ଲାଞ୍ଚ ନେଇ ଧରାପଡ଼ିଲେ ବାରିପଦା ପୌରପରିଷଦର ବରିଷ୍ଠ କିରାଣି
ବାରିପଦା ପୌରପରିଷଦ ଏଷ୍ଟାବ୍ଲିସମେଣ୍ଟ ବିଭାଗର ବରିଷ୍ଠ କିରାଣି ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । କିରାଣି ଜଣକ ହେଲେ ଗୋପାଳକୃଷ୍ଣ ପ୍ରଧାନ। ପିତାଙ୍କ ନାମରେ ଥିବା ଦୋକାନ ଘରକୁ ପୁଅ ନାମରେ ମାଲିକାନାସତ୍ତ୍ବ ପରିବର୍ତ୍ତନ କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଗୋପାଳକୃଷ୍ଣ ପ୍ରଧାନଙ୍କୁ ମାଡ଼ିବସିଥିଲା ।
ସୂଚନା ଅନୁଯାୟୀ, ବାରିପଦା ପୁରୁଣା ହାଟସାହିର ମହମ୍ମଦ ଜାଭିରଙ୍କ ପିତାଙ୍କ ମୃତ୍ୟୁ ପରେ ମ୍ୟୁନସିପାଲିଟିର ଦୋକାନ ଗୃହକୁ ନିଜ ନାମରେ କରିବା ପାଇଁ କିରାଣିଙ୍କ ନିକଟରେ ବାରମ୍ବାର ଆବେଦନ କରିଥିଲେ । ଦୁଇ ବର୍ଷ ଧରି କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ମଧ୍ୟ ନିଜ ନାମକୁ କରିପାରୁନଥିଲେ । ଏନେଇ କିରାଣି ଗୋପାଳକୃଷ୍ଣ ପ୍ରଧାନ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ମହମ୍ମଦ ଜାଭିର ଅସହାୟ ହୋଇ ବାରିପଦା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ବାରିପଦା ଭିଜିଲାନ୍ସ ବିଭାଗର ୟୁନ୍ଟ ଇନଚାର୍ଜ ବିକାଶ ସ୍ବାଇଁ ପୂର୍ବ ପ୍ରସ୍ତୁତି ଓ ଯୋଜନାକୁ ନେଇ ମ୍ୟୁନସିପାଲିଟି କାର୍ଯ୍ୟାଳୟରେ ଗୋପାଳକୃଷ୍ଣ ପ୍ରଧାନ ଲାଞ୍ଚ ନେଉଥିବା ସମୟରେ ବାରିପଦା ଭିଜିଲାନ୍ସ ବିଭାଗ ମାଡ଼ିବସିଥିଲା । ତାଙ୍କ ନିକଟରୁ କେମିକାଲ ବୋଳା ସମସ୍ତ ୧୦ହଜାର ଲାଞ୍ଚ ଟଙ୍କାକୁ ଜବତ କରିଛି ଭିଜିଲାନ୍ସ । ଏହାପରେ ନିଜସ୍ବ ବାସଗୃହ, କାର୍ଯ୍ୟାଳୟ ସମେତ ବଭିନ୍ନ ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ ପ୍ରକ୍ରିୟା ଜାରି ରହିଛି।