ଯୁଦ୍ଧ ବନ୍ଦ ପାଇଁ ନେତାନ୍ୟାହୁଙ୍କ ସର୍ତ୍ତ

ାା ଏଜେନ୍ସି ।ା ନୂଆଦିଲ୍ଲୀ : ଏୟାର ଷ୍ଟ୍ରାଇକରେ ହମାସ ମୁଖ୍ୟ ୟାହୟା ସିନୱାରର ମୃତୁ୍ୟ ପରେ ଯୁଦ୍ଧ ସାଙ୍ଗ ନେଇ ଘୋଷଣା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ଯଦି ହମାସ ବନ୍ଧକମାନଙ୍କୁ ମୁକ୍ତ କରିବା ସହ ଅସ୍ତ୍ରବିରତି କରେ ତେବେ ଆସନ୍ତାକାଲି ସୁଦ୍ଧା ଯୁଦ୍ଧ ଶେଷ ହୋଇଯିବ । ସୋସିଆଲ ମିଡିଆ ଏକ୍ସରେ ଏକ ଭିଡିଓ ସେଆର କରି ନେତାନ୍ୟାହୁ କହିଛନ୍ତି, "ୟାହୟା ସିନୱାର ମୃତ । ଇସ୍ରାଏଲର ସାହସୀ ସେନା ରାଫାରେ ୟାହୟାକୁ ନିପାତ କରିଛନ୍ତି । ଗାଜାରେ ଯୁଦ୍ଧ ସମାପ୍ତ ହୋଇନଥିଲେ ମଧ୍ୟ ଏହା ଯୁଦ୍ଧ ଶେଷର ଆରମ୍ଭ । ସେ ଆହୁରି କହିଛନ୍ତି, "ଗାଜାର ଲୋକଙ୍କୁ ମୁଁ ସରଳ ଭାଷାରେ କହୁଛି ଯେ, ଏହି ଯୁଦ୍ଧ ଆସନ୍ତାକାଲି ଶେଷ ହୋଇପାରେ । ଯଦି ହମାସ ଅସ୍ତ୍ର ଛାଡ଼ିଦିଏ ଏବଂ ଆମ ବନ୍ଧକମାନଙ୍କୁ ଫେରାଇ ଦିଏ ତେବେ ଯୁଦ୍ଧ ଆସନ୍ତାକାଲି ସୁଦ୍ଧା ଶେଷ ହୋଇଯିବ । 
ପ୍ରକାଶ ଥାଉକି, ଗତକାଲି ଇସ୍ରାଏଲ ସେନା ୟାହୟାର ନିପାତ ହୋଇଥିବା ଘୋଷଣା କରିଥିଲା । ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ୟାହୟାର ମୃତୁ୍ୟ ଘଟିଥିବା ସେନା ସ୍ପଷ୍ଟ କରିଥିଲା । ଏହାପରେ ମୃତୁ୍ୟ ପୂର୍ବରୁ ୟାହୟାର ଏକ ଭିଡିଓ ମଧ୍ୟ ଜାରି କରିଥିଲା । ଗତ ବର୍ଷ ଅକ୍ଟୋବର ୭ରେ ହମାସ ଇସ୍ରାଏଲ ଉପରେ କରିଥିବା ଏୟାର ଷ୍ଟ୍ରାଇକର ମାଷ୍ଟର ମାଇଣ୍ଡ ଥିଲା ୟାହୟା । ୟାହୟାର ନେତୃତ୍ୱରେ ହିଁ ହମାସ ଚାଲିଥିଲା । ସେ ଏକ ପ୍ରକାର ହମାସର ମୁଖ୍ୟ ଥିବା କହିଲେ କିଛି ଭୁଲ୍ ହେବନି ।
ଅପରପକ୍ଷରେ ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ହମାସ ମୁଖ୍ୟ ୟାହୟା ସିନୱାର ନିହତ ହୋଇଥିବା କଥାକୁ ଶେଷରେ ସ୍ୱୀକାର କରିଛି ତାଙ୍କ ସଂଗଠନ । ଇସ୍ରାଏଲ ଓ ବିଭିନ୍ନ ଜାତୀୟ ଗଣମାଧ୍ୟମ ବେଶ ପୂର୍ବରୁ ସିନୱାରଙ୍କୁ ହତ୍ୟା କରାଯାଇଥିବା କହି ସାରିଥିଲେ । ଏବେ ସଂଗଠନ ପକ୍ଷରୁ ଏହି ଖବରକୁ ନିଶ୍ଚିତ କରାଯାଇଛି । ସିନୱାର ମୃତୁ୍ୟ ହୋଇଥିବା ଗାଜାରେ ଥିବା ହମାସର ଉପ ମୁଖ୍ୟ ଖଲିଲ ଅଲ ହାୟା ସୂଚନା ଦେଇଛନ୍ତି । ସିନୱାରଙ୍କ ମୃତୁ୍ୟ ହୋଇଥିଲେ ହେଁ ହମାସ ଇସ୍ରାଏଲର ପଣବନ୍ଦୀମାନଙ୍କୁ ଛାଡିବ ନାହିଁ ବୋଲି ସେ କହିଛନ୍ତି । ତାଙ୍କ କହିବା କଥା ଯେ ଯେଉଁ ପର୍ଯ୍ୟନ୍ତ ଗାଜାରେ ଆକ୍ରମଣ ବନ୍ଦ ହୋଇ ନାହିଁ ଓ ଇସ୍ରାଏଲ ସେନା ସଂପୂର୍ଣ୍ଣ ଭାବେ ଗାଜାରୁ ପ୍ରତ୍ୟାହୃତ ହୋଇ ନାହାନ୍ତି, ସେଯାଏ ପଣବନ୍ଦୀଙ୍କୁ ଖଲାସ କରାଯିବ ନାହିଁ । ଅନ୍ୟପକ୍ଷରେ ଇସ୍ରାଏଲ ସେନା ପକ୍ଷରୁ ମୃତୁ୍ୟ ଠିକ ପୂର୍ବରୁ ସିନୱାରଙ୍କ ଅବସ୍ଥା କେମିତି ଥିଲା, ତା’ର ଏକ ଭିଡିଓ ମଧ୍ୟ ଜାରି କରାଯାଇଥିଲା । ଏଥିରେ ସିନୱାର କ୍ଷତାକ୍ତ ଅବସ୍ଥାରେ ଗୋଟିଏ ସୋଫାରେ ବସିଥିବା ଦେଖିବାକୁ ମିଳୁଛି ।