‘ବନ୍ଦେ ମାତରମ୍‌’ ଭାରତର ଆତ୍ମା : ମୋହନ

ସାରା ରାଜ୍ୟରେ ହେବ ‘ବନ୍ଦେ ମାତରମ୍‌’ ଉତ୍ସବ

ଭୁବନେଶ୍ୱର : ‘ବନ୍ଦେ ମାତରମ୍‌’ର ବିଜୟ ଧ୍ୱନି, ସମଗ୍ର ଦେଶର ସ୍ୱାଧୀନତା ଆନ୍ଦୋଳନକୁ ଶକ୍ତିଶାଳୀ କରିବା ସହ ଜାତୀୟତାବୋଧକୁ ପ୍ରେରଣା ଦେଇଥିଲା । ବନ୍ଦେ ମାତରମ୍‌-ଏକ ଗୀତ ନୁହେଁ, ଏହା ଭାରତର ଆତ୍ମା । ଏଇ ଗୀତ ଆମକୁ ସଂଘର୍ଷ ଭରା ସ୍ୱାଧୀନତା ସଂଗ୍ରାମ ବିଷୟରେ ମନେ ପକାଇଦିଏ । ଏହାର ଦେଢ଼ ଶହତମ ପୂର୍ତ୍ତି ଉପଲକ୍ଷେ ସାରା ରାଜ୍ୟରେ ‘ବନ୍ଦେ ମାତରମ୍‌’ ଉତ୍ସବ ପାଳନ କରାଯିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଏସଂକ୍ରାନ୍ତୀୟ ସଂକଳ୍ପ ଆଲୋଚନା କାଳରେ ଏହା ଘୋଷଣା କରିଛନ୍ତି । ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜି ବିଧାନସଭାରେ ବନ୍ଦେ ମାତରମ୍‌ ସଂକ୍ରାନ୍ତୀୟ ସଂକଳ୍ପ ଆଗତ କରିଥିଲେ । ଏହି ପ୍ରସ୍ତାବ ଆଲୋଚନାରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, କଂଗ୍ରେସ ବିଧାୟକ ରାମଚନ୍ଦ୍ର କାଡ଼ାମ ଓ ବାଚସ୍ପତି ସୁରମା ପାଢ଼ୀ ନିଜର ମତ ରଖିଥିଲେ ।


     ଏହି ଅବକାଶରେ ମୁଖ୍ୟମନ୍ତ୍ରୀ କହିଲେଯେ, ଏହି ରାଷ୍ଟ୍ରଗୀତ ଆମ ଶିରା ପ୍ରଶିରାରେ ପ୍ରବାହିତ ହେଉଥିବା ରକ୍ତର ବେଗ, ଆଉ ଆମ ପ୍ରଶ୍ୱାସର ଗତି ସହିତ ଜଡ଼ିତ । ବଙ୍କିମ ଚନ୍ଦ୍ର ଶବ୍ଦରେ ଜୀବନ ଭରିଥିଲେ, ପ୍ରତ୍ୟେକ ପଦରେ ଅଗ୍ନି ଭରି ଦେଉଥିଲେ । କୁହାଯାଏ ୧୮୭୫ ମସିହା ଅକ୍ଷୟ ନବମୀ ନଭେମ୍ବର ୭ରେ ଏହି ଗୀତ ଲେଖାଯାଇଥିଲା । ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦୀଜୀ ଆଜି ଏହାର ୧୫୦ତମ ପୂର୍ତ୍ତି ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ସଂଗୀତ ଏତେ ଲୋକପ୍ରିୟ ହୋଇଥିଲା, ବ୍ରିଟିଶ ସରକାର ଭୟଭୀତ ହୋଇ ଏହାକୁ ବ୍ୟାନ କରିଥିଲେ । ସ୍ୱାଧୀନତା ପରଠାରୁ ଯଦିଓ ରାଷ୍ଟ୍ରଗୀତ ଭାବେ ଏହାକୁ ମର୍ଯ୍ୟାଦା ଦିଆଯାଇଛି, କିନ୍ତୁ ଏହାର ଗୁରୁତ୍ୱକୁ ଅବକ୍ଷୟ କରିବା ପାଇଁ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ଦ୍ୱାରା ପ୍ରଚେଷ୍ଟା ଚାଲିଛି । ଦେଶପ୍ରେମକୁ କୃତ୍ରିମ ଭାବେ କାହା ମନରେ ଜୋର୍‌ ଜବରଦସ୍ତି ଲଦି ଦିଆଯାଇପାରେନା । ଏହା ହେଉଛି ମନ ଭିତରର କଥା, ହୃଦୟର କଥା । ସ୍ୱାଧୀନତା ଆନ୍ଦୋଳନ ସମୟରେ ଭାରତର ଗଳି କନ୍ଦିରେ ଲୋକେ ଗାଉଥିଲେ, ‘ସାରେ ଜାହାଁ ସେ ଆଚ୍ଛା, ହିନ୍ଦୁସିତାଁ ହମାରା’, ଶ୍ୟାମଲାଲ୍‌ ଗୁପ୍ତାଙ୍କ ରଚିତ ‘ବିଜୟୀ ବିଶ୍ୱ ତିରଙ୍ଗା ପ୍ୟାରା, ଝଣ୍ଡା ଉଞ୍ଚା ରହେ ହମାରା’, ରବୀନ୍ଦ୍ର ନାଥ ଟେଗୋରଙ୍କ ଦ୍ୱାରା ରଚିତ ‘ଏକଲା ଚଲୋରେ’ ପରି ଦେଶାତ୍ମବୋଧକ ସଙ୍ଗୀତ । କିନ୍ତୁ, ବଙ୍କିମ ଚନ୍ଦ୍ରଙ୍କର ରଚିତ ‘ବନ୍ଦେ ମାତରମ୍‌’ର ଆକର୍ଷଣ ଥିଲା ଅନନ୍ୟ । ସଂଗ୍ରାମୀମାନେ ହସି ହସି ‘ବନ୍ଦେ ମାତରମ୍‌’ ଗାଇ ପୋଲିସ ଗୁଳିରେ ଶହୀଦ ହେଉଥିଲେ, ନ ହେଲେ ହସି ହସି ଫାଶୀ ଖୁଣ୍ଟରେ ଝୁଲି ପଡୁଥିଲେ । କାରଣ ‘ବନ୍ଦେ ମାତରମ୍‌ ?’ କେବଳ ଏକ ଜାତୀୟତାବାଦ ସଙ୍ଗୀତ ନୁହେଁ, ଏହା ଦେଶ ମାତୃକାର ବନ୍ଦନା । 


    ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଅଭିନବ ପ୍ରୟାସରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, “ବନ୍ଦେ ମାତରମ୍‌”ର ୧୫୦ତମ ବର୍ଷ ପୂର୍ତ୍ତି ୨୦୨୬ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଏକ ବର୍ଷ ଧରି ଦେଶବ୍ୟାପୀ ପାଳନ କରାଯିବ । ପ୍ରଧାନମନ୍ତ୍ରୀ ତାଙ୍କର ୧୨୭ତମ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ମଧ୍ୟ ଏହା ଉଲ୍ଲେଖ କରିଥିଲେ । ସାରା ଦେଶରେ ରାଷ୍ଟ୍ରଭକ୍ତି ଭାବନା ଓ ଦେଶର ଏକତା ଏବଂ ଅଖଣ୍ଡତାକୁ ମଜବୁତ୍‌ କରିବା ପାଇଁ ଏହାକୁ ଉତ୍ସାହର ସହ ପାଳନ କରିବା ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି । ଆମ ରାଜ୍ୟ ସରକାର, ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ସେହି ପଦକ୍ଷେପକୁ ହୃଦୟପୂର୍ବକ ସ୍ୱାଗତ କରିଛି ଏବଂ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା, ପ୍ରତ୍ୟେକ ବିଦ୍ୟାଳୟ, ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ, ପ୍ରତ୍ୟେକ ସାଂସ୍କୃତିକ କେନ୍ଦ୍ରରେ ବନ୍ଦେ ମାତରମ୍‌ ଉତ୍ସବ କରାଯିବ।