ଏସଡବ୍ଲୁ୍ୟଆରଓ ଜଳ ବିତରଣ ପ୍ରକଳ୍ପ ଶୁଭାରମ୍ଭ କଲେ ଧର୍ମେନ୍ଦ୍ର

 ଛତ୍ରପୁର :  ଦୁଇଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଛତ୍ରପୁରର ମାଟିଖାଲରେ ଆଇଆରଇଏଲ (ଇଣ୍ଡିଆ) ଲିମିଟେଡ୍ ପରିସରରେ ସମୁଦ୍ରର ଲୁଣି ପାଣିକୁ ମଧୁର ଜଳରେ ବିଶୋଧନ କରିବା ଦିଗରେ ଏକ ଡିସାଲାଇନେସନ୍ ଏସଡବ୍ଲୁ୍ୟଆରଓ ଜଳ ବିତରଣ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି  । 
ଶ୍ରୀ ପ୍ରଧାନ ଏହି ୱାଟର୍ ୟୁନିଟ ପରିଦର୍ଶନ କରିବା ସହ ପାଣି ବିଶୋଧନ ପରେ ତା’ର ସ୍ୱାଦ ମଧ୍ୟ ଚାଖିଥିଲେ । ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଆଜି ଯେଉଁ ପଦକ୍ଷେପର ଶୁଭାରମ୍ଭ ହୋଇଛି ତାହା ସାମୁଦ୍ରିକ ଲୁଣି ଜଳକୁ ମଧୁର ଜଳରେ ପରିଣତ କରିବା ଦିଗରେ ପ୍ରକ୍ରିୟାକରଣର ଏକ ପ୍ରକଳ୍ପ । ଗଞ୍ଜାମ ଏକ ଉପକୂଳବର୍ତ୍ତୀ ଜିଲ୍ଲା ହୋଇଥିବାରୁ ବିଭିନ୍ନ ଜଳ ସମସ୍ୟାର ସମ୍ମୁଖୀନ ହୋଇଥାଏ ।  ସ୍ୱଚ୍ଛ ପାନୀୟ ଜଳ ଉପଲବ୍ଧତା ଏକ ମୌଳିକ ଆବଶ୍ୟକତା । ଏହି ପଦକ୍ଷେପ ସ୍ଥାନୀୟ ଅଞ୍ଚଳର ଜଳ ସଂରକ୍ଷଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ।  ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ ସ୍ୱଚ୍ଛ ପାନୀୟ ଜଳର ଏକ ନିର୍ଭରଯୋଗ୍ୟ ଉସô ପ୍ରଦାନ କରିବ । ସ୍ଥାନୀୟ ଅଞ୍ଚଳ ପାଇଁ ଦୀର୍ଘ ଦିନ ଧରି ଏକ ଚ୍ୟାଲେଞ୍ଜ ହୋଇ ରହିଥିବା ଜଳ ଆବଶ୍ୟକତାକୁ ପୂରଣ କରିବ । ଆଜିର ପଦକ୍ଷେପ ପାଇଁ ସୁସ୍ଥ ସମାଜ ଗଠନ କରିବା ତଥା ସ୍ଥାୟୀ ବିକାଶ ଦିଗରେ କାର୍ଯ୍ୟ କରୁଥିବା ଆଇଆରଇଲକୁ ସେ ଧନ୍ୟବାଦ ଜଣାଇଛନ୍ତି ।  
 ଷ୍ଟ୍ରାଟେଜିକ ସେକ୍ଟରରେ ଆଇଆରଇଏଲ (ଇଣ୍ଡିଆ) ଲିମିଟେଡ୍ ଦେଶର ଏକ ମହତ୍ୱପୂର୍ଣ୍ଣ କମ୍ପାନୀ । ବିଗତ ୪୦ରୁ ୪୫ ବର୍ଷ ଧରି ଦେଶର ବିକାଶ ପାଇଁ ବିରଳ ମୃତ୍ତିକା ପାଇଁ କାମ କରୁଛନ୍ତି । ବ୍ୟବସାୟିକ ଉଦଯୋଗ ଭାବେ ବିଗତ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାବା ଆଟୋମିକ୍ ରିସର୍ଚ୍ଚ ସେଣ୍ଟର(ବିଏଆରସି) ନିଜସ୍ୱ ଟେକ୍ନୋଲୋଜି ମାଧ୍ୟମରେ ୧୬୦ କୋଟି ଟଙ୍କା ଖର୍ଚ୍ଚ କରି ଲୁଣି ପାଣିକୁ ବିଶୁଦ୍ଧ କରି ଲୋକଙ୍କ ପାଖରେ ସ୍ୱଚ୍ଛ ପାନୀୟ ଜଳ ନାଗରିକଙ୍କ ପାଖରେ ପହଞ୍ଚାଇବାର ଟେକ୍ନୋଲୋଜି ସାମ୍ନାକୁ ଆଣିଥିଲେ । ଭାରତୀୟ ଟେକ୍ନୋଲୋଜିରେ ଏଠାରେ ଏକ ସେଭଳି ଏକ ପ୍ଲାଣ୍ଟ୍ ସ୍ଥାପନା ହୋଇଛି । ପ୍ରଥମ ପର୍ଯ୍ୟାୟରେ ମାଟିଖାଲ, ଆର୍ଯ୍ୟପଲ୍ଲୀ ଅଞ୍ଚଳର ଲୋକମାନଙ୍କୁ ପାନୀୟ ଜଳ ଯୋଗାଯିବ ।  ଏଥିପାଇଁ ପ୍ରତି ଜଳ ଲିଟର ପିଛା ମାତ୍ର ୧୧ ପଇସା ଖର୍ଚ୍ଚ ହେବ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।