ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟା ନୀତି ଓ ବସ୍ତ୍ରହରଣ ଲୀଳା
ପୁରୀ: ଭାଦ୍ରବ ଅମାବାସ୍ୟା ବା ସପ୍ତପୁରୀ ଅମାବାସ୍ୟା ଅବସରରେ ଶ୍ରୀମନ୍ଦିରରେ ବସ୍ତ୍ରହରଣ ଓ ଅନ୍ୟାନ୍ୟ ବିଶେଷ ନୀତି ପାରମ୍ପରିକ ବିଧିବିଧାନ ଅନୁଯାୟୀ ସଂପନ୍ନ ହୋଇଯାଇଛି । ଶ୍ରୀଜିଉମାନଙ୍କ ଅବକାଶ ନୀତି ଶେଷ ହେବା ପରେ ତିନି ବାଡ଼ରେ ଠାକୁରମାନଙ୍କୁ ବେଶ କରାଯାଇଥିଲା । ଏହି ବେଶରେ ଗୋପାଳ ବଲ୍ଲଭ ପୂଜା ସଂପନ୍ନ ହେବା ପରେ ଭିତରେ ପାଣି ପଡ଼ି ଟେରା ବନ୍ଧା ହୋଇ ସକାଳଧୂପ ସହ ସାତପୁରୀ ଭୋଗ ତାଟ ରୋଷରୁ ଘଣ୍ଟ, ଛତା, କାହାଳୀ ସହ ତଳିଚ୍ଛ ପ୍ର୍ରଧାନୀ ପଟୁଆରରେ ଛାମୁକୁ ଆସିଥିଲା । ମୁଦିରସ୍ତ ପ୍ରସାଦ ଲାଗି କରିଥିଲେ ଓ ପୂଜାପଣ୍ଡାଙ୍କ ଦ୍ୱାରା ଷୋଡ଼ଶ ଉପଚାରରେ ଭୋଗ ମଣୋହୀ କରାଯାଇଥିଲା । ଭିତରେ ଆଳତି ବଢ଼ିବା ପରେ ପୂଜାପଣ୍ଡା, ପତି ଓ ମୁଦିରସ୍ତ ତିନି ବାଡ଼ରେ ବନ୍ଦାପନା କରିଥିଲେ । ଏହା ପରେ ପାଣି ପଡ଼ି ଅମାବାସ୍ୟା ନାରାୟଣ ମୂର୍ତ୍ତି ଆଜ୍ଞାମାଳ ପାଇ ସାଗର ବିଜେ କରିଥିଲେ । ସନ୍ଧ୍ୟାଧୂପ ଶେଷ ହେବା ପରେ ମଦନମୋହନ ବଟପାଖରେ ଥିବା ନାଟପା ମନ୍ଦିର ଖଟ ଉପରେ ବିଜେ କରିଥିଲେ । ମଦନମୋହନଙ୍କ ଛାମୁରେ କାଳୀକାଦେବୀ ସାହିର ଲୋକମାନଙ୍କ ଦ୍ୱାରା ବସ୍ତ୍ରହରଣ ଲୀଳା କରାଯାଇଥିଲା । ଶୀତଳ ଭୋଗ ଓ ବନ୍ଦାପନା ପରେ ମଦନମୋହନ ଦକ୍ଷିଣ ଘରକୁ ବାହୁଡ଼ା ବିଜେ କରିଥିଲେ ।