ପାକିସ୍ତାନରୁ ଡ୍ରୋନ୍ ଯୋଗେ ପଞ୍ଜାବ ଆସୁଛି ତୁର୍କୀ ପିସ୍ତଲ
ପାକିସ୍ତାନରୁ ଡ୍ରୋନ୍ ଯୋଗେ ତୁର୍କୀ ନିର୍ମିତ ପିଏକ୍ସ୫ ପିସ୍ତଲ ପଞ୍ଜାବ ଆସୁଥିବା ଜଣାପଡ଼ିଛି। ଗତ ମେ’ରେ ଭାରତ ଓ ପାକିସ୍ତାନ ମଧ୍ୟରେ ସଂଘର୍ଷ ଚାଲିଥିଲାବେଳେ ଇସ୍ଲାମାବାଦ ଛାଡ଼ିଥିବା ତୁର୍କୀ ଡ୍ରୋନ୍ଗୁଡ଼ିକୁ ଭାରତୀୟ ସେନା ଖସାଇଥିଲା। ଚଳିତ ମାସରେ ପାକିସ୍ତାନ ୪ ଥର ଡ୍ରୋନ୍ ଯୋଗେ ପିଏକ୍ସ୫ ପିସ୍ତଲ ଡ୍ରପ୍ କରାଇଥିବାବେଳେ ପଞ୍ଜାବ ପୋଲିସ ସେଗୁଡ଼ିକୁ ଜବତ କରିଛି। ତୁର୍କୀର ଟିସାସ୍ ଏହି ପିସ୍ତଲଗୁଡ଼ିକର ନିର୍ମାତା। ଗତ ଶନିବାର ଅମୃତସରରୁ ୩ଟି ପିଏକ୍ସ୫ ପିସ୍ତଲ ଜବତ ହୋଇଛି। ପୂର୍ବରୁ ଜିଗାନା ପିତଲ ଜବତ ହୋଇଥିଲା। ପୂର୍ବରୁ ଅମୃତସର କମିଶନରେଟ୍ ପୋଲିସ ସ୍ଥାନୀୟ ଅପରେଟରଙ୍କୁ ଗିରଫ କରିବା ସହ ପାକ୍ ସମର୍ଥତ୍ତ ବାବର ଖାଲ୍ସା ଇଣ୍ଟରନ୍ୟାଶନାଲ (ବିକେଆଇ) ଟେରର ମଡ୍ୟୁଲ୍କୁ ଧ୍ୱଂସ କରିଥିଲା। ବ୍ରିଟେନରେ ରହୁଥିବା ଧରମ ସିଂ ଓରଫ ଧରମ ସାନ୍ଧୁ ଏହି ମଡ୍ୟୁଲକୁ ଚଳାଉଥିଲେ। ତାଙ୍କ ନିକଟରୁ ୬ଟି ଅତ୍ୟାଧୁନିକ ବିଦେଶୀ ନିର୍ମିତ ପିସ୍ତଲ ଜବତ ହୋଇଥିଲା। ଗିରଫ ଅଭିଯୁକ୍ତ ଓଁକାର ସିଂ ଓରଫ ନଓ୍ବାବ ଅମୃତସରର ଜଲାଲୁସ୍ମା ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଥିଲା। ପାକିସ୍ତାନରୁ ସୀମାପାର ଅସ୍ତ୍ର ଚୋରାଚାଲାଣରେ ୪ଟି ୯ଏମ୍ଏମ୍ ଗ୍ଲୋକ୍ ପିସ୍ତଲ ଏବଂ ୨ଟି ପଏଣ୍ଟ ୩୦ ବୋର୍ ପିଏକ୍ସ୫ ପିସ୍ତଲ ରହିଥିଲା। ଧରମ ସିଂଙ୍କର ପାକିସ୍ତାନୀ ଆତଙ୍କବାଦୀ ହରବିନଦର ସିଂ ଓରଫ ରିଣ୍ଡାଙ୍କ ସହ ଘନିଷ୍ଠ ସମ୍ପର୍କ ରହିଥିବା ଜଣାପଡ଼ିଛି।