କେନ୍ଦୁଝରରେ ନିର୍ମାଣ ହେବ ବାଇପାସ ରୋଡ : ଖର୍ଚ୍ଚ ହେବ ୪୩୯ କୋଟି,ଦୂର ହେବ ଟ୍ରାଫିକ ସମସ୍ୟା

 କେନ୍ଦୁଝର : କେନ୍ଦୁଝରକୁ ବିକାଶ ପଥରେ ଆଗେଇ ନେବାକୁ ନୂଆ ସରକାର ସଂକଳ୍ପବଦ୍ଧ । କେନ୍ଦୁଝରରେ ନିର୍ମାଣ ହେବ ବିଶ୍ୱସ୍ତରୀୟ ବାଇପାସ ରାସ୍ତା । ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ କେନ୍ଦୁଝର ସହରର ଚାରିପାଖେ ୪ ଲେନ ରାସ୍ତା ଏବଂ ବ୍ରିଜ ଗୁଡିକ ୬ ଲେନର ରାସ୍ତା ନିର୍ମାଣ ହେବ । ବାଇପାସ ରାସ୍ତା ନିର୍ମାଣ ହେଲେ କେନ୍ଦୁଝର ସହର ପାଇଁ ଏହା ରିଂ ରୋଡ୍ ଭଳି କାମ ଦେବ । ଜାତୀୟ ରାଜପଥ ୨୦ର ନେଙ୍କଡାଘରଠାରୁ ବାଇପାସ ରୋଡ ଜାତୀୟ ରାଜପଥ ୪୯ର ବେଲଦାଠାରେ ସଂଯୋଗ ଯୋଗୁଁ ବିପର୍ଯ୍ୟସ୍ତ ଟ୍ରାଫିକ୍ ସମସ୍ୟା ଅନେକ ପରିମାଣରେ ହ୍ରାସ ପାଇବା ସହିତ ଅଳ୍ପ ସମୟ ମଧ୍ୟରେ ଲୋକ ନିଜର ଗନ୍ତବ୍ୟ ପଥରେ ପହଞ୍ଚି ପାରିବେ । କେନ୍ଦୁଝର ସହରରେ ଟ୍ରାଫିକ ସମସ୍ୟାକୁ ଏଡାଇବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଦେ୍ର୍ଦଶରେ ଏହାର ପରିକଳ୍ପନା କରାଯାଇଛି । କେନ୍ଦୁଝର ଜିଲ୍ଲା ଏକ ଖଣି ଖାଦାନ ଜିଲ୍ଲା ହୋଇଥିବାରୁ ଖଣିଜ ପଦାର୍ଥ ବୋଝେଇ ଗାଡି ପାଇଁ ସଡକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଜନସଂଖ୍ୟା ଦିନକୁ ଦିନ ବୃଦ୍ଧି ସହିତ ଯାନବାହାନ ଚଳାଚଳ ବଢି ଚାଲିଥିବାରୁ କେନ୍ଦୁଝରରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବଡ ସମସ୍ୟା ଭାବେ ମୁଣ୍ଡ ଟେକିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେନ୍ଦୁଝରରେ ବାଇପାସ ରୋଡ କରିବା ପାଇଁ ନିଷ୍ପତି ନେଇଛନ୍ତି । ବାଇପାସ ନିର୍ମାଣ ହେଲେ ଯୋଗାଯୋଗରେ ଏହା ଏକ ମାଇଲଖୁଣ୍ଟହେବ ।
୨୦ନଂ ଜାତୀୟ ରାଜପଥ ନେଙ୍କଡାଘର ଠାରୁ ଡିମ୍ବୋ-ନେଲୁଙ୍ଗ ଦେଇ ୯ କିଲୋମିଟର ୪୦୯ ମିଟର ଲମ୍ବର ଏହି ବାଇପାସ ରାସ୍ତା ଝାରବେଲଦାଠାରେ ଜାତୀୟ ରାଜପଥ ୪୯ ସହିତ ସଂଯୋଗ ହେବ । ୩ ଟି ପଞ୍ଚାୟତ ଦେଇ ଜାତୀୟ ରାଜପଥ ୨୦ ରୁ ୪୯ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରିବ । ସମୁଦାୟ ୭୫.୩୦୧ ଏକର ଜମି ଉପରେ ରାସ୍ତା ନିର୍ମାଣ କରାଯିବ । ସେଥିମଧ୍ୟରୁ ୪୧.୦୫୪ ଘରୋଇ ଜମି,୧୮.୭୭୯ ଏକର ସରକାରୀ ଜମି ଓ ୧୫.୪୬୮ ଏକର ଜଙ୍ଗଲ କିସମର ଜମି ଉପରେ ରିଂ ରୋଡ ନିର୍ମାଣ ହେବ । ନରଣପୁର ପଞ୍ଚାୟତର ଜାମୁନାଳିଆ, ଜଳଙ୍ଗଡିହି, ଅଲଣାପଦା ଗ୍ରାମ ଦେଇ ରାସ୍ତା ନିର୍ମାଣ ହେବ । ଡିମ୍ବୋ ପଂଚାୟତର ଖୋଳପା, ତେନ୍ତୁଳିନଣ୍ଡା, ବାଇଗଣପଶି, ଡିମ୍ବୋ ଏବଂ ଚକ ଗ୍ରାମ ନେଲୁଙ୍ଗ ପଞ୍ଚାୟତର ନେଲୁଙ୍ଗ ଓ ଝାରବେଲଦା ମୋଟ ୧୦ଟି ଗ୍ରାମ ଦେଇ ଏହି ରାସ୍ତା ନିର୍ମାଣ ହେବ । ନେଙ୍କଡାଘର ନିକଟରେ ହାତୀ ଚଳପ୍ରଚଳ ରହୁଥିବାରୁ ୧୫୧ କୋଟି ଟଙ୍କାରେ ଏକ ହାତୀ ଗଳାପଥ କରାଯିବ ଯାହାର ଲମ୍ବ ୧କିମି ହେବ । ସେହିପରି ଫ୍ଲାଏ ଓଭର ପାଇଁ ୭ କୋଟି ୪୬ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି । ବାଇପାସ ରାସ୍ତା ନିର୍ମାଣ ପରେ ଡିମ୍ବୋ ଓ ନେଲୁଙ୍ଗ ଅଞ୍ଚଳର ମଧ୍ୟ ଗୁରୁତ୍ୱ ବଢିଯିବ । ବାଇପାସ ରାସ୍ତା ନିର୍ମାଣ ହେଲେ କେନ୍ଦୁଝର ସହର ମଧ୍ୟରେ ଟ୍ରାଫିକ୍ ସମସ୍ୟା ନିୟନ୍ତ୍ରଣ ହୋଇପାରିବ । ଏହି ରାସ୍ତା ନିର୍ମାଣ ପାଇଁ ୪୩୯ କୋଟି ଟଙ୍କା ଏବଂ ଜମି ଅଧିଗ୍ରହଣ ପାଇଁ ଅଲଗା ବ୍ୟୟବରାଦ କରାଯାଇଛି ।  ଅନୁମୋଦନ ପରେ ଟେଣ୍ଡର ପ୍ରକ୍ରୀୟା କରାଯାଇ ରାସ୍ତା କାମ ଆରମ୍ଭ ହେବ ବୋଲି ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ. ସମ୍ବିତ ମହାନ୍ତି ପ୍ରକାଶ କରିଛନ୍ତି । ବାଇପାସ ରାସ୍ତାଟି ୪୫ମିଟର ଓସାର ବିଶିଷ୍ଟ ୪ଥାକିଆ ହେବ । ଏହି ରାସ୍ତାରେ ଭାରୀଯାନ ସମେତ ପ୍ରତିଦିନ ୧୨ହଜାର ଯାନ ଚଳାଚଳ ରହିବାର କ୍ଷମତା ଉପଲବ୍ଧ ହେବ । ଏହି ରାସ୍ତା ଉପରେ ୩ଟି ଭେହିକିଲ ଅଣ୍ଡରପାସ ନିର୍ମାଣ କରାଯିବାର ପ୍ରସ୍ତାବ ରହିଛି । ରାସ୍ତାର ଆଲୋକୀକରଣ ଓ ଜନସାଧାରଣଙ୍କ ନିରାପତ୍ତା ପାଇଁ ରାସ୍ତାର ଉଭୟ ପାଶ୍ୱର୍ରେ ୮କୋଟି ଟଙ୍କା ବ୍ୟୟରେ ସୋଲାର ହାଇମାକ୍ସ ଲାଇଟ ଲଗାଯିବ । ଏହି ରାସ୍ତା ଉପରେ ପଡୁଥିବା ଜଙ୍ଗଲ ଜମିକୁ ଅଣ ଜଙ୍ଗଲ କାର୍ଯ୍ୟରେ ରୂପାନ୍ତରଣ କରିବା ପାଇଁ, ପ୍ରସ୍ତାବିତ ରାସ୍ତା ପାଇଁ ଗଛ କାଟିବା ପାଇଁ ଓ ରାସ୍ତାର ଉଭୟ ପାଶ୍ୱର୍ରେ ବୃକ୍ଷ ରୋପଣ କରିବା ପାଇଁ ୧୦କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।