ଦୁର୍ନୀତି ଅଭିଯୋଗରେ ପୂର୍ବତନ ରାଷ୍ଟ୍ରପତି ଗିରଫ
ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରନିଲ ବିକ୍ରମସିଂଘେ ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଛନ୍ତି। ସେପ୍ଟେମ୍ବର ୨୦୨୩ରେ ଏକ ବ୍ରିଟିଶ ବିଶ୍ୱବିଦ୍ୟାଳୟରେ ତାଙ୍କ ସ୍ତ୍ରୀଙ୍କ ସମ୍ମାନାର୍ଥେ ଆୟୋଜିତ ଏକ ଉତ୍ସବରେ ଯୋଗଦେବା ପାଇଁ ବିକ୍ରମସିଂଘେଙ୍କ ଲଣ୍ଡନ ଯାତ୍ରା ବିଷୟରେ ପଚରାଯିବା ପରେ ତାଙ୍କୁ ଅଟକ ରଖାଯାଇଥିଲା।ଜଣେ ଅଧିକାରୀ କହିଛନ୍ତି, ତାଙ୍କୁ କଲମ୍ବୋ ଫୋର୍ଟ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଯିବ। ବିକ୍ରମସିଂଘେଙ୍କ ଉପରେ ଦେଶର ସମ୍ବଳକୁ ବ୍ୟକ୍ତିଗତ ଉଦ୍ଦେଶ୍ୟ ପାଇଁ ବ୍ୟବହାର କରିବାର ଅଭିଯୋଗ ଆସିଛି।
ହାଭାନାରୁ ଫେରିବା ସମୟରେ ରନିଲ ବିକ୍ରମସିଂଘେ ୨୦୨୩ରେ ଲଣ୍ଡନରେ ଅଟକିଥିଲେ। ଏଠାରେ ସେ G-77 ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ। ବିକ୍ରମସିଂଘେ ଏବଂ ତାଙ୍କ ସ୍ତ୍ରୀ ମୈତ୍ରୀ ୱଲଭରହାମ୍ପଟନ ବିଶ୍ୱବିଦ୍ୟାଳୟରେ ଏକ ଉତ୍ସବରେ ଯୋଗ ଦେଇଥିଲେ। ବିକ୍ରମସିଂଘେ କହିଥିଲେ, ତାଙ୍କ ପତ୍ନୀ ତାଙ୍କ ଯାତ୍ରାର ଖର୍ଚ୍ଚ ନିଜେ ବହନ କରିଥିଲେ ଏବଂ ଏଥିରେ ସରକାରୀ ଟଙ୍କା ବ୍ୟବହାର କରାଯାଇ ନ ଥିଲା। ପୋଲିସ ଅଭିଯୋଗ କରିଛି, ବିକ୍ରମସିଂଘେ ବ୍ୟକ୍ତିଗତ ଯାତ୍ରା ପାଇଁ ସରକାରୀ ଟଙ୍କା ବ୍ୟବହାର କରିଥିଲେ। ପୋଲିସର କହିବା ଅନୁଯାୟୀ, ତଦନ୍ତରୁ ଜଣାପଡିଛି ଯେ, ରାନିଲ ବିକ୍ରମସିଙ୍ଘେଙ୍କ ଅଙ୍ଗରକ୍ଷୀଙ୍କୁ ମଧ୍ୟ ସରକାରୀ କୋଷାଗାରରୁ ଦରମା ଦିଆଯାଇଥିଲା। ଏହି ମାମଲାରେ ତାଙ୍କର ବୟାନ ରେକର୍ଡ କରିବା ପାଇଁ ବିକ୍ରମସିଙ୍ଘେ CID କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏଠାରେ ତାଙ୍କୁ ଗିରଫ କରାଯାଇଥିଲା। ଗୋତାବାୟା ରାଜପକ୍ଷେଙ୍କ କାର୍ଯ୍ୟକାଳ ପୂରଣ କରିବା ପାଇଁ ବିକ୍ରମସିଙ୍ଘେ ଜୁଲାଇ ୨୦୨୨ରେ ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଦୁର୍ନୀତି ଅଭିଯୋଗକୁ ନେଇ ରାଜପକ୍ଷେଙ୍କ ବିରୋଧରେ ସମଗ୍ର ଶ୍ରୀଲଙ୍କାରେ ବିରୋଧ ପ୍ରଦର୍ଶନ ହୋଇଥିଲା। ଏଥିପାଇଁ ରାଜପକ୍ଷେଙ୍କୁ ଇସ୍ତଫା ଦେବାକୁ ପଡିଥିଲା। ଶ୍ରୀଲଙ୍କାର ସବୁଠାରୁ ଖରାପ ଆର୍ଥିକ ସଙ୍କଟ ପରେ ୨୦୨୨ରେ ଦେଶର ଅର୍ଥନୀତିକୁ ସ୍ଥିର କରିବା ପାଇଁ ବିକ୍ରମସିଙ୍ଘେଙ୍କୁ ଶ୍ରେୟ ଦିଆଯାଏ, କିନ୍ତୁ ସେ ସେପ୍ଟେମ୍ବରରେ ପୁଣି ନିର୍ବାଚନରେ ହାରିଗଲେ।