ଫିଟୁଛି ‘ମହାନଦୀ’ ସମାଧାନ ବାଟ

ଫିଟୁଛି ‘ମହାନଦୀ’ ସମାଧାନ ବାଟ

ମହାନଦୀ ବିବାଦର ଯବନିକା ପଡ଼ିବ  । ଆପୋଷ ଆଲୋଚନାରେ ସମାଧାନ କରିବାକୁ ଉଭୟ ରାଜ୍ୟ ଅଣ୍ଟା ଭିଡ଼ିଛନ୍ତି  । ମହାନଦୀ ଟ୍ରିବୁ୍ୟନାଲରେ ଓଡ଼ିଶା ଓ ଛଡ଼ିଶଗଡ଼ ଏନେଇ ପ୍ରତିଶ୍ରୁତି ଦେଇଥିବାବେଳେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ଆଗେଇଥିବା ଲକ୍ଷ୍ୟ କରାଯାଉଛି  । ଆଜି ଉଭୟ ରାଜ୍ୟର ମୁଖ୍ୟସଚିବ ଏନେଇ କଥା ହୋଇଥିବାବେଳେ ଡିସେମ୍ବରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାୟଙ୍କ ମଧ୍ୟରେ ଆଲୋଚନା ହେବବୋଲି ଜାଣିବାକୁ ମିଳିଛି  ।
ଉଭୟ ରାଜ୍ୟ ଆଲୋଚନା ମାଧ୍ୟମରେ ମହାନଦୀ ବିବାଦର ସମାଧାନ ପାଇଁ ଚାହୁଁଛନ୍ତି ବୋଲି ମୁଖ୍ୟସଚିବସ୍ତରୀୟ ଆଲୋଚନାରେ ମତ ପ୍ରକାଶ ପାଇଛି  । ସେପ୍ଟେମ୍ବରରେ ଉଭୟ ରାଜ୍ୟର ଇଆଇସିଙ୍କ ନେତୃତ୍ୱରେ ବୈଷୟିକ ଟିମ୍ ବିବାଦର ସମାଧାନ ପାଇଁ ବାଟ ବାହାର କରିବେ  । କ’ଣ କରାଗଲେ ଉଭୟ ରାଜ୍ୟର ସ୍ୱାର୍ଥ ରକ୍ଷା ହୋଇପାରିବ ସେନେଇ ଦୁଇ ରାଜ୍ୟର କମିଟି ଆଲୋଚନା କରିବେ  । ସେହିପରି ମହାନଦୀ ଜଳ ଆବଣ୍ଟନ ନେଇ ବି ଫଳପ୍ରଦ ବାଟ ବାହାରିବ  । ଅକ୍ଟୋବରରେ ଉଭୟ ରାଜ୍ୟର ମୁଖ୍ୟ ସଚିବ ଓ ଜଳସମ୍ପଦ ବିଭାଗର ସଚିବ ସମୀକ୍ଷା କରିବା ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି  ।
ଅପରପକ୍ଷରେ ଆସନ୍ତା ଡିସେମ୍ବରରେ ଉଭୟ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ  ମହାନଦୀ ବିବାଦର ସମାଧାନ ପାଇଁ ପ୍ରଶାସନିକସ୍ତରରେ କେତେ ବାଟ କାର୍ଯ୍ୟ ଆଗେଇଛି, ଉଭୟ ରାଜ୍ୟର ବୈଷୟିକ ଓ ପ୍ରଶାସନିକ ଟିମ୍ ପକ୍ଷରୁ କି କି ପ୍ରସ୍ତାବ ଆସିଛି, କ’ଣ କଲେ ଦୀର୍ଘମିଆଦୀ ଭାବେ ଏହି ବିବାଦର ସମାଧାନ ହେବା ସହ ଉଭୟ ରାଜ୍ୟର ସ୍ୱାର୍ଥ ରକ୍ଷା ହୋଇପାରିବ ଆଦି ବିଭିନ୍ନ ଦିଗ ଉପରେ ଆଲୋଚନା କରିବେ ବୋଲି ଜାଣିବାକୁ ମିଳିଛି  ।