ଏକାଠି ହେବେ ବିଜେଡ଼ି ଓ କଂଗ୍ରେସ

Naveen Patanaik, Odisha

ଏକାଠି ହେବେ ବିଜେଡ଼ି ଓ କଂଗ୍ରେସ

ଭୁବନେଶ୍ୱର : ଏକଦା ରାଜ୍ୟର ଏକ ନମ୍ବର ଦଳ ବିଜେଡ଼ି ଏବେ ବ୍ୟାକ୍‌ଫୁଟରେ ରହିଛି  । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ କାନ୍ଧେଇ ବିଜେପି ରାଜ୍ୟରେ କାୟା ବିସ୍ତାର କରୁଛି  । ଅପରପକ୍ଷରେ କଂଗ୍ରେସ ଯଥା ପୂର୍ବଂ ତଥା ପରଂ ଭଳି ଅସହାୟ ଅବସ୍ଥାରେ ଭବିଷ୍ୟତ ଖୋଜିବାରେ ଲାଗିଛି  । ଆଜିକା ଦିନରେ ମୋଟାମୋଟି ଭାବେ ରାଜ୍ୟ ରାଜନୀତିର ଚିତ୍ର ଏଇଆ  । 

ଆଉ ଟିକେ ଫେଣାଇଲେ ଯେଉଁ ନିର୍ଯ୍ୟାସ ଟିକକ ବାହାରିବ ତାହା ହେଉଛି, ବିଜେଡ଼ିରେ ନବୀନଙ୍କ ଶାସନର ଛାଟ ହୁଗୁଳି ହୁଗୁଳି ଚାଲିଛି  । କଂଗ୍ରେସ ଭଳି ଗୋଷ୍ଠୀକନ୍ଦଳରେ ବିଜେଡ଼ି ବି ଆକ୍ତାମାକ୍ତା ହୋଇଗଲାଣି  । ଯାହାକୁ ନେଇ ନବୀନ ଚିନ୍ତାରେ ପଡ଼ିଯାଇଛନ୍ତି  । ତେବେ ୨୦୨୯ରେ କ୍ଷମତା ପାଇଁ ବିଜେଡ଼ି ଏବେ ନିଜ ଦମ ଉପରେ ଯେତିକି ଭରସା କରୁଛି, ତାହାଠୁ ଅଧିକ ଭରସା ମେଣ୍ଟ ଉପରେ ହିଁ ରଖିଛି  । ଅତଏବ ଆଗାମୀ ନିର୍ବାଚନରେ ବିଜେଡି-କଂଗ୍ରେସ ମେଣ୍ଟ ହେବା ନେଇ ରାଜନୀତିକ ଅଳିନ୍ଦରେ ଚର୍ଚ୍ଚା ହେଉଛି  ।

ରାଜ୍ୟରେ ବଢୁଛି ବିଜେପି : ନୂଆ ସରକାର ଆସିବା ପରେ ଏବେ ପ୍ରଶାସନକୁ ଗୁରୁତ୍ୱ ଦିଆଯାଉଛି  । ଠିକ୍‌ ବର୍ଷକ ପରେ ବିଜେପି ସଂଗଠନକୁ ଗୁରୁତ୍ୱ ଦେବ ବୋଲି ଜାଣିବାକୁ ମିଳିଛି  । ନରେନ୍ଦ୍ର ମୋଦି, ଅମିତ ଶାହା, ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ରାଜ୍ୟରେ ବିଜେପିର ଶକ୍ତି ବୃଦ୍ଧି କରିବାକୁ ଲାଗିପଡ଼ିବେ  । ନୂଆ ଜିଲ୍ଲା ସଭାପତିମାନେ ନୂତନ ଢଙ୍ଗରେ ସଂଗଠନ ଆରମ୍ଭ କରିଦେବେ  । ଦଳର ବିଧାୟକ, ସାଂସଦ, ମନ୍ତ୍ରୀମାନଙ୍କୁ ବି ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି  । ବିଜେଡ଼ିର ପଞ୍ଚାୟତସ୍ତରୀୟ ନେତାମାନେ ବି ଏବେ ଗୋଡ଼ ଟେକି ବିଜେପିକୁ ଯିବା ପାଇଁ ସଜବାଜ ହେଉଛନ୍ତି  । ଏସବୁକୁ ଅନୁଶୀଳନ କଲେ ବିଜେଡ଼ି ପଞ୍ଚାୟତ ନିର୍ବାଚନରେ କେତେ ସଫଳତା ପାଇବ ତାହାକୁ ନେଇ ଆଶଙ୍କା ସୃଷ୍ଟି ହେବା ସ୍ୱାଭାବିକ  ।

ବିଜେପିକୁ ଚେକ୍‌ ଦେଉଛି ଇଣ୍ଡି ମେଣ୍ଟ : ନୂତନ ଭାବେ ଇଣ୍ଡି ମେଣ୍ଟ ଗଠନ ବେଳେ ଏହା କେତେ ସଫଳତା ପାଇବ ତାହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା  । କିନ୍ତୁ କେତେକ ରାଜ୍ୟରେ କଂଗ୍ରେସ ଓ ଅନ୍ୟ ବିଜେପି ବିରୋଧୀ ଦଳ ଏକାଠି ହୋଇ ଲଢ଼ିବା ଫଳରେ ସଫଳତା ପାଇଛନ୍ତି  । ଉତ୍ତରପ୍ରଦେଶ ହେଉଛି ଏହାର ଏକ ଜ୍ୱଳନ୍ତ ଉଦାହରଣ  । ମହାରାଷ୍ଟ୍ରରେ ବି ଇଣ୍ଡି ମେଣ୍ଟ ସଫଳତା ସାଉଁଟି ପାରିଛି  । ଆଗାମୀ ଦିନରେ ଅନେକ ରାଜ୍ୟରେ ବି ରାଜନୈତିକ ଦଳଗୁଡ଼ିକ ପୂର୍ବ ତିକ୍ତତା ଭୁଲି ବିଜେପିକୁ ଚେକ୍‌ ଦେବା ପାଇଁ ଏକାଠି ହୋଇଛନ୍ତି  । ତେଣୁ ଓଡ଼ିଶାରେ ବି ଇଣ୍ଡି ମେଣ୍ଟ ଫର୍ମୁଲା କାର୍ଯ୍ୟକାରୀ ହେବାର ସମ୍ଭାବନା ରହିଛି  ।