ଅସନ୍ତୁଷ୍ଟ ବିଜେଡି ଗୋଷ୍ଠୀର ସାଂଗଠନିକ ବୈଠକ 

 ବଡ଼ସାହି: ବଡ଼ସାହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ଉଭୟ ବଡ଼ସାହି ବ୍ଲକ୍ ଅଧ୍ୟକ୍ଷା ମିନତୀ ସିଂ ଓ ବେତନଟୀ ବ୍ଲକ୍ ଅଧ୍ୟକ୍ଷା କୌଶଲ୍ୟା ମାଝୀଙ୍କ ନେତୃତ୍ୱରେ ନିର୍ବାଚନ ମଣ୍ଡଳୀସ୍ତରୀୟ ଗତ ୨୦୨୪ ସାଧାରଣ ନିର୍ବାଚନ ସମୟରେ ଅସନ୍ତୁଷ୍ଟ ହୋଇଥିବା ବିଜେଡିର ଗୋଟିଏ ଗୋଷ୍ଠୀଙ୍କୁ ନେଇ ଯୁଣପଦା ବନ୍ଧରେ ଏକ ବୃହତ୍ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ବିଜେଡି ନେତା ରାଜକିଶୋର ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିବାବେଳେ ଉଭୟ ବ୍ଲକର ପ୍ରାୟ  ୩୫/୪୦ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଗଣଙ୍କ ସମେତ ୫୦୦ରୁ ଊଦ୍ଧ୍ୱର୍ କର୍ମୀ ଓ କର୍ମକର୍ତ୍ତା ଯୋଗ ଦେଇଥିଲେ । ବର୍ତ୍ତମାନ ସ୍ଥିତିରେ ବିଜୁ ଜନତା ଦଳର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟଧାରାକୁ ବୈଠକରେ ନାପସନ୍ଦ କରାଯାଇଥିଲା । ସଂଗଠନକୁ କିପରି ଅଧିକ ସୁଦୃଢ଼ କରାଯାଇପାରିବ ଏବଂ ଦଳକୁ କୋଟେରୀ ଗୋଷ୍ଠୀ କବଳରୁ କିପରି ମୁକ୍ତ କରାଯାଇ ପାରିବ ସେ ସମ୍ପର୍କରେ ଉପସ୍ଥିତ ବରିଷ୍ଠ ନେତୃମଣ୍ଡଳୀ ବକ୍ତବ୍ୟ ମାଧ୍ୟମରେ ପରାମର୍ଶ ଦେବା ସହ ଆହ୍ୱାନ ଦେଇଥିଲେ । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିଜ ପକ୍ଷରୁ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ଦେଇ କିପରି ବିଜୟୀ କରାଯାଇ ପାରିବ ଏବଂ ଉଭୟ ବଡ଼ସାହି ଓ ବେତନଟୀ ବ୍ଲକର ଅଧ୍ୟକ୍ଷ ପଦ କରାୟତ୍ତ କରାଯିବ ସେ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି ।  ଏହି କାର୍ଯ୍ୟକ୍ରମରେ ବଡ଼ସାହି ବ୍ଲକର ମହେଶ୍ୱର ସେନାପତି, ପ୍ରକାଶ ଚନ୍ଦ୍ର ଦଳେଇ, ଅଜୟ କୁମାର ବେହେରା, ଅନନ୍ତ ପଶା, ପ୍ରକାଶ ଚନ୍ଦ୍ର ଦାସ, ରଣଜିତ୍ ପାତ୍ର, ଶୋଭାକର ସେଠୀ, କୁଳମଣି ତ୍ରିପାଠୀ, ଗଗନ ସେନାପତି, ଚନ୍ଦ୍ରଶେଖର ଭୂୟାଁ ପ୍ରମୁଖ ଯୋଗ ଦେଇଥିବାବେଳେ ବେତନଟୀ ବ୍ଲକର ରବି ନାରାୟଣ ପଣ୍ଡା, ମୃତୁ୍ୟଞ୍ଜୟ ମିଶ୍ର, ସୁଶାନ୍ତ ବଳା, ସନ୍ତୋଷ ଜେନା, ବୃନ୍ଦାବନ ଦାସ, ସୁଜିତ୍ ଲେଙ୍କା, ସଂଯୁକ୍ତା ପାତ୍ର, ତପନ ଜେନା, ରଶ୍ମିତା ମହାପାତ୍ର, କମଳାକାନ୍ତ ଧଳ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ।