ବିଶାଳ କୋଠା, ବସିବାକୁ ଜାଗା ନାହିଁ : ବିଏମ୍ସି
ଭୁବନେଶ୍ୱର: କଳ୍ପନା ଛକରେ ବିଏମ୍ସି ମୁଖ୍ୟାଳୟ ଥିଲ। । ସ୍ମାର୍ଟ ସିଟି ଆଇସିଓଏମ୍ସି କୋଠା ନିର୍ମାଣ କରିବା ପରେ ଏଠାକୁ ଉଠି ଆସିଥିଲା। ଏହି କୋଠା ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍(ବିଏସ୍ସିଏଲ୍) ଦାୟିତ୍ୱରେ ରହିଛି। ଏହାକୁ ନିର୍ମାଣ କରିଥିବା ସଂସ୍ଥା ୟୁଆର୍ସି କନ୍ଷ୍ଟ୍ରକସନ୍ ରକ୍ଷଣାବେକ୍ଷଣ ଦାୟିତ୍ବରେ ଅଛି। ପ୍ରାୟ ଶହେ କୋଟି ଖର୍ଚ୍ଚ ହୋଇଥିବା ଏହି କୋଠାର ୪ଟି ଫ୍ଲୋର୍ରେ ବିଏମ୍ସି କାର୍ୟ୍ୟାଳୟ ଚାଲିଛି। ଏହି କୋଠାରେ ବିଏମ୍ସିର ନାଁ ଗନ୍ଧ ନଥିଲା। ଉଦ୍ଘାଟନ ପୂର୍ବରୁ ମେୟର ଅଭିମାନ କରିବାରୁ ‘ଆଇସିଓଏମ୍ସି ଟାୱାର’ରେ ‘ବିଏମ୍ସି’ ଯୋଡ଼ି ଦିଆଗଲା। ବିଏସ୍ସିଏଲ୍ ଏବେ ବିଏମ୍ସିକୁ ବିଦ୍ୟୁତ ବିଲ୍ ଓ ପରିଚାଳନା ବାବଦକୁ ଖର୍ଚ୍ଚ ମାଗିଛି। ଯଦିଓ ଏହା କୋଠାର ଭଡ଼ା ନୁହେଁ ତଥାପି ବିଏମ୍ସି ନିଜକୁ ‘ଭଡ଼ାଟିଆ’ ବୋଲି ବିବେଚନା କରୁଛି। ଜମି ମାଲିକ ମଧ୍ୟ ବିଏମ୍ସି ନୁହେଁ, ବରଂ ଏହି ଜାଗା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ନାଁରେ ଅଛି।
ତେବେ କେବଳ ଏହି ନୂଆ କୋଠା ନୁହେଁ, ବରଂ କଳ୍ପନା ଛକରେ ଥିବା ପୁରୁଣା କୋଠାର ଜମି ମଧ୍ୟ ବିଏମ୍ସିର ନୁହେଁ। ଏହି ଜାଗା ସ୍ବାସ୍ଥ୍ୟ ବିଭାଗ ନାଁରେ ରହିଛି। ଏଠାରେ ଜବରଦସ୍ତି ବିଏମ୍ସି ବେଶ୍ କିଛି ଦିନ ରହିବା ପରେ ଏହା ଏବେ ଉଚ୍ଛେଦ ହେବାକୁ ଯାଉଛି। ବିଏମ୍ସିର ପୁରୁଣା ଅଫିସ ଉଚ୍ଛେଦ ହେବା ପରେ ଏଠାରେ ରାଜସ୍ବ ଭବନ ନିର୍ମାଣ ହେବ। ଗୋଟିଏ ଛାତ ତଳେ ରାଜସ୍ବ ସମ୍ପର୍କିତ ସମସ୍ତ କାର୍ୟ୍ୟାଳୟ ରହିବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଠାରେ ଏବେ ବିଏମ୍ସିର ଦକ୍ଷିଣପୂର୍ବ ଜୋନ୍ କାର୍ୟ୍ୟାଳୟ ଚାଲିଛି। ଉଚ୍ଛେଦ ହେବା ପରେ ଏହି କାର୍ୟ୍ୟାଳୟ ଭଡ଼ାଘରକୁ ଯିବ। କଳିଙ୍ଗ ହସ୍ପିଟାଲ୍ ଛକରେ ଥିବା ବିଏମ୍ସିର ଉତ୍ତର ଜୋନ୍ କାର୍ୟ୍ୟାଳୟ ମଧ୍ୟ ଭଡ଼ା ଘରେ ଚାଲିଛି। ୨୦୧୭ ରେ ଯେତେବେଳେ ବିଏମ୍ସି ଜୋନ୍ ବ୍ୟବସ୍ଥା ଆରମ୍ଭ କଲା ସେତେବେଳ ଠାରୁ ଏହି କାର୍ୟ୍ୟାଳୟ ସାମନ୍ତବିହାର ବିଡିଏ ମାର୍କେଟ୍ କମ୍ପ୍ଲେକ୍ସରେ ଚାଲୁଛି। ବିଡିଏ ଏହାକୁ ଦୟାରେ ଦେଇଛି। ଯଦିଓ ବିଏମ୍ସି ବିଡିଏକୁ ଭଡ଼ା ଦେଉ ନାହିଁ କିନ୍ତୁ ଏଠାରେ ଥିବା ବାକି ଦୋକାନ ଘର ବିକ୍ରି ହୋଇଯାଇଛି। ସହର ଛାତି ଉପରେ ଥିବାରୁ ବିଏମ୍ସି କାର୍ୟ୍ୟାଳୟ ଚାଲୁଥିବା କୋଠରୀଗୁଡ଼ିକ ବିକ୍ରି ହେଲେ ୩ କୋଟି ଟଙ୍କା ହେବ ବୋଲି ବିଡିଏ ଆକଳନ କରିଛି। ଏଣୁ ଯେ କୌଣସି ମୁହୂର୍ତ୍ତରେ ବିଡିଏ ଏହାକୁ ବିକି ଦେବା ସମ୍ଭାବନା ଥିବାରୁ ଏହି କାର୍ୟ୍ୟାଳୟ ଭଡ଼ାଘରକୁ ଚାଲିଯିବା ଆଶଙ୍କା ସୃଷ୍ଟି ହୋଇଛି।
ସହରରେ ଲୋକ ସଂଖ୍ୟା ସହ ସମସ୍ୟା ବଢ଼ୁଥିବାରୁ ବିଏମ୍ସିକୁ ୩ ଜୋନ୍ରୁ ୬ ଜୋନ୍କୁ ବଢ଼ାଯିବା ପ୍ରସ୍ତାବକୁ ସରକାର ଅନୁମୋଦନ କରିଛନ୍ତି। ଏହି ଘୋଷଣାକୁ ଦେଢ଼ବର୍ଷ ପୂରିଛି। ୬ ଜୋନ୍ ହିସାବରେ ଅଫିସର ଆସୁଛନ୍ତି। ହେଲେ କର୍ମଚାରୀ ନାହାନ୍ତି କି ଘର ନାହିଁ। ଜୋନ୍ କାର୍ୟ୍ୟାଳୟରେ ଅଫିସରମାନେ ବସି ରହୁଛନ୍ତି। ସବୁଠାରୁ ବଡ଼କଥା ହେଉଛି ବିଏମ୍ସି ମୁଖ୍ୟାଳୟରେ ମଧ୍ୟ ଅଫିସରଙ୍କ ବସିବାକୁ ଜାଗା ନାହିଁ। ଗୋଟିଏ ଗୋଟିଏ ଚାମ୍ବରରେ ଦୁଇ ଜଣ ଅଫିସର ବସୁଛନ୍ତି। କୌତୁହଳପ୍ରଦ ହେଉଛି ତୃତୀୟ ମହଲାର ଗୋଟିଏ କୋଠରୀରେ ଜଣେ ମହିଳା ଓ ଜଣେ ପୁରୁଷ ଅଧିକାରୀ ବସୁଛନ୍ତି। ଏଣେ ଜଣେ ମହିଳା ଆଉଟ୍ସୋର୍ସିଂ କର୍ମଚାରୀଙ୍କୁ ଦ୍ବିତୀୟ ମହଲାରେ ଚାମ୍ବର ପ୍ରଦାନ କରାଯାଇଛି। ଯାହାକୁ ନେଇ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି।