ଦୁଇ ଆଇଟି ନୀତିକୁ ମୋହର
ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।
କ୍ୟାବିନେଟ ବୈଠକରେ ମୋଟ୍ ୩ ବିଭାଗର ୪ ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଥିଲା । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଗୋଟିଏ ଓ ଇଲେକ୍ଟ୍ରୋନିକ୍ସ ଏବଂ ଆଇ ଟି ବିଭାଗର ୨ ଟି ପ୍ରସ୍ତାବ ଉପରେ ଆଲୋଚନା କରାଯାଇ କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଥିଲା । ଚତୁର୍ଥ ପ୍ରସ୍ତାବଟି ଆଗାମୀ ସେପ୍ଟେମ୍ବର ୧୮ରୁ ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ଆରମ୍ଭ ହେବାକୁ ଥିବା ସମ୍ପର୍କିତ ପ୍ରସ୍ତାବ ଥିଲା ।
ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟ ଭାବେ ଉଦୟ ନାରାୟଣ ଦାସ, ମିହର ପ୍ରସାଦ ମିଶ୍ର ଓ ମନୋଜ କୁମାର ମହାନ୍ତିଙ୍କ ନିଯୁକ୍ତିକୁ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛନ୍ତି ।
ସେହିପରି ରାଜ୍ୟ କ୍ୟାବିନେଟରେ ଆଜି ଆଇଟି ନୀତି-୨୦୨୫କୁ ଅନୁମୋଦନ କରାଯାଇଛି । ଆଇଟି/ଆଇଟିଏସ କ୍ଷେତ୍ରରେ ୧୦ ଲକ୍ଷ ଲୋକଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପରିକଳ୍ପନା କରାଯାଇଛି । ଆଇଟି ପାର୍କ, ଆଇଟି ଟାୱାର ଓ ଏସଇଜେଡ଼ ପରି ବିଶ୍ୱସ୍ତରୀୟ ଭିତ୍ତିଭୂମି ବିକାଶ କରିବା ସହ ଗବେଷଣା ଉପରେ ଗୁରୁତ୍ୱାରୋପ କରାଯାଇଛି । ନିବେଶକମାନଙ୍କୁ ଆକର୍ଷିତ କରିବା ପାଇଁ ପୁଞ୍ଜି, ସୁଧ ରିହାତି, ଜମି ଓ ଭଡ଼ା ସହାୟତା ଆଦି ପ୍ରଦାନ କରାଯିବ । ସେହିପରି ଏଥିପାଇଁ ଏକ ସିଙ୍ଗଲ ୱିଣ୍ଡୋ କ୍ଳିୟରାନ୍ସ ବ୍ୟବସ୍ଥା ରହିବ । ଓକାକ୍ ଏହାର ନୋଡ଼ାଲ ଏଜେନ୍ସୀ ଭାବେ କାର୍ଯ୍ୟକରିବ ।
ଏହାଛଡ଼ା ଓଡ଼ିଶା ଇଲେକ୍ଟ୍ରୋନିକ୍ସ ଯନ୍ତ୍ରପାତି ଉତ୍ପାଦନ ନୀତି-୨୦୨୫କୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।
ଓଡ଼ିଶାକୁ ଇଲେକ୍ଟ୍ରୋନିକ୍ସ ହବରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ନୀତି ଅନୁଯାୟୀ, ନିବେଶକମାନେ ପ୍ରଥମ ୧୦ ମେଗା ପ୍ରକଳ୍ପ ପାଇଁ ୫୦% ପୁଞ୍ଜି ସବସିଡ଼ି କିମ୍ବା ଟର୍ଣ୍ଣଓଭର ଲିଙ୍କ ପ୍ରୋତ୍ସାହନ ଏବଂ ଅତିରିକ୍ତ ପୁଞ୍ଜି ସବସିଡ଼ି ମଧ୍ୟରୁ ଗୋଟିକୁ ବାଛିପାରିବେ । ଏହି ଯୋଜନା ଜମି ଆବଣ୍ଟନ, ଭଡ଼ା ସହାୟତା, ୧୦ ବର୍ଷ ବିଦୁ୍ୟତ ଶୁଳ୍କ ଛାଡ଼ ଓ ବିଦୁ୍ୟତ ଶୁଳ୍କ ପ୍ରତିପୂର୍ତ୍ତି ମାଧ୍ୟମରେ ସହାୟତା ପ୍ରଦାନ କରିବ । ସେହିପରି ୫ ଶହ କୋଟିରୁ ଅଧିକ ନିବେଶ କିମ୍ବା ୧ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା ମେଗା ପ୍ରକଳ୍ପ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥାର ପ୍ରାବଧାନ ରହିଛି ।