ବାରବାଟୀରେ ପ୍ରତିଶୋଧ ନେଲା ଭାରତ : ଏକପାଖିଆ ଜିତାଇଲେ ବୋଲର
- ୧୦୧ ରନ୍ରେ ଜିତିଲା ଟିମ୍ ଇଣ୍ଡିଆ
- ତାସମୁଠା ଭଳି ଭୁଶୁଡ଼ିପଡ଼ିଲା ଦକ୍ଷିଣ ଆଫ୍ରିକା
- ପାଣ୍ଡ୍ୟାଙ୍କ ବ୍ୟାଟିଂରେ ଦର୍ଶକଙ୍କ ପଇସା ଅସୁଲ୍
କଟକ : ବାରବାଟୀରେ ଭାରତକୁ ମାତ୍ ଦେଇଥିଲା ଦକ୍ଷିଣ ଆଫ୍ରିକା । ଆଜି ଭାରତ ଏହାର ପ୍ରତିଶୋଧ ନେଇଛି । ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ସତ୍ତେ୍ୱ ତିଳକ ବର୍ମାଙ୍କ ୨୬, ଅକ୍ଷର ପଟେଲଙ୍କ ୨୩ ଓ ପାଣ୍ଡିଆନଙ୍କ ବିସ୍ଫୋରକ ୫୯ ରନ୍ ବଳରେ ୧୭୫ ରନ୍ କରି ପାରିଥିଲା ଭାରତ । ଅପରପକ୍ଷରେ ଦକ୍ଷିଣ ଆଫ୍ରିକା ବି ଭଲ ଲଢେ଼ଇ କରିବ ବୋଲି ଆଶା କରାଯାଉଥିଲା । ହେଲେ ଭାରତୀୟ ବୋଲରଙ୍କ ଆଗରେ ଦକ୍ଷିଣ ଆଫ୍ରିକା ତିଷ୍ଠି ପାରିନଥିଲା । ନିୟମିତ ବ୍ୟବଧାନରେ ୱିକେଟ ହରାଇ ଦଳ ମାତ୍ର ୧୨.୩ ଓଭରରେ ୭୪ ରନରେ ଅଲଆଉଟ୍ ହୋଇଯାଇଥିଲା । ୧୦୧ ରନରେ ଜିତ୍ ହାସଲ କରି ବାରବାଟୀରେ ବିଜୟ ଖୁସି ମନାଇଥିଲା ଭାରତୀୟ ଟିମ୍ ।
ବାରବାଟୀ ଟ୍ୱେଣ୍ଟି ଟ୍ୱେଣ୍ଟି ଲଢେ଼ଇ ଉପରେ ଆଜି ସମସ୍ତଙ୍କର ନଜର ରହିଥିଲା । ଗତ ସପ୍ତାହେ ଧରି ସାରା ରାଜ୍ୟରେ କ୍ରିକେଟ ଫିଭର ଦେଖିବାକୁ ମିଳିଥିଲା । ଅପରାହ୍ନରୁ ବାରବାଟୀ ଷ୍ଟାଡ଼ିୟମ୍ ଆଗରେ ଲାଗି ଯାଇଥିଲା ଲମ୍ବା ଲାଇନ୍ । କିଏ ହାତରେ ତ କିଏ ଗାଲରେ ଭାରତର ଚିତ୍ର ଆଙ୍କି ଖେଳ ଦେଖିବାକୁ ଷ୍ଟାଡ଼ିୟମ୍ରେ ଭିଡ଼ ଜମାଇଥିଲେ । ବହୁ ପ୍ରତୀକ୍ଷିତ ମ୍ୟାଚରେ ଆଜି ଦକ୍ଷିଣ ଆଫ୍ରିକା ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ପ୍ରଥମ ଓଭରର ତୃତୀୟ ବଲରେ ଶୁବମାନ ଗିଲ ମାତ୍ର ୪ ରନ କରି ଆଉଟ ହୋଇଥିଲେ । ଦଳୀୟ ସ୍କୋର ୧୭ ଥିବା ବେଳେ ଅଧନାୟକ ସୂର୍ଯ୍ୟକୁମାର ଯାଦବ ୧୨ ରନ କରି ଆଉଟ ହୋଇଥିଲେ । ସେହିଭଳି ଦଳୀୟ ସ୍କୋର ୪୮ ଥିବା ବେଳେ ଅଭିଶେକ ଶର୍ମା ୧୭ ରନ କରି ଆଉଟ ହୋଇଥିଲେ । ଯାହା ବାରବାଟୀରେ ହଜାର ହଜାର ଦର୍ଶକଙ୍କୁ ନିରାଶ କରି ଦେଇଥିଲା । ପରେ ଗୋଟିଏ ପରେ ଗୋଟିଏ ୱିକେଟ ଗଡ଼ି ଚାଲିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଦର୍ଶକଙ୍କ ମନରେ ଆଶା ଭରି ଦେଇଥିଲେ । ସେ ବିସ୍ଫୋରକ ୨୮ ବଲରେ ୬ଟି ଚୌକା ଓ ୪ଟି ଛକ୍କା ମାରି ୫୯ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତିଲକ ବର୍ମା ୨୬ ଓ ଅକ୍ଷର ପଟେଲ ୨୩ ରନ କରିଥିଲେ । ଭାରତ ୨୦ ଓଭରରେ ୧୭୫ ରନ କରି ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ ଦେଇଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ନିଗଡ଼ି ସର୍ବାଧିକ ୩ଟି ୱିକେଟ ନେଇଥିଲେ ।
୧୭୬ ରନର ବିଜୟଲକ୍ଷ ନେଇ ପଡ଼ିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଓଭରରୁ ହିଁ ଲାଗିଥିଲା ଝଟକା । ଦଳ ଶୂନ୍ୟ ରନରେ ପ୍ରଥମ ୱିକେଟ ହରାଇଥିଲା । ଅର୍ଶଦୀପ ସିଂ ପ୍ରଥମ ଓଭରର ଦ୍ୱୀତିୟ ବଲରେ ଡ଼ିକକଙ୍କୁ ଶୂନ୍ୟରେ ଆଉଟ କରି ବାରବାଟୀ ଦର୍ଶକଙ୍କ ଉକ୍ରଣ୍ଠା ବଢାଇ ଦେଇଥିଲେ । ସେହିପରି ତୃତୀୟ ଓଭରରେ ଟିଷ୍ଟନ ଷ୍ଟବସଙ୍କୁ ଆଉଟ କରି ଦକ୍ଷିଣ ଆଫ୍ରିକାର ବିପର୍ଯ୍ୟୟ ସୃଷ୍ଟି କରିଥିଲେ । ସେହିପରି ଅଧିନାୟକ ଆଡେ଼ନ ମାକରମ ଦ୍ରୁତ ଗତିରେ ରନ କରିବାକୁ ଚେଷ୍ଟା କରୁଥିବା ବେଳେ ଅକ୍ଷର ପଟେଲ ତାଙ୍କୁ ବୋଲ୍ଡ କରି ଭାରତକୁ ତୃତୀୟ ସଫଳତା ଦେଇଥିଲେ । ଏମିତିକି ଦକ୍ଷିଣ ଆଫ୍ରିକା ୫୦ରନରେ ୪ଟି ୱିକେଟ ହରାଇଥିଲା । ପରେ ଗୋଟିଏ ପରେ ଗୋଟିଏ ୱିକେଟ ହରାଇ ଦଳ ମାତ୍ର ୭୪ ରନରେ ଅଲଆଉଟ ହୋଇ ଯାଇଥିଲା । ଫଳରେ ଭାରତ ଏହି ମ୍ୟାଚକୁ ୧୦୧ ରନରେ ଜିତି ନେଇଥିଲା । ଭାରତ ପକ୍ଷରୁ ଅର୍ଶଦୀପ ସିଂ, ଭରୁନ ଚକ୍ରବର୍ତ୍ତୀ, ଜଶପ୍ରୀତ ବୁମରା ଓ ଅକ୍ଷର ପଟେଲ ୨ଟି ଲେଖାଏ ୱିକେଟ ନେଇଥିବା ବେଳେ ପାଣ୍ଡ୍ୟା ଓ ଶିବମ ଦୁବେ ଗୋଟିଏ ଲେଖା ୱିକେଟ ନେଇଥିଲେ । ବିସ୍ଫୋରକ ଇନିଂସ୍ ଓ ଗୋଟିଏ ୱିକେଟ ନେଇଥିବା ହାର୍ଦ୍ଦିକ ପାଣ୍ଡିଆନଙ୍କୁ ମ୍ୟାନ ଅଫ୍ଦି ମ୍ୟାଚ ଘୋଷଣା କରାଯାଇଥିଲା ।