ବ୍ଳକ ଅଧ୍ୟକ୍ଷଙ୍କ କ୍ଷମତା ହ୍ରାସ ପ୍ରସଙ୍ଗ : ଆବଶ୍ୟକ ହେଲେ ସୁପ୍ରିମକୋର୍ଟ ଯିବ ବିଜେଡ଼ି : ନବୀନ

ନବୀନଙ୍କୁ ଭେଟିଲେ ୫୦ ବ୍ଳକ ଅଧ୍ୟକ୍ଷ
ଭୁବନେଶ୍ୱର : ରାଜ୍ୟର ପ୍ରାୟ ପଚାଶରୁ ଅଧିକ ପଞ୍ଚାୟତ ସମିତିର ଅଧ୍ୟକ୍ଷମାନେ ଆଜି ନବୀନ ନିବାସ ଠାରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି । ପଞ୍ଚାୟତର ନିର୍ବାଚିତ ପ୍ରତିନଧିମାନଙ୍କ ପ୍ରଶାସନିକ ଓ ଆର୍ଥିକ କ୍ଷମତା ସଂକୋଚନ ପାଇଁ ରାଜ୍ୟ ସରକାରଙ୍କ ଅଗଣତାନ୍ତ୍ରିକ ନିଷ୍ପତ୍ତି ବିରୁଦ୍ଧରେ ସେମାନେ ନବୀନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ନବୀନ ଏହି ଅଗଣତାନ୍ତ୍ରିକ ନିଷ୍ପତ୍ତିକୁ ନିନ୍ଦା କରିଥିଲେ । ପଞ୍ଚାୟତର ନିର୍ବାଚିତ ପ୍ରତିନିଧିଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ବିଜେଡିର ଲଢେଇ ଜାରି ରହିବ ବୋଲି ଶ୍ରୀ ପଟ୍ଟନାୟକ ଘୋଷଣା କରିଥିଲେ । ବର୍ତ୍ତମାନ ଏ ବିଷୟ ହାଇକୋର୍ଟଙ୍କ ବିଚାରାଧୀନ ଥିବାବେଳେ ଆବଶ୍ୟକ ପଡିଲେ ବିଜେଡି ସୁପ୍ରିମ୍କୋର୍ଟ ଯିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରତିନିଧି ଦଳଙ୍କୁ କହିଥିଲେ । ଏହି ଆଲୋଚନା ସମୟରେ ବିଧାୟକ ସାରଦା ଜେନା, ନବକିଶୋର ମଲ୍ଲିକ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ବିଧାୟକ ଉମା ସାମନ୍ତରାୟ, ପ୍ରଶାନ୍ତ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ ।