ହେଉନି ପର୍ଯ୍ୟଟନ ସ୍ଥଳର ବିକାଶ
ବାଲେଶ୍ୱର: ଓଡିଶାରେ ପର୍ଯ୍ୟଟନ କ୍ଷେତ୍ରର ଅଭିବୃଦ୍ଧି ନେଇ ବଡ ବଡ ଘୋଷଣା କରାଯାଉଥିଲେ ବି ବାସ୍ତବ କ୍ଷେତ୍ରରେ କିନ୍ତୁ ଚିତ୍ର ଭିନ୍ନ । ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ଉନ୍ନତି ପାଇଁ ଘୋଷଣା ପରେ ଅର୍ଥ ମଞ୍ଜୁର ସତ୍ତ୍ୱେ ଅନୁଦାନ ଖର୍ଚ୍ଚ ହୋଇନପାରିବା ଭଳି ସଂଖ୍ୟାଧିକ ଉଦାହରଣ ରହିଛି । ଏ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ ପାଇଁ ବିଧାନସଭାରେ ସଦର ବିଧାୟକ ମାନସ କୁମାର ଦତ୍ତ ପର୍ଯ୍ୟଟନ ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କୁ ନିବେଦନ କରିଥିଲେ । ଏହା ସହିତ ଚଳିତ ଆର୍ଥିକ ବର୍ଷରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳର ଉନ୍ନତି ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଦିଗରେ ବିଭାଗ ପକ୍ଷରୁ ଯୋଜନାଭୁକ୍ତ ପ୍ରକଳ୍ପ ଓ ଅର୍ଥ ଅନୁଦାନର ବିବରଣୀ ପ୍ରଦାନ ନିମିତ୍ତ ଅନୁରୋଧ ଜଣାଇଥିଲେ । ସେହିପରି ବାଲେଶ୍ୱର ଜିଲ୍ଲାରେ ଅର୍ଥ ମଞ୍ଜୁର ପରେ ବି ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରକଳ୍ପଗୁଡିକରେ କାର୍ଯ୍ୟ ଆରମ୍ଭ ନ ହେବା କାରଣ ସହିତ ଚଳିତ ଆର୍ଥôକ ବର୍ଷରେ ଜିଲ୍ଲା ପାଇଁ ବିଭାଗର କାର୍ଯ୍ୟ ଯୋଜନା ଓ ଅନୁଦାନର ସ୍ଥିତି ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଉପସ୍ଥାପନ ନିମନ୍ତେ ନିବେଦନ କରିଥିଲେ । ବିଧାୟକ ଶ୍ରୀ ଦତ୍ତଙ୍କ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଜଣାଇଥିଲେ ଯେ, ଓଡିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ଭିତ୍ତିଭୂମୀ ବିକାଶ ନିମନ୍ତେ ମଞ୍ଜୁର ୮୧୪.୯୬ କୋଟି ଟଙ୍କା ଖର୍ଚ୍ଚ ହୋଇପାରିନାହିଁ । ମୁଖ୍ୟତଃ ୨୦୨୩-୨୪ ଓ ୨୦୨୪-୨୫ ଆର୍ଥôକ ବର୍ଷରେ ବିଭିନ୍ନ ପ୍ରକଳ୍ପ ପାଇଁ ଏହି ଅର୍ଥ ମଞ୍ଜୁର ହୋଇଥିଲା । ଚଳିତ ବର୍ଷ ସମଗ୍ର ରାଜ୍ୟରେ ୧୧୫ଟି ପ୍ରକଳ୍ପ ପାଇଁ ମୋଟ ୩୩୫.୩୮ କୋଟି ଟଙ୍କା ମଞ୍ଜୁର କରାଯାଇଛି । ସେହିପରି ବାଲେଶ୍ୱର ଜିଲ୍ଲାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଅଦ୍ୟାବଧି ୧୭.୩୪କୋଟି ଟଙ୍କା ଅନୁମୋଦିତ ଅର୍ଥ ଖର୍ଚ୍ଚ ହୋଇପାରିନାହିଁ । ଏଥିରେ ୫୯.୧୯ଲକ୍ଷ ଟଙ୍କାର କ୍ଷୀରଚୋରା ଗୋପୀନାଥ ମନ୍ଦିରର ସ୍ୱାଗତ ତୋରଣ, ୧କୋଟି ୨୨ଲକ୍ଷ ଟଙ୍କାର ସୋରର ସିନ୍ଧୁଆ ଡ୍ୟାମ ପର୍ଯ୍ୟଟନସ୍ଥଳୀର ବିକାଶ, ୩୦.୨୮ଲକ୍ଷ ଟଙ୍କାରେ ମଣିନାଗେଶ୍ୱର ମନ୍ଦିର ଓ ପୋଖରୀର ଉନ୍ନତି, ୭୫ଲକ୍ଷ ଟଙ୍କାରେ ଇଂଚୁଡି ଲବଣ ସତ୍ୟାଗ୍ରହ ପୀଠର ଉନ୍ନତି, ୧କୋଟି ୪୨ଲକ୍ଷ ଟଙ୍କାରେ ଡଗରା ବେଳାଭୂମୀର ଉନ୍ନତି, ୨୫ଲକ୍ଷ ଟଙ୍କାରେ ସିମୁଳିଆ ଅଣ୍ଡେରେଇ ସ୍ଥିତ ଜଗନ୍ନାଥ ମନ୍ଦିରର ପାରିପାର୍ଶ୍ୱିକ ଉନ୍ନତି, ୨୫ଲକ୍ଷ ଟଙ୍କାରେ ସିମୁଳିଆ ବିରଂଚିପୁର ଗୁରୁଦ୍ୱାରାର ପାରିପାଶ୍ୱିର୍କ ଉନ୍ନତି,୨.୨୦କୋଟି ଟଙ୍କାରେ ତାଳସାରି ଓ ଚନ୍ଦନେଶ୍ୱର ଠାରେ ମାର୍କେଟ କମ୍ପେକ୍ସ ନିର୍ମାଣ, ୨୪.୧୪ ଲକ୍ଷ ଟଙ୍କାରେ ଚାନ୍ଦିପୁର ବେଳାଭୂମୀରେ ଦିବ୍ୟାଙ୍ଗଙ୍କ ପାଇଁ ସୁବିଧା, ଏକ କୋଟି ଟଙ୍କାରେ ବାଲେଶ୍ୱର ସହରର ବାଲିଘାଟର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ, ୨କୋଟି ୭ଲକ୍ଷ ଟଙ୍କାରେ କଷାଫଳ ବେଳାଭୂମୀର ବିକାଶ, ୩୫ଲକ୍ଷ ଟଙ୍କାରେ ଶିଖରପୁର, ୧୫.୬୦ଲକ୍ଷ ଟଙ୍କାର ରାଣୀ ସାଗର, ୩୪.୮୦ଲକ୍ଷ ଟଙ୍କାରେ ଦିପିପୁର ପ୍ରଭୃତି ପିକନିକ ସ୍ପଟ୍ର ବିକାଶ, ୨୯.୪୦ଲକ୍ଷ ଟଙ୍କାର କବି ଦୀନକୃଷ୍ଣ ପୀଠର ବିକାଶ, ଏକ କୋଟି ଟଙ୍କାରେ ସନ୍ତରାଗଡିଆରୁ ପଂଚଲିଙ୍ଗେଶ୍ୱର ରାସ୍ତା ନିର୍ମାଣ, ୨୦ଲକ୍ଷ ଟଙ୍କାରେ ମା ଭୂଦାରଚଣ୍ଡୀ ମନ୍ଦିରର ଉନ୍ନତି, ୨ କୋଟି ଟଙ୍କାରେ ଚାନ୍ଦିପୁର ବେଳାଭୂମୀର ଉନ୍ନତି, ୨୦ଲକ୍ଷ ଟଙ୍କାରେ ଅଯୋଧ୍ୟା ମରିଚି ମନ୍ଦିର ଓ ମୁ୍ୟଜିୟମର ଉନ୍ନତି, ଏକ କୋଟି ୫୦ଲକ୍ଷ ଟଙ୍କାରେ କ୍ଷୀରଚୋରା ମନ୍ଦିରର ଉନ୍ନତି, ଏକ କୋଟି ଟଙ୍କାରେ ବାଘାଯତୀନ ସ୍ମୃତି ପୀଠରେ ଉନ୍ନତି ପ୍ରଭୃତିର କାର୍ଯ୍ୟ ବିଭିନ୍ନ କାରଣ ପାଇଁ ଆରମ୍ଭ ହୋଇ ପାରିନାହିଁ । ଅନୁରୂପ ଭାବେ ଚଳିତ ଆର୍ଥôକ ବର୍ଷରେ ଏକ କୋଟି ଟଙ୍କା ଖର୍ଚ୍ଚ ଅଟକଳରେ ସନ୍ତରା ଗଡିଆରୁ ପଞ୍ଚଲିଙ୍ଗେଶ୍ୱର ରାସ୍ତା, ମା’ଭୂଦାରଚଣ୍ଡୀ ମନ୍ଦିରର ମରାମତି ପାଇଁ ୨୦ଲକ୍ଷ ଟଙ୍କା, ଚାନ୍ଦିପୁର ବେଳାଭୂମୀର ଉନ୍ନତି ପାଇଁ ୨କୋଟି ଟଙ୍କା, ଅଯୋଧ୍ୟା ମରିଚି ମନ୍ଦିରର ଉନ୍ନତି ପାଇଁ ୨୦ଲକ୍ଷ ଟଙ୍କା, କ୍ଷୀରଚୋରା ମନ୍ଦିରର ଉନ୍ନତି ପାଇଁ ଏକ କୋଟି ୫୦ଲକ୍ଷ ଟଙ୍କା, ବାଘାଯତୀନ ସ୍ମୃତି ପୀଠରେ ଉନ୍ନତି ପାଇଁ ଏକ କୋଟି ଟଙ୍କା, ଇଂଚୁଡି ଲବଣ ସତ୍ୟାଗ୍ରହ ପୀଠର ଉନ୍ନତି ପାଇଁ ୫୦ଲକ୍ଷ ଟଙ୍କା ପ୍ରଭୃତିକୁ ମିଶାଇ ମୋଟ ୬କୋଟି ୪୦ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ସୂଚନା ଦେଇଛନ୍ତି ।