ମୁଖ୍ୟମନ୍ତ୍ରୀଙ୍କ ପଞ୍ଚଦଶ ପାଳି ଅଭିଯୋଗ ଶୁଣାଣି : ଚଉଦ ପାଳିରେ ୯୬% ସମାଧାନ

ମୁଖ୍ୟମନ୍ତ୍ରୀଙ୍କ ପଞ୍ଚଦଶ ପାଳି ଅଭିଯୋଗ ଶୁଣାଣି : ଚଉଦ ପାଳିରେ ୯୬% ସମାଧାନ
  • ୮ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ଅଭିଯୋଗ ଶୁଣିଲେ
  • ଲୋକଙ୍କୁ ମୌଳିକ ସୁବିଧା ଓ ସହାୟତା ଦେବାକୁ ବଦ୍ଧ ପରିକର : ମୋହନ

 ଭୁବନେଶ୍ୱର : ଆଜି ଥିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ପଞ୍ଚଦଶ ପାଳି । ଆଜି କେନ୍ଦୁଝରରୁ ସିଧାସଳଖ ଆସି ଭୁବନେଶ୍ୱର ୟୁନିଟ-୨ ଠାରେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀମଣ୍ଡଳର ୮ ବରିଷ୍ଠ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ।


    ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ମାଧ୍ୟମରେ ସାଧାରଣ ଲୋକଟିଏ ତା’ର ସମସ୍ୟା ଓ ଅଭିଯୋଗକୁ ସିଧାସଳଖ ସରକାର ଓ ପ୍ରଶାସନ ନିକଟରେ ପହଞ୍ଚାଇପାରୁଛି । ସରକାରଙ୍କ ପକ୍ଷରୁ ସମସ୍ତ ଅଭିଯୋଗ ଗୁଡିକୁ ସମାନ ଗୁରୁତ୍ୱ ଦେଇ ତା’ର ସମାଧାନ କରାଯାଉଛି । ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗର ଗୁରୁତ୍ୱକୁ ଦେଖି ସିଧାସଳଖ ସମ୍ପୃକ୍ତ ଅଧିକାରୀଙ୍କୁ ମଧ୍ୟ ଏହାର ଆଶୁ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ମାଧ୍ୟମରେ ଗତ ୧୪ଟି ପାଳି ସୁଦ୍ଧା ଗ୍ରହଣ କରାଯାଇଥିବା ୧୨୯୫୦ଟି ଅଭିଯୋଗ ମଧ୍ୟରୁ ୧୨୩୭୧ଟି ଅଭିଯୋଗର ସମାଧାନ କରାଯାଇଛି  । ଯାହା ୯୬% ଅଟେ । ବାକି ରହିଥିବା ୫୭୯ ଅଭିଯୋଗ ପ୍ରକ୍ରିୟା ମଧ୍ୟରେ ରହିଛି । ଲୋକଙ୍କ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିୟମିତ ପ୍ରୟାସ ଯୋଗୁ ସରକାରଙ୍କ ପ୍ରତି ଲୋକଙ୍କ ଆସ୍ଥା ବୃଦ୍ଧି ପାଇଛି । ସବୁଥର ପରି ଆଜି ମୁଖ୍ୟମନ୍ତ୍ରୀ ପ୍ରଥମେ ସକାଳେ ଆସି ବାହାରେ ଅପେକ୍ଷା କରିଥିବା ୩୪ ଜଣ ଭିନ୍ନକ୍ଷମ ଓ ଦୂରାରୋଗ୍ୟରେ ପୀଡିତ ଲୋକମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣିଥିଲେ । ସେମାନଙ୍କ ଅଭିଯୋଗ ପତ୍ର ଗ୍ରହଣ କରି ତୁରନ୍ତ ପଦକ୍ଷେପ ନେବା ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ପ୍ରକୋଷ୍ଠ ଭିତରେ ପଞ୍ଜିକୃତ କରିଥିବା ଅଭିଯୋଗକାରୀ ମାନଙ୍କ ଅଭିଯୋଗ ଶୁଣିଥିଲେ । ଗଣମାଧ୍ୟମକୁ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଆମ ସରକାର ହେଉଛି ଲୋକଙ୍କ ସରକାର। ଲୋକଙ୍କୁ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗ ଏବଂ ସହାୟତା ପ୍ରଦାନ କରିବା ପାଇଁ ଆମେ ବଦ୍ଧପରିକର । ସେ ଆହୁରି କହିଥିଲେ, ଆମର ଜିଲ୍ଲାସ୍ତରରେ ମଧ୍ୟ ନିୟମିତ ଭାବେ ଜିଲ୍ଲାପାଳଙ୍କ ଦ୍ୱାରା ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଜିଲ୍ଲାସ୍ତରରେ ଆସୁଥିବା ଅଭିଯୋଗଗୁଡିକୁ ସେଠାରେ ସମାଧାନ କରିବା ପାଇଁ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ଗତ ଜିଲ୍ଲାପାଳ ଓ ଏସ୍‌ପି ସମ୍ମିଳନୀରେ ନିର୍ଦ୍ଦେଶ ଦିଆଯାଇଛି । ଏହାଦ୍ୱାରା ଅଧିକାଂଶ ସମସ୍ୟାଗୁଡିକ ସ୍ଥାନୀୟ ପ୍ରଶାସନ ଦ୍ୱାରା ସମାଧାନ ହୋଇପାରିବ । ଲୋକମାନଙ୍କୁ ସେମାନଙ୍କର ସମସ୍ୟା ନେଇ ଭୁବନେଶ୍ୱର ଆସିବାକୁ ପଡିବ ନାହିଁ । ଆଜି ଆସିଥିବା ଅଭିଯୋଗକାରୀମାନଙ୍କ ମଧ୍ୟରେ ଜଣେ ମହିଳା ହିତାଧିକାରୀ ମୁଖ୍ୟମନ୍ତ୍ରୀଙ୍କ ଯୋଗୁଁ ତାଙ୍କର ଦୀର୍ଘ ଦିନର ସମସ୍ୟା ଦୂର ହୋଇଥିବାରୁ ସେ ସ୍ୱତନ୍ତ୍ର ଭାବେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । କିଛି ଅଭିଯୋଗକାରୀ ନିଜର ବ୍ୟକ୍ତିଗତ ସମସ୍ୟାକୁ ନେଇ ବ୍ୟତିବ୍ୟସ୍ତ ଥିବାରୁ, ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଭରସା ଓ ଆଶ୍ୱାସନା ଦେଇ ବୁଝାଇଥିଲେ ଏବଂ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । 


    ମୁଖ୍ୟମନ୍ତ୍ରୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ.କୃଷ୍ଣଚନ୍ଦ୍ର ମହାପାତ୍ର, ବାଣିଜ୍ୟ ଓ ପରିବହନ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ଜଙ୍ଗଲମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ, ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ । ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଜିଏର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ରାଜସ୍ୱ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଏବଂ ଅନ୍ୟ ବିଭାଗଗୁଡ଼ିକର ସଚିବସ୍ତରୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କାର୍ଯ୍ୟରେ ସହଯୋଗ କରିଥିଲେ ।