ମଙ୍ଗଳବାର ଭୁବନେଶ୍ୱରରେ ୬ ଘଣ୍ଟିଆ ବନ୍ଦ
ଭୁବନେଶ୍ୱର: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାକୁ ନେଇ ଏବେ ରାଜ୍ୟ ରାଜନୀତି ଜୋର ଧରିଛି । ବିରୋଧୀ ବିଜେଡି ଓ କଂଗ୍ରେସ ଏହି ମାମଲାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ଏହାରି ଭିତରେ ପ୍ରମୁଖ ବିରୋଧୀ ଦଳ ବିଜୁ ଜନତା ଦଳ ପକ୍ଷରୁ ଭୁବନେଶ୍ୱର ବନ୍ଦ ଡାକରା ଦିଆଯାଇଛି । ଆସନ୍ତା ମଙ୍ଗଳବାର ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରା ଦେଇଛି ବିଜେଡି । ଏନେଇ ବିଜେଡି ନେତା ଦେବୀପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି ।
ଗତ ୧୫ ତାରିଖ ରାତିରେ ମେଜର ଓ ତାଙ୍କ ବାନ୍ଧବୀ ଯାଉଥିବା ବେଳେ ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ଗିରଫ ୭ ଅଭିଯୁକ୍ତ। ଏହାକୁ ନେଇ ଆରମ୍ଭ ହୋଇଥିଲା ମହାଭାରତ ।ଆର୍ମି ମେଜର୍ ଓ ବାନ୍ଧବୀଙ୍କୁ ନିର୍ୟାତନା ମାମଲାକୁ ନେଇ ସମଗ୍ର ରାଜ୍ୟ ଏବେ ହୁଲସ୍ଥୁଲ ହେଉଥିବା ବେଳେ ରାଜରାସ୍ତାକୁ ଓହ୍ଲାଉଛନ୍ତି ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଙ୍ଗଠନ । ଅଭିଯୁକ୍ତଙ୍କ ବିରୋଧରେ ସେମାନେ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ଦାବି କରୁଥିବା ବେଳେ ରାଜ୍ୟ ସରକାର କିନ୍ତୁ କେବଳ ଆଇଆଇସିଙ୍କ ସମେତ ୫ ପୁଲିସ୍ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି। ଭାରତୀୟ ସେନା ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରି ନିଜଆଡ଼ୁ ମାମଲା ରୁଜୁ ପାଇଁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖି ଅନୁରୋଧ କରିସାରିଛି । ଏହାସହିତ ପୁଲିସ ଡିଜିଙ୍କୁ ମଧ୍ୟ ଚିଠି ଲେଖି ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ଦାବି କରିଛି । ଜାତୀୟ ମହିଳା କମିଶନ ମଧ୍ୟ ପୁଲିସ ଡିଜିଙ୍କୁ ରିପୋର୍ଟ ମାଗିଛନ୍ତି ।