ଶ୍ରମମନ୍ତ୍ରୀ ଓ ସଚିବସ୍ତରୀୟ ଜାତୀୟ ସମ୍ମିଳନୀ ଉଦ୍ୟାପିତ : ଶ୍ରମିକଙ୍କ ସ୍ଥାୟୀ ସାମାଜିକ ସୁରକ୍ଷା ମଡେଲ୍କୁ ଗୁରୁତ୍ୱ
ନୂଆଦିଲ୍ଲୀ: ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଶ୍ରମମନ୍ତ୍ରୀ ଓ ଶ୍ରମ ସଚିବଙ୍କୁ ନେଇ ନୂଆଦିଲ୍ଲୀ ଠାରେ ଚାଲିଥିବା ଦୁଇ ଦିନିଆ କର୍ମଶାଳା ଆଜି ଉଦ୍ୟାପିତ ହୋଇଛି । କେନ୍ଦ୍ର ଶ୍ରମ ଓ ନିଯୁକ୍ତି ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ଶ୍ରମ ଓ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ, ବିଭିନ୍ନ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳର ଶ୍ରମମନ୍ତ୍ରୀ, ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ସଚିବ ସୁମିତା ଦାୱରା ଏବଂ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
କେନ୍ଦ୍ରମନ୍ତ୍ରୀ ତାଙ୍କ ଅଭିଭାଷଣରେ ସମସ୍ତ ଅଂଶୀଦାରଙ୍କ ପାଇଁ ଏକ ବ୍ୟାପକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଥିଲେ । ସଂଗଠିତ ଏବଂ ଅଣ ସଂଗଠିତ ଶ୍ରମିକଙ୍କ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ସଂସ୍କାର ଏବଂ ପଦକ୍ଷେପ ଗ୍ରହଣ କରିବା ପାଇଁ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କ ସହ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ଏହା ଜାରି ରହିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ୫ଟି ଲେଖାଏଁ ରାଜ୍ୟକୁ ନେଇ ୩ଟି କମିଟି ଗଠନ କରାଯାଇଥିବା ବେଳେ ଏହି କମିଟିଗୁଡ଼ିକ ଶ୍ରମିକଙ୍କ ପାଇଁ ବ୍ୟାପକ ସାମାଜିକ ସୁରକ୍ଷା କଭରେଜ୍ ସହିତ ଏକ ସ୍ଥାୟୀ ମଡେଲ୍ ପ୍ରସ୍ତୁତ କରିବେ । ଯାହା ମାର୍ଚ୍ଚ ୨୦୨୫ରେ ଉପସ୍ଥାପିତ ହେବ ବୋଲି ମତ ପ୍ରକାଶ ପାଇଥିଲା । ସେହିପରି ପେନସନ, ସ୍ୱାସ୍ଥ୍ୟସେବା, ଜୀବନ ଓ ଦୁର୍ଘଟଣା ବୀମା ଇତ୍ୟାଦି ପ୍ରଦାନ କରୁଥିବା ବ୍ୟାପକ ଏବଂ ସ୍ଥାୟୀ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା ।
ଦ୍ୱିତୀୟ ଦିନର ଏଜେଣ୍ଡା ଥିଲା ଚୁକ୍ତିଭିତ୍ତିକ ଶ୍ରମିକଙ୍କ କଲ୍ୟାଣ ଏବଂ ନିରୀକ୍ଷକରୁ ନିରୀକ୍ଷକ-ତଥା-ସୁବିଧା ପ୍ରଦାନକାରୀରେ ରୂପାନ୍ତରିତ କରିବା । ଅଣସଂଗଠିତ ଶ୍ରମିକମାନଙ୍କୁ ଇ-ଶ୍ରମ ପୋର୍ଟାଲରେ ଅନ୍ତର୍ଭୁକ୍ତ କରିବାଦିଗରେ ହୋଇଥିବା ଅଗ୍ରଗତି ଶେଷ ବିନ୍ଦୁ ପର୍ଯ୍ୟନ୍ତ ଏହି ଶ୍ରମିକମାନଙ୍କୁ ସୁବିଧା ପ୍ରଦାନକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ପ୍ରୟାସକୁ ପ୍ରମାଣିତ କରିଛି । ବର୍ତ୍ତମାନ ସୁଦ୍ଧା ୩୦ କୋଟିରୁ ଅଧିକ ଅଣସଂଗଠିତ ଶ୍ରମିକ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି । ଶ୍ରମ ଓ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ ତାଙ୍କ ସମାପନୀ ଭାଷଣରେ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବା ଦିଗରେ ଭାରତର କାର୍ଯ୍ୟବଳର ଗୁରୁତ୍ୱପୂର୍ଣ୍ଣ ଅବଦାନ ଉପରେ ଆଲୋକପାତ କରିଥିଲେ ।