କଟକରେ ରାଜ୍ୟସ୍ତରୀୟ ଖଦି ଓ ପିଏମଇଜିପିର ମିଳିତ ପ୍ରଦର୍ଶନୀ: ୨୨୭୭ ବୁଣାକାରଙ୍କ ପାଇଁ ନୂଆ ସୁଯୋଗ
ଭୁବନେଶ୍ୱର: ଭାରତ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଖଦି ଓ ଗ୍ରାମୋଦ୍ୟୋଗ କମିଶନ (କେଭିଆଇସି)ଙ୍କ ପକ୍ଷରୁ ଗ୍ରାମୋଦ୍ୟୋଗ ବିକାଶ ଯୋଜନା (ଜିଭିୱାଇ) ଅଧୀନରେ ହିତାଧିକାରୀଙ୍କୁ ଯନ୍ତ୍ରାଂଶ ଓ ଟୁଲ୍ କିଟ୍ ବଣ୍ଟନ କରାଯାଇଛି । କଟକ ସ୍ଥିତ ଜବାହରଲାଲ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ଏକ ବିଶେଷ କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ଯନ୍ତ୍ରାଂଶ ଓ ଟୁଲକିଟ ବଣ୍ଟନ କରାଯାଇଥିଲା । କେଭିଆଇସି ଅଧ୍ୟକ୍ଷ ମନୋଜ କୁମାର ୧୩୬ଟି ଇଲେକ୍ଟ୍ରିକ ମାଟିର ଚକା, ୫୦ଟି ମହୁ ବାକ୍ସ, ୪୦ଟି ତାଳ ଗୁଡ ପ୍ରସ୍ତୁତ ମେସିନ, ୮ଟି କାଗଜ ଥାଳି ପ୍ରସ୍ତୁତ ମେସିନ, ଗୋଟିଏ ମସଲା ପ୍ରସ୍ତୁତ ୟୁନିଟ, ଗୋଟିଏ ହାଇଡ୍ରା ମେସିନ, ଗୋଟିଏ ସବାଇ ଘାସ ମେସିନ ବିତରଣ କରିଥିଲେ । ନିଜ କାମକୁ ସରଳ ଓ ସହଜ କରିବା ସହ ଆତ୍ମ ନିର୍ଭର ଭାରତ ସୃଷ୍ଟି କରିବାକୁ ଏହି ଯନ୍ତ୍ରପାତି ବିଶେଷ ସହାୟକ ହେବ ବୋଲି ସେ କୁହାଯାଇଛି । ସେହିପରି ସ୍ଥାନୀୟ ଖ୍ରୀଷ୍ଟିୟାନ ପଡିଆରେ ରାଜ୍ୟସ୍ତରୀୟ ଖଦି ଓ ପିଏମଇଜିପି ପ୍ରଦର୍ଶନୀ ଉଦ୍ଘାଟିତ ହୋଇଛି । କାର୍ଯ୍ୟକ୍ରମରେ କେଭିଆଇସି ଅଧ୍ୟକ୍ଷ ମନୋଜ କୁମାର, ସ୍ଥାନୀୟ ସାଂସଦ ଭର୍ତ୍ତୃହରି ମହତାବ, କେଭିଆଇସି ପୂର୍ବାଞ୍ଚଳ ସଦସ୍ୟ ମନୋଜ ସିଂ, ଜିଲ୍ଲାପାଳ ଦତାତ୍ରେୟ ଭାଉ ସାହେବ ସିନେ୍ଦ, ଭୁବନେଶ୍ୱର ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ସଚିବ ସଞ୍ଜୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ସାଂସଦ ଭର୍ତୃହରି ମହତାବ କହିଥିଲେ ଯେ, ମହାତ୍ମା ଗାନ୍ଧୀଙ୍କର ଆଦର୍ଶକୁ ଏହି ଖଦି ପ୍ରତିଫଳିତ କରୁଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଖଦି ଓ ଗ୍ରାମୋଦ୍ୟୋଗକୁ ଅଭୂତପୂର୍ବ ସଫଳତା ମିଳିଛି । ଆତ୍ମ ନିର୍ଭର ଭାରତ ଅଭିଯାନରେ ପାଦେ ଆଗକୁ ଯାଇ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରିବା ପାଇଁ ଏହି ପ୍ରଦର୍ଶନୀ ଯଥେଷ୍ଟ ଖୋରାକ ଯୋଗାଇବ । କେଭିଆଇସି ପୂର୍ବାଞ୍ଚଳ ଜୋନ ସଦସ୍ୟ ମନୋଜ କୁମାର ସିଂ କହିଛନ୍ତି ଯେ, ଓଡିଶାରେ ପ୍ରାୟ ୮୮ଟି କ୍ରିୟାଶୀଳ ଖଦି ଅନୁଷ୍ଠାନ ରହିଛି । ଗତ ୫ବର୍ଷ ଭିତରେ ୮୬.୫୮ କୋଟି ଟଙ୍କାର ଉତ୍ପାଦ ପ୍ରସ୍ତୁତ କରାଯାଇ ୯୪.୪୦ କୋଟି ଟଙ୍କାର ବ୍ୟବସାୟ କରାଯାଇଛି । ଫଳରେ ପ୍ରାୟ ୨,୨୭୭ ବୁଣାକାର ନିଯୁକ୍ତି ସୁଯୋଗ ହାତେଇଥିବା ସେ କହିଛନ୍ତି । ଏହାଛଡା ପିଏମଇଜିପି ଅଧୀନରେ ଗତ ୫ ବର୍ଷ ଭିତରେ ୧୭,୦୫୦ ନୂଆ ଶିଳ୍ପ ପ୍ରତିଷ୍ଠା କରାଯାଇ ୧,୪୩,୧୦୯ଟି ଚାକିରି ସୁଯୋଗ ସୃଷ୍ଟି କରାଯାଇ ପାରିଛି ବୋଲି ମତବ୍ୟକ୍ତ କରିଥିଲେ ।
ରାଜ୍ୟସ୍ତରୀୟ ଖଦି ଓ ପିଏମଇଜିପିର ମିଳିତ ପ୍ରଦର୍ଶନୀରେ ପ୍ରାୟ ୫୦ଟି ଖଦି ଷ୍ଟଲ, ୫୦ଟି ପିଏମଇଜିପି ଷ୍ଟଲ୍ ସମେତ ଖଦି ଅନୁଷ୍ଠାନର ବିଭିନ୍ନ ଉତ୍ପାଦ, ଗ୍ରାମ୍ୟ ଶିଳ୍ପ ୟୁନିଟ, ପିଏମଇଜିପି, ଆରଇଜିପି, ଏସଏଫୟୁଆରଟି ଯୋଜନାର ବିଭିନ୍ନ ୟୁନିଟ୍ ମଧ୍ୟ ପଡିଛି । ହସ୍ତତନ୍ତ, ଖଦି ବୁଣା, ମାଟିପାତ୍ର ତିଆରି, ହାତ ତିଆରି କାଗଜ ଶିଳ୍ପ ପରି ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ପ୍ରଦର୍ଶିତ ହେଉଛି । ସାଧାରଣ ଲୋକଙ୍କ ପାଇଁ ଏହି ପ୍ରଦର୍ଶନୀ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ପ୍ରଦର୍ଶନୀ ଦ୍ୱାରା ସ୍ଥାନୀୟ କାରିଗରଙ୍କ ପାଇଁ ଉପଯୁକ୍ତ ବଜାର ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି ।