ପୁଲିସଙ୍କୁ ମୋହନଙ୍କ ନିର୍ଦ୍ଦେଶ "ବିନା ଚାପରେ ପ୍ରକୃତ ଦୋଷୀଙ୍କୁ ଧର'
- ଏସପିଙ୍କୁ ୮ ଟିପ୍ସ ଦେଲେ ମୁଖ୍ୟମନ୍ତ୍ରୀ
- ଜିଲ୍ଲାପାଳ ଓ ଏସପିଙ୍କ ମଧ୍ୟରେ ସମନ୍ୱୟକୁ ଗୁରୁତ୍ୱ
ଭୁବନେଶ୍ୱର : କୌଣସି ପ୍ରକାର ଚାପର ବଶବର୍ତ୍ତୀ ନହୋଇ ଅପରାଧ କ୍ଷେତ୍ରରେ ପ୍ରକୃତ ଦୋଷୀକୁ ଖୋଜି ବାହାର କରନ୍ତୁ ଓ ଆଇନ ଅନୁଯାୟୀ ଦଣ୍ଡ ଦେବା ପାଇଁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ସମ୍ମିଳନୀ ଅବସରରେ ଉପସ୍ଥିତ ଆରକ୍ଷୀ ଅଧୀକ୍ଷକମାନଙ୍କୁ ଆହ୍ୱାନ ଦେଇ ଏହା କହିଛନ୍ତି ।
ଉଦ୍ଯାପନୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଲେଯେ, ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକମାନେ ନିଜ ନିଜ ଭିତରେ ସମନ୍ୱୟ ରକ୍ଷା କରି କାମ କରିବା ଉଚିତ । ବିକାଶ ଓ ସୁରକ୍ଷା ଯେପରି ଏକାଠି ହୋଇପାରିବ ସେଥିପ୍ରତି ଯତ୍ନବାନ ହେବା ଆବଶ୍ୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆରକ୍ଷୀ ଅଧୀକ୍ଷକମାନଙ୍କୁ ୮ଟି ବିଷୟ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ସେଗୁଡିକ ହେଲା- ଦଣ୍ଡବିଧାନ ହାରକୁ ବୃଦ୍ଧି କରିବା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି ବା ରଣନୀତି ପ୍ରସ୍ତୁତ କରିବା ଏବଂ ଆବଶ୍ୟକ ସ୍ଥଳେ ତଦନ୍ତ ଓ ଦଣ୍ଡବିଧାନ ୱିଙ୍ଗ ସ୍ଥାପନ କରିବାକୁ ବିଚାର କରିବା, ଥାନାକୁ ଆସୁଥିବା ସମସ୍ତ ଅଭିଯୋଗକୁ ଗ୍ରହଣ କରି ପଞ୍ଜୀକୃତ କରିବା ନଚେତ୍ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଆରକ୍ଷୀ ଅଧୀକ୍ଷକମାନଙ୍କ ଦ୍ୱାରା ନିୟମିତ ଥାନା ଗସ୍ତ, ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଗୋଟିଏ ଟିମ୍ ଭାବରେ କାମ କରିବା, ଦୁର୍ନୀତି ବିରୁଦ୍ଧରେ ଜିରୋ ଟଲେରେନ୍ସ ଏବଂ ନିଜେ ସଚ୍ଚୋଟ ରହିବା ସହିତ ଅନ୍ୟ ଅଧିକାରୀମାନଙ୍କୁ ପ୍ରେରଣା ଦେବା, କୌଣସି ନୀରିହ ଜନସାଧାରଣଙ୍କୁ ଅଯଥାରେ ହଇରାଣ ନ କରିବା, ଥାନସ୍ତରୀୟ ଅଧିକାରୀଙ୍କୁ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ନ୍ୟାୟ ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ବିଷୟରେ ପ୍ରଶିକ୍ଷଣ ପ୍ରଦାନ ଏବଂ ଅପରାଧୀଙ୍କ ଜ୍ଞାନ କୌଶଳ ଠାରୁ ଗୋଟିଏ ପାଦ ଆଗରେ ରହିବା ପାଇଁ ସବୁ ପୋଲିସ ଅଧିକାରୀମାନେ ଟେକ୍ନୋଲୋଜିର ବ୍ୟାପକ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ଓଡିଶା ପୋଲିସର କାର୍ଯ୍ୟଶୈଳୀରେ ସନ୍ତୋଷ ବ୍ୟକ୍ତ କରି କହିଥିଲେଯେ, ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବା ଓ ଅପରାଧ ନିୟନ୍ତ୍ରଣକୁ ଆମ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି । ଆମ ସରକାର ଆସିବା ପରଠାରୁ ରାଜ୍ୟ ପୋଲିସର ଦକ୍ଷତାପୂର୍ଣ୍ଣ କାର୍ଯ୍ୟ ବଳରେ ସମସ୍ତ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ଅପରାଧଗୁଡିକ ସ୍ୱଳ୍ପ ସମୟ ମଧ୍ୟରେ ସମାଧାନ କରି ଓଡିଶା ପୋଲିସ ରାଜ୍ୟ ପାଇଁ ସୁନାମ ଆଣିଛି । ପୋଲିସ ବ୍ୟବସ୍ଥାର ସୁଦୃଢୀକରଣ, ଆଧୁନିକୀକରଣ ଓ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଥାନାକୁ ଅଭିଯୋଗ ନେଇ ଆସୁଥିବା ସାଧାରଣ ଲୋକ ଯେଭଳି ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ପାଇବ ସେଥିପ୍ରତି ଦୃଷ୍ଟିଦିଅନ୍ତୁ । ସେବା ସହିତ ସୁରକ୍ଷା ଓ ସାହାଯ୍ୟ ଓଡିଶା ପୋଲିସର ମୁଖ୍ୟକାର୍ଯ୍ୟ ହେବା ଆବଶ୍ୟକ । ସେ ପୁଣି କହିଥିଲେ ଯେ, ବିକଶିତ ଓଡିଶାର ସ୍ୱପ୍ନକୁ ସାକାର କରିବା ପାଇଁ ଏବଂ ପୁଞ୍ଜୀନିବେଶକାରୀଙ୍କୁ ଆକୃଷ୍ଟ କରିବା ପାଇଁ ଶାନ୍ତି ଓ ସୁଶାସନର ପରିବେଶ ଅତ୍ୟନ୍ତ ଆବଶ୍ୟକ । ଛୋଟ ଛୋଟ ସମସ୍ୟା ଯୋଗୁଁ ଯେପରି ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି ନହେବ, ସେଥିପ୍ରତି ଉଭୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକମାନେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ କହିଥିଲେ ।
ଏଥି ସହିତ ମୁଖ୍ୟମନ୍ତ୍ରୀ ୨୦୨୬ ସୁଦ୍ଧା ଓଡିଶାକୁ ସମ୍ପୂର୍ଣ୍ଣ ନକ୍ସଲ ମୁକ୍ତ କରିବା, ବେଆଇନ ନିଶା କାରବାର, ଜମି ମାଫିଆ ଏବଂ ଅର୍ଥନୈତିକ ଅପରାଧୀଙ୍କ କାରବାରକୁ ସମ୍ପୂର୍ଣ୍ଣ ରୂପେ ଦମନ କରିବା, ଦୁର୍ଘଟଣାପ୍ରବଣ ସ୍ଥାନମାନଙ୍କରେ ନଜର ରଖି ନିୟମିତ ଚେକିଙ୍ଗ୍ ଓ ପାଟ୍ରୋଲିଙ୍ଗ କରିବା, ଦ୍ରୁତ ଗତି ଗାଡି ଚାଳନା ଓ ମଦ୍ୟପାନ କରି ଗାଡିଚାଳନା ଉପରେ ଫୋକସ କରିବା ଏବଂ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ କୋଷ୍ଟାଲ ସିକ୍ୟୁରିଟି, କୋଷ୍ଟ ଗାର୍ଡ ଏବଂ ନୌବାହିନୀ ସହିତ ଉପଯୁକ୍ତ ସମନ୍ୱୟ ରଖି କାମ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ଏବଂ ରାଜ୍ୟ ପୋଲିସ ଓ ପ୍ରଶାସନର ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।