କାକିନାଡ଼ାରେ ମାଡ଼ ହେବ ବାତ୍ୟା ‘ମୋନ୍ଥା
- ୨୮ରେ ସ୍ଥଳଭାଗ ଛୁଇଁବ
- ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ
ଭୁବନେଶ୍ୱର : ବାତ୍ୟାର ଗତିପଥ ଧିରେଧିରେ ସ୍ପଷ୍ଟ ହେବାରେ ଲାଗିଛି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ଗଭୀର ଅବପାତରେ ପରିଣତ ହୋଇଛି । ଆସନ୍ତା ୨୬ରେ ତାହା ବାତ୍ୟାର ରୂପ ନେଇ ସମୁଦ୍ରରେ ବଳ ଗୋଟାଇବ । ଧିରେଧିରେ ଏହା ଶକ୍ତିଶାଳୀ ହୋଇ ୨୮ ତାରିଖ ବେଳକୁ ଭୟଙ୍କର ରୂପ ଧାରଣ କରିବ । ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ କଳିଙ୍ଗପଟ୍ଟନମ ଏବଂ ମଛିଲିପଟ୍ଟନମ ମଧ୍ୟରେ ଥିବା କାକିନାଡ଼ା ପାଖାପାଖି ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ ବା ସର୍ବାଧିକ ୧୧୦କିମି ରହିବାର ସମ୍ଭାବନା ରହିଛି । ତେବେ ଓଡ଼ିଶାରେ ବାତ୍ୟା ସ୍ଥଳଭାଗ ଛୁଇଁବ ନାହିଁ । କିନ୍ତୁ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଝଡ଼ବାତ୍ୟା ସହ ପ୍ରବଳ ବର୍ଷା ହେବ । ବିଶେଷକରି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଅଞ୍ଚଳ ପ୍ରଭାବିତ ହେବବୋଲି ବାତ୍ୟାର ସମ୍ଭାବ୍ୟ ଗତିପଥରୁ ଅନୁମାନ କରାଯାଉଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତିଯେ, "୨୭ରୁ ବର୍ଷା ଆରମ୍ଭ ହେବ । ୨୮ ଓ ୨୯ ରେ ବର୍ଷା ସହ ପବନ ବହିବ । ଏହି ସମୟରେ ପବନର ବେଗ ୬୦ରୁ ୭୦କିମି ରହିପାରେ ବୋଲି ଆକଳନ କରାଯାଇଛି । ଏପରିକି ତାହା ୯୦ କିମି ପର୍ଯ୍ୟନ୍ତ ବି ଛୁଇଁବାର ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଭଳି ଜିଲ୍ଲାରେ ପବନର ପ୍ରଭାବ ସର୍ବାଧିକ ରହିବ ବୋଲି ଆକଳନ କରାଯାଉଛି । ୩୦ତାରିଖ ବେଳକୁ ବର୍ଷାର ପରିମାଣ କମି ଆସିବା ସହ ହାଲୁକା ବର୍ଷା ହେବ । ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ୨୬ରୁ ୩୦ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ମନା କରାଯାଇଛି । ଏହା ସହ ସମସ୍ତ ବନ୍ଦର ଗୁଡ଼ିକରେ ୩ ନମ୍ବର ବିପଦ ସଂକେତ ଦିଆଯାଇଛି । ବର୍ତ୍ତମାନ ଗୋପାଳପୁରଠାରୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ୧୦୪୦ କିଲୋମିଟର ଦୂରରେ ସମ୍ଭାବ୍ୟ ବାତ୍ୟା ରହିଛି । ସ୍ଥଳଭାଗ ଛୁଇଁବା ବେଳେ ଏହା ଭୀଷଣ ବାତ୍ୟାର ରୂପ ନେବ ବୋଲି ଅନୁମାନ କରାଯାଉଛି ।
Cyclone Montha : ପ୍ରଭାବିତ ହେବ ୨୫ ଜିଲ୍ଲା :-
- ୨୭ରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ ଓ କନ୍ଧମାଳକୁ ଅରେଞ୍ଜ ୱାର୍ଣ୍ଣିଂ
- ୨୮ ଓ ୨୯ ପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମକୁ ରେଡ଼ ୱାର୍ଣ୍ଣିଂ
ବାତ୍ୟା ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଆସନ୍ତା ୨୭ରେ ପ୍ରବଳ ବର୍ଷା ପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ ଓ କନ୍ଧମାଳକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହିସବୁ ଜିଲ୍ଳାରେ ୭ରୁ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ଯେତେବେଳେକି ୭ରୁ ୧୧ ସେମି ବର୍ଷା ହେବାର ସମ୍ଭାବନା ଥିବାରୁ ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଥିବାରୁ ଆସନ୍ତା ୨୮ରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମକୁ ରେଡ଼ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଯେତେବେଳେକି ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ପାଇଁ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି । ଅପରପକ୍ଷରେ ଆସନ୍ତା ୨୯ରେ ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ରାୟଗଡ଼ାରେ ଅତି ପ୍ରବଳ ବର୍ଷା ପାଇଁ ରେଡ଼ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ, ଗଜପତି ଓ ଗଞ୍ଜାମ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରିହୋଇଛି । ଯେତେବେଳେକି ବରଗଡ଼, ସୋନପୁର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁରକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।