କମୁଛି ବାଘ ସଂଖ୍ୟା

ଦୁନିଆର ସବୁଠାରୁ ପରିଚିତ ପ୍ରାଣୀ ବାଘ । ଏମାନଙ୍କ ସଂରକ୍ଷଣ ଜୈବ ବିବିଧତା ତଥା ପରିବେଶର ସନ୍ତୁଳନ ବଜାୟ ରଖିବାରେ ସହାୟକ ହୋଇଥାଏ। ତେଣୁ ବାଘ ବଂଶବୃଦ୍ଧି ସହ ଏମାନଙ୍କ ସଂରକ୍ଷଣ ନିତାନ୍ତ ଆବଶ୍ୟକ। ଏନେଇ ଲୋକଙ୍କ ମନରେ ସଚେତନତା ତଥା ଜାଗ୍ରତ ବୃଦ୍ଧି କରିବା ପାଇଁ ପ୍ରତିବର୍ଷ ଜୁଲାଇ ୨୯କୁ ‘ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ’ ଭାବେ ପାଳନ କରାଯାଉଛି। ଚଳିତ ବର୍ଷର ଥିମ୍ ରହିଛି ‘ବାଘମାନଙ୍କ ପାଇଁ ଗର୍ଜନ’। ଦେଶ ତଥା ବିଶ୍ୱରେ ଦିନକୁ ଦିନ ବାଘଙ୍କ ସଂଖ୍ୟା କମିବାରେ ଲାଗିଛି। ଅବୈଧ ଶିକାର ଏହାର ଏକ ପ୍ରମୁଖ କାରଣ ସାଜିଥିବାବେଳେ ଆଧୁନିକତା ନାମରେ ଜଙ୍ଗଲ ନଷ୍ଟ ଏବଂ ଜଳବାୟୁ ପରିବର୍ତ୍ତନ ଭଳି କେତେକ ଆହ୍ବାନର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଓଡ଼ିଶାର ଶିମିଳିପାଳରେ ପୂର୍ବାପେକ୍ଷା ବାଘ ସଂଖ୍ୟା ବଢିଥିବାରୁ ଏହାକୁ ନେଇ ବନ୍ୟପ୍ରାଣୀ ପ୍ରେମୀମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ୨୦୩୬ସୁଦ୍ଧା ଶିମିଳିପାଳରେ ବାଘ ସଂଖ୍ୟା ୧୦୦କୁ ପହଞ୍ଚାଇବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ଚେଷ୍ଟା ଜାରି ରହିଛି। ଏହା ଭାରତର ବ୍ୟାଘ୍ର ସଂରକ୍ଷଣ ରୋଡ୍ମ୍ୟାପ୍ରେ ଶିମିଳିପାଳର ଭୂମିକାକୁ ଆହୁରି ସୁଦୃଢ଼ କରିବ ବୋଲି ବନ ବିଭାଗର ଆଶା ଉଜ୍ଜୀବିତ ହୋଇଛି।
ଏନେଇ ବନ୍ୟପ୍ରାଣୀ ପିସିସିଏଫ୍ ପ୍ରେମ୍ କୁମାର ଝା କହିଛନ୍ତି, ଶିମିଳିପାଳରେ ବାଘଙ୍କ ସଂଖ୍ୟା ଆଶାନୁରୂପ ବୃଦ୍ଧି ପାଇଛି। ମହାରାଷ୍ଟ୍ରରୁ ଆସିଥିବା ‘ଜିନତ୍’ ଓ ‘ଯମୁନା’ ମଧ୍ୟ ସୁସ୍ଥ ଅଛନ୍ତି। ସେହିପରି ବାଘଙ୍କ ସଂଖ୍ୟା ବୃଦ୍ଧି ସହିତ ସେମାନଙ୍କ ପାଇଁ ନୂତନ ସ୍ଥାନ ଲାଗି ଡେବ୍ରିଗଡଠାରେ ଟାଇଗର ରିଜର୍ଭ କରିବା ନେଇ ଯୋଜନା କରାଯାଉଛି। ଏଥିପାଇଁ ଏକ ବିଶେଷଜ୍ଞ କମିିଟି ଗଠନ କରାଯାଇଛି। କମିଟିରେ ଅବସରପ୍ରାପ୍ତ ଆଇଏଫ୍ଏସ୍ ଅଧିକାରୀ ଡ. ଅନୁପ କୁମାର ନାୟକ ଅଧ୍ୟକ୍ଷ ରହିଛନ୍ତି। ସେହିପରି ଓ୍ବାଇଲ୍ଡ ଲାଇଫ୍ ଇନ୍ଷ୍ଟିଚ୍ୟୁଶନ୍ ଅଫ୍ ଇଣ୍ଡିଆ ଡେରାଡୁନ୍ର ସଦସ୍ୟ ଡ. ବିଭାସ ପାଣ୍ଡବ ଏବଂ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ସମ୍ବଲପୁରର ଅତିଥି ଅଧ୍ୟାପକ ଡ. ହେମା କୁମାର ନାୟକ ସଦସ୍ୟ ରହିଛନ୍ତି। ଏହି କମିଟି ଟାଇଗର ରିଜର୍ଭ ପାଇଁ ବଫର ଜୋନ୍ଗୁଡିକର ସୀମା ନିର୍ଣ୍ଣୟ ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାର ନିରୀକ୍ଷଣ କରିବେ ବୋଲି ପିସିସିଏଫ୍ ସୂଚନା ଦେଇଛନ୍ତି।