପିତ ହୋଇଥିବାବେଳେ ତାହାର ନାମ ରହିଛି ବିକଶିତ ଭାରତ ଗ୍ୟାରେଣ୍ଟି ଫର ରୋଜଗାର ଆଣ୍ଡ ଆଜୀବିକା ମିଶନ (ଗ୍ରାମୀଣ)। ଯାହାକୁ ସଂକ୍ଷେପରେ ଭିବି-ଜି ରାମ ଜି ବିଲ୍-୨୦୨୫ କୁହାଯାଉଛି।
ମନରେଗା ଆଇନ ପ୍ରତିସ୍ଥାପିତ କରି ଏହି ନୂତନ ଆଇନ୍ ଆସିବ । ଏହି ଆଇନ୍ରେ ଅନେକ କିଛି ନୂତନତ୍ୱ ରହିବ । ବିକଶିତ ଭାରତ ୨୦୪୭କୁ ଆଖି ଆଗରେ ରଖି ଏହି ଆଇନ୍ରେ ୧୨୫ ଦିନର କାମ ପାଇଁ ଗ୍ୟାରେଣ୍ଟି ମିଳିବ । ପୂର୍ବରୁ ତାହା ଶହେ ଦିନ ରହିଥିଲା । ଜଳ ସଂକ୍ରାନ୍ତୀୟ କାର୍ଯ୍ୟ ଜରିଆରେ ଜଳ ସୁରକ୍ଷା, ଗ୍ରାମୀଣ ଭିତ୍ତିଭୂମି, ଜୀବନଜୀବିକା ସଂକ୍ରାନ୍ତୀୟ ଭିତ୍ତିଭୂମି ଓ ପ୍ରତିକୂଳ ସ୍ଥିତିରେ ସ୍ୱତନ୍ତ୍ର କାର୍ଯ୍ୟ ପ୍ରଦାନ ଭଳି ୪ଟି ଦିଗ ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଛି । ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା ଆଧାରରେ ଏହାର କାର୍ଯ୍ୟାଦେଶ ସୁନିଶ୍ଚିତ କରାଯିବ । କେନ୍ଦ୍ର ଓ ରାଜ୍ୟ ୬୦: ୪୦ ହିସାବରେ ଅନୁଦାନ ପ୍ରଦାନ କରିବେ । ସପ୍ତାହକ ମଧ୍ୟରେ ମଜୁରୀ ସୁନିଶ୍ଚିତ କରାଯିବ। ଅତିବେଶୀରେ ୧୫ ଦିନ ମଧ୍ୟରେ ଶ୍ରମିକଙ୍କୁ ଟଙ୍କା ଦିଆଯିବ। ସେହିପରି ପଞ୍ଚାୟତଗୁଡ଼ିକ ପିଏମ ଗତି-ଶକ୍ତିକୁ ସମନ୍ୱିତ କରି କାର୍ଯ୍ୟ ସ୍ଥିର କରିବେ। ମନରେଗା ୨୦୦୫ରେ ହୋଇଥିବାବେଳେ ଇତିମଧ୍ୟରେ ଗ୍ରାମୀଣ ଭାରତ ରୂପାନ୍ତରିତ ହୋଇସାରିଛି । ଗରିବୀ ୨୫.୭%ରୁ ୪.୮୬%କୁ ହ୍ରାସ ପାଇଛି । ଏସବୁକୁ ଆଖିଆଗରେ ରଖି ନୂଆ ଆଇନ୍ରେ ଅନେକ ନୂତନ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି । ଅପରପକ୍ଷରେ ମହାତ୍ମାଗାନ୍ଧୀଙ୍କ ନାମ ହଟିବାକୁ ନେଇ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ କରିଛନ୍ତି ।