ଆଧୁନିକ ଗ୍ରାମ ହେବ ଖିଣ୍ଡା: ଧର୍ମେନ୍ଦ୍ର
ସମ୍ବଲପୁର/ଭୁବନେଶ୍ୱର : ଆଜି ଓଡ଼ିଶା ମାଟିର ଗୌରବ ବୀର ସୁରେନ୍ଦ୍ର ସାଏଙ୍କ ୨୧୬ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ତାଙ୍କ ଜନ୍ମସ୍ଥାନ ସମ୍ବଲପୁର ଖିଣ୍ଡାରେ ଆୟୋଜିତ ‘ତ୍ରିରଙ୍ଗା ପଦଯାତ୍ରା’ରେ ସାଧାରଣ ଜନତା ଓ କାର୍ଯ୍ୟକର୍ତ୍ତାଙ୍କ ସହ ସାମିଲ ହୋଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖିଣ୍ଡାଠାରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ସେ କହିଥିଲେ କି, ପବିତ୍ର ଖିଣ୍ଡା ମାଟି ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ପାଇଁ ଗର୍ବିତ । ତାଙ୍କ ପରି ଅଦ୍ୱିତୀୟ ନେତୃତ୍ୱଙ୍କ ତ୍ୟାଗ ଓ ବଳିଦାନକୁ ସମ୍ମାନ ଦେବା ପାଇଁ ଖିଣ୍ଡା ଗ୍ରାମକୁ ଭାରତ ସରକାର, ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ସହଯୋଗରେ ଆଦର୍ଶ, ସମର୍ପଣ ଓ ପ୍ରେରଣାର ତୀର୍ଥସ୍ଥଳ କରାଯିବ । ସାମୂହିକ ଉଦ୍ୟମରେ ଖିଣ୍ଡା ଗ୍ରାମକୁ ଆଧୁନିକ ଗ୍ରାମ କରିବା ପାଇଁ ଯୋଜନା କରାଯିବ । ଏହି ଅବସରରେ ଶ୍ରୀ ପ୍ରଧାନ ଆହୁରି କହିଥିଲେ ଯେ, ଦେଶକୁ ସ୍ୱାଧୀନତା ଦେବାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଅବଦାନ ଅତୁଳନୀୟ । ଆଜି ଭଳି ପବିତ୍ର ଦିନରେ ମହାପୁରୁଷ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟିକୁ ଆସି ନିଜକୁ ସୌଭାଗ୍ୟଶାଳୀ ମନେ କରୁଛି । ଏହି ଅଞ୍ଚଳର ଚାଷୀ ଯଦୁମଣି ସାହୁ ତାଙ୍କ ଚାଷ କାମରୁ ଉପାର୍ଜନ କରିଥିବା ୫୦ ହଜାର ଟଙ୍କା ବୀର ସୁରେନ୍ଦ୍ର ସାଏଙ୍କ ନାମରେ ସମ୍ବଲପୁର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ବୀର ସୁରେନ୍ଦ୍ର ସାଏଙ୍କ ସ୍ମୃତିରେ ଏକ ପାଣ୍ଠି ଗଠନ କରି ତାହାକୁ ଛାତ୍ରବୃତ୍ତି ମାଧ୍ୟମରେ ଖିଣ୍ଡା ଗ୍ରାମର ଛାତ୍ରଛାତ୍ରୀଙ୍କୁ ଦେବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ । ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ ପରାକ୍ରମ ଦିବସ ଅବସରରେ ସମ୍ବଲପୁରର ବିଭିନ୍ନ ସ୍ଥାନରେ ମହାତ୍ମା ଗାନ୍ଧି, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।