ଜିଲ୍ଲା ପରିଷଦର ସାଧାରଣ ବୈଠକ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଷଷ୍ଠ ଜିଲ୍ଲା ପରିଷଦର ନବମ ସାଧାରଣ ବୈଠକ ଅଧ୍ୟକ୍ଷା ଅର୍ଚ୍ଚନା ପୂହାଣଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କୃଷି ବିଭାଗ, ଉଦ୍ୟାନ କୃଷିର କାର୍ଯ୍ୟକ୍ରମ, ଗ୍ରାମାଞ୍ଚଳରେ ମେଗା ପାଇପ ୱାଟର ସପ୍ଲାଇ କାର୍ଯ୍ୟର ଅଗ୍ରଗତି, ନଳକୂଅ ଖନନର ସ୍ଥିିତି ଓ ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍କରଣ କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଯୋଜନା, ଜିଲ୍ଲା ଯୋଗାଣ ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର କାର୍ଯ୍ୟକାରିତା, ଶିକ୍ଷା, ଉଠାଜଳ ସେଚନ ପ୍ରକଳ୍ପ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟକାରିତା, ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନ ଯୋଜନାରେ ଗୃହ ଯୋଗାଣ, ଜଙ୍ଗଲ ବିଭାଗ ଦ୍ୱାରା ହାତୀ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ବିଷଦ ଆଲୋଚନା ହୋଇଥିଲା । ଆଦିମ ଆଦିବାସୀଙ୍କ ପୁନରୁଦ୍ଧାନ ନିମନ୍ତେ ୨୭୮୬ଟି ଗୃହ ନିର୍ମାଣ ଲକ୍ଷ୍ୟ ଥିବାବେଳେ ଅଦ୍ୟାବଧି ୧୦୮୮ଗୋଟି ଗୃହ ନିର୍ମାଣ ହୋଇଛିି । ସୁରକ୍ଷିତ ଆଶ୍ରୟସ୍ଥଳୀ ନିମନ୍ତେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଜିଲ୍ଲାର ୪୪୬୮ ଜଣ ହିତାଧିକାରୀ ଚିହ୍ନଟ କରାଯାଇଛି, ସେଥିମଧ୍ୟରୁ ୨୫୯୬ ଜଣଙ୍କର ନାମ ପଞ୍ଜିକରଣ କରାଯାଇଛି ଓ ୧୭୭୫ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । ମନରେଗା ଯୋଜନାରେ ଅଣକୁଶଳୀ ଶ୍ରମିକମାନଙ୍କୁ ପଞ୍ଜିକରଣ କରାଯାଇ ମୋଟ ୨୧୦୯୨୬ ଟି ପରିବାରର ୩୫୯୬୬ ଜଣଙ୍କୁ ଜବ୍ କାର୍ଡ ପ୍ରଦାନ କରାଯାଇଛି । ୨୦୨୪-୨୫ ଆର୍ଥିକ ବର୍ଷରେ ମୋଟ ୪୮୬୬୬୨୫ ଶ୍ରମ ଦିବସ ସୃଷ୍ଟି କରିବାର ଲକ୍ଷ୍ୟ ନେଇ ୬୪୭୮୬ଟି ପରିବାରର ୯୦୬୯୪ ଜଣଙ୍କୁ ଅଣକୁଶଳୀ କାର୍ଯ୍ୟ ଯୋଗାଇ ଦିଆଯାଇ ମୋଟ ୨୯୬୫୧୧୭ ଶ୍ରମ ଦିବସ ସୃଷ୍ଟି କରାଯାଇଛି । ଉକ୍ତ ଆର୍ଥିକ ବର୍ଷରେ ମୋଟ ୩୧୯୦୭ ଟି ଅନୁମୋଦିତ କାର୍ଯ୍ୟ ମଧ୍ୟରୁ ୧୨୧୦୪ ଟି କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି ବୋଲି ଜଣାଯାଇଛିି । ହିନ୍ଦୋଳ ଅଂଚଳରେ ପାନୀୟଜଳ ଯୋଗାଣରେ ଅଭାବ ଓ ବିଦ୍ୟୁତ୍ ସରବରାହରେ ବିଶୃଙ୍ଖଳା ସଂପର୍କରେ ସଦସ୍ୟମାନେ ବୈଠକର ଦୃଷ୍ଟି ଆକର୍ଷଣ କରିଥିଲେ । ବୈଠକରେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ପରଜଙ୍ଗର ବିଧାୟକ ବିଭୂତି ଭୂଷଣ ପ୍ରଧାନ, କାମାକ୍ଷାନଗରର ବିଧାୟକ ଶତୃଘ୍ନ ଜେନା, ସାଂସଦଙ୍କ ପ୍ରତିନିିଧି ପ୍ରେମାନନ୍ଦ ଜେନା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀଙ୍କ ପ୍ରତିନିଧି କୋଦଣ୍ଡ ଧର ସାହୁ ଏବଂ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ପ୍ରମୁଖ ଯୋଗ ଦେଇ ଆଲୋଚନା କରିଥିଲେ । ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ ଓ ବିଭାଗୀୟ ଅଧିକାରୀମାନେ ସମନ୍ୱୟ ରକ୍ଷା କରି ଅଧିକ ଯତ୍ନଶୀଳ ହେବାକୁ ବିଧାୟକ ମାନେ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦିପ୍ତିରଂଜନ ସେଠି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ବୈଠକ ଶେଷରେ ଓଡ଼ାପଡ଼ାର ବିଡ଼ିଓ ଶ୍ରୀ ଦିଲ୍ଲିପ କୁମାର ଷଢ଼ଙ୍ଗୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।