ବଢ଼ିଲା ମନ୍ତ୍ରୀ ଓ ବିଧାୟକଙ୍କ ଦରମା

ବଢ଼ିଲା ମନ୍ତ୍ରୀ ଓ ବିଧାୟକଙ୍କ ଦରମା

ଭୁବନେଶ୍ୱର : ବିଧାୟକମାନଙ୍କର ଦୀର୍ଘଦିନର ଦାବି ପୂରଣ ହୋଇଛି । ବିଧାନସଭାରେ ମୁଖ୍ୟମନ୍ତ୍ରୀ, ବାଚସ୍ପତି, ଉପବାଚସ୍ପତି ଓ ବିଧାୟକମାନଙ୍କର ଦରମା ବୃଦ୍ଧି ନେଇ ଆସିଥିବା ବିଲ୍‌ ପାରିତ ହୋଇଛି । ଦୀର୍ଘ ୮ ବର୍ଷ ପରେ ଏହି ଦରମା, ଭତ୍ତା ଓ ପେନସନ ବୃଦ୍ଧି ହୋଇଥିବା ବେଳେ ପିଛିଲା ଭାବରେ ଗତ ୨୦୨୪ ଜୁନ ୫ରୁ ଲାଗୁ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ବର୍ଦ୍ଧିତ ଦରମା ଓ ଭତ୍ତାକୁ ହିସାବକୁ ନେଲେ ବିଧାୟକମାନେ ମାସିକ ପ୍ରାୟ ୩.୪୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ପାଇପାରିବେ । ସେହିପରି ମୁଖ୍ୟମନ୍ତ୍ରୀ ୩.୭୪ ଲକ୍ଷ ଟଙ୍କା, ବାଚସ୍ପତି ଓ ଉପମୁଖ୍ୟମନ୍ତ୍ରୀ ୩.୬୮ ଲକ୍ଷ ଟଙ୍କା, ଉପ ବାଚସ୍ପତି ଓ ରାଷ୍ଟ୍ରମନ୍ତ୍ରୀ ୩.୫୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇବେ । କ୍ୟାବିନେଟ ମନ୍ତ୍ରୀଙ୍କ ସହ ବିରୋଧୀ ଦଳ ନେତା, ସରକାରୀ ଦଳ ମୁଖ୍ୟ ସଚେତକଙ୍କୁ ୩.୬୨ ଲକ୍ଷ ଟଙ୍କା ମିଳିବାକୁ ଥିବାବେଳେ ସରକାରୀ ଦଳ ଉପମୁଖ୍ୟ ସଚେତକଙ୍କୁ  ୩.୫୦ ଲକ୍ଷ ଟଙ୍କା ମିଳିବ ବୋଲି ଜଣାପଡ଼ିଛି । ଏହି ବର୍ଦ୍ଧିତ ଦରମା ସହିତ ଏଣିକି ପ୍ରତି ୫ ବର୍ଷରେ ମହଙ୍ଗା ସୂଚକାଙ୍କ ଆଧାରରେ ସ୍ୱୟଂଚାଳିତ ଭାବେ ସଂଶୋଧନ ହେବ । ଯାହାଫଳରେ ଭବିଷ୍ୟତରେ ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି ପାଇଁ ଆଉ ବିଧାନସଭାରେ ବିଲ୍‌ ଆଣିବାକୁ ପଡିବ ନାହିଁ ।


  ବିଲ ପାରିତ ହେବା ପରେ ବର୍ଦ୍ଧିତ ହାରରେ ବିଧାନସଭାର ପ୍ରତ୍ୟେକ ସଦସ୍ୟ ବା ବିଧାୟକ-ବିଧାୟିକାମାନେ ଦରମା ଆକାରରେ ମାସକୁ ୯୦ ହଜାର ଟଙ୍କା ପାଇବେ । ପୂର୍ବରୁ ସେମାନଙ୍କୁ ୩୫ ହଜାର ଟଙ୍କା ମିଳୁଥିଲା । ସେହିପରି ବିରୋଧୀ ଦଳ ନେତା ଓ ସରକାରୀ ମୁଖ୍ୟ ସଚେତକ ପୂର୍ବରୁ ୪୦ ହଜାର ଟଙ୍କା ପାଉଥିବା ବେଳେ ଏଣିକି ସେମାନଙ୍କୁ ମାସିକ ୯୬ ହଜାର ଟଙ୍କା ଦରମା ମିଳିବ। ସେହିପରି ଉପମୁଖ୍ୟ ସଚେତକ ୩୬ ହଜାର ଟଙ୍କା ପରିବର୍ତ୍ତେ ୯୨ ହଜାର ଟଙ୍କା ମାସିକ ଦରମା ପାଇବେ । ଦରମା ବ୍ୟତୀତ ବିଧାୟକମାନେ ନିର୍ବାଚନ ମଣ୍ଡଳୀ ଓ ସଚିବାଳୟ ଭତ୍ତା ବାବଦରେ ମାସିକ ୭୫ ହଜାର ଟଙ୍କା ପାଇବେ । ବୈଠକ ଭତ୍ତା ବାବଦରେ ଦୈନିକ ୩ ହଜାର ଟଙ୍କା ପାଇବେ । ସେହିପରି ରାଜ୍ୟ ବାହାରକୁ ଗଲେ ଦୈନିକ ଏଣିକି ୧୦ ହଜାର ଟଙ୍କା ମିଳିବ  । ପୂର୍ବରୁ ଏଥିପାଇଁ ସେମାନଙ୍କୁ ୨ ହଜାର ଟଙ୍କା ମିଳୁଥିଲା ।

     ଅପରପକ୍ଷେ ଗସ୍ତଖର୍ଚ୍ଚ ବାବଦରେ ଜଣେ ବିଧାୟକ ନିଜ କାରରେ କିମ୍ୱା ଭଡା କାରରେ ଯାତାୟତ କଲେ ରାଜ୍ୟ ଭିତରେ କିଲୋମିଟର ପିଛା ୨୫ ଟଙ୍କା ଓ ରାଜ୍ୟ ବାହାରେ କିଲୋମିଟର ପିଛା ୩୫ ଟଙ୍କା ଦିଆଯିବ । ପୂର୍ବରୁ ରାଜ୍ୟ ଭିତରେ ୧୫ ଟଙ୍କା ଓ ରାଜ୍ୟ ବାହାରେ ୨୦ ଟଙ୍କା ଏଭଳି ଭତ୍ତା ପାଉଥିଲେ । ଅତିରିକ୍ତ ପରିବହନ ଭତ୍ତା ଆକାରରେ ୫୦ ହଜାର ଟଙ୍କା ପ୍ରତି ମାସରେ ମିଳିବ । ପୂର୍ବରୁ ଏଥିପାଇଁ ମାତ୍ର ୧୫ ହଜାର ଟଙ୍କା ମିଳୁଥିଲା । ଏତଦବ୍ୟତୀତ ବହି ଓ ପତ୍ରପତ୍ରିକା କିଣିବାକୁ ମାସିକ ୧୦ ହଜାର ଟଙ୍କା,  ବିଦ୍ୟୁତ ବ୍ୟବହାର ପାଇଁ ମାସିକ ୨୦ ହଜାର ଟଙ୍କା ଚିକିତ୍ସା ଭତ୍ତା ବାବଦରେ ମାସିକ ୩୫ ହଜାର ଟଙ୍କା ପାଇବେ। ଅପରପକ୍ଷେ କୌଣସି ବିଧାୟକ ସରକାରୀ କ୍ୱାର୍ଟର ପାଇନଥିଲେ କ୍ୱାର୍ଟର ପାଇବା ପର୍ଯ୍ୟନ୍ତ ଦୈନିକ ୨ ହଜାର ଟଙ୍କା ଲେଖାଏଁ ଆବାସ ଭତ୍ତା ପାଇବେ । ପୂର୍ବରୁ ଏଥିପାଇଁ ମାତ୍ର ୧ ହଜାର ଟଙ୍କା ମିଳୁଥିଲା । ବିଧାୟକମାନେ ରାଜ୍ୟ ବା କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ କୌଣସି କମିଟି କାର୍ଯ୍ୟରେ ସମ୍ପୃକ୍ତ ନଥାଇ ଯାତ୍ରା କରୁଥିଲେ ଯାତ୍ରାଖର୍ଚ୍ଚ ବାବଦରେ ମାସିକ ୫୦ ହଜାର ଟଙ୍କା ଦିଆଯିବ । ସେହିପରି ଗାଡ଼ି କିଣିବା ପାଇଁ ବିଧାୟକମାନେ ସର୍ବାଧିକ ୧୦ ଲକ୍ଷ ଟଙ୍କା ଅଗ୍ରୀମ ପାଇପାରିବେ । ପୂର୍ବରୁ ଏହା ସର୍ବାଧିକ ୫ ଲକ୍ଷ ଟଙ୍କା ରହିଥିଲା । ସେହିପରି ଭାବରେ ମନ୍ତ୍ରୀମାନଙ୍କର ଦରମା ଓ ଭତ୍ତା ମଧ୍ୟ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ମାସିକ ଦରମା ୧ ଲକ୍ଷ ଟଙ୍କା ପାଇବାବେଳେ ଉପମୁଖ୍ୟମନ୍ତ୍ରୀ ୯୮ ହଜାର ଟଙ୍କା, ମନ୍ତ୍ରୀ ୯୬ ହଜାର ଟଙ୍କା, ରାଷ୍ଟ୍ରମନ୍ତ୍ରୀ ୯୪ ହଜାର ଟଙ୍କା ଓ ଉପମନ୍ତ୍ରୀ ୯୨ ହଜାର ଟଙ୍କା ଦରମା ପାଇବେ । ପୂର୍ବରୁ ଯଥାକ୍ରମେ ମୁଖ୍ୟମନ୍ତ୍ରୀ ୪୧ ହଜାର ଟଙ୍କା, ଉପମୁଖ୍ୟମନ୍ତ୍ରୀ ୪୦,୦୦ ଟଙ୍କା, ମନ୍ତ୍ରୀ ୪୦ ହଜାର ଟଙ୍କା, ରାଷ୍ଟ୍ରମନ୍ତ୍ରୀ ୩୮ ହଜାର ଟଙ୍କା ଓ ଉପମନ୍ତ୍ରୀ ୩୬ ହଜାର ଟଙ୍କା ପାଉଥିଲେ ।


    ସେହିପରି କାର ରକ୍ଷଣାବେକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ଏଣିକି ମାସିକ ୯୧ ହଜାର ଟଙ୍କା, ଉପମୁଖ୍ୟମନ୍ତ୍ରୀ ୮୯ ହଜାର ଟଙ୍କା, ମନ୍ତ୍ରୀ ୮୭ ହଜାର ଟଙ୍କା, ରାଷ୍ଟ୍ରମନ୍ତ୍ରୀ ୮୫ ହଜାର ଟଙ୍କା ଓ ଉପମନ୍ତ୍ରୀ ୮୩ ହଜାର ଟଙ୍କା ପାଇବେ। ପୂର୍ବରୁ ଏଥିପାଇଁ ମାତ୍ର ୧୭ ହଜାର ଟଙ୍କା ମିଳୁଥିଲା । ଏଥିସହିତ ବ୍ୟକ୍ତିଗତ ବ୍ୟୟ ଭତ୍ତା ବାବଦରେ  ମୁଖ୍ୟମନ୍ତ୍ରୀ ୧ ଲକ୍ଷ ୮୩ ହଜାର ଟଙ୍କା, ଉପମୁଖ୍ୟମନ୍ତ୍ରୀ ୧ ଲକ୍ଷ ୮୧ ହଜାର ଟଙ୍କା, ମନ୍ତ୍ରୀ ୧ ଲକ୍ଷ ୭୯ ହଜାର ଟଙ୍କା, ରାଷ୍ଟ୍ରମନ୍ତ୍ରୀ ୧ ଲକ୍ଷ ୭୭ ହଜାର ଟଙ୍କା ଏବଂ ଉପମନ୍ତ୍ରୀ ୧ ଲକ୍ଷ ୭୫ ହଜାର ଟଙ୍କା ପାଇବେ । ବିଧାନସଭାର ବୈଠକ ସମୟରେ ବିଧାନସଭାରେ ଯୋଗଦେବା ଲାଗି ଦୈନିକ ଭତ୍ତା ୮୦୦ ଟଙ୍କା ଦିଆଯାଉଥିବାବେଳେ ଏବେ ୨ ହଜାର ଟଙ୍କା ମିଳିବ । ବାଚସ୍ପତି ଏବଂ ଉପବାଚସ୍ପତିଙ୍କର ଦରମା ଓ ଭତ୍ତା ମଧ୍ୟ ବୃଦ୍ଧି କରାଯାଇଛି । ବାଚସ୍ପତି ପୂର୍ବରୁ ୪୦,୫୦୦ ଟଙ୍କା ମାସିକ ଦରମା ପାଉଥିବା ବେଳେ ଏବେ ୯୮ ହଜାର ଟଙ୍କା ଦରମା ପାଇବେ । ଏଥିସହିତ ବିଧାନସଭା ଏବଂ ଏହାସହ ଜଡ଼ିତ କମିଟିରେ ଯୋଗଦେବା ପାଇଁ ବୈଠକ ଭତ୍ତା ବାବଦରେ ଦୈନିକ ୨ ହଜାର ଟଙ୍କା ପାଇବେ  ।

     କାର ରକ୍ଷଣାବେକ୍ଷଣ ପାଇଁ ମାସିକ ୮୯ ହଜାର ଟଙ୍କା ବାଚସ୍ପତି ପାଇବେ । ସେହିପରି ବ୍ୟକ୍ତିଗତ ବ୍ୟୟ ଭତ୍ତା ଲାଗି ମାସକୁ ୧ ଲକ୍ଷ ୮୧ ହଜାର ଟଙ୍କା ଦିଆଯିବ । ପୂର୍ବରୁ ଏଥିପାଇଁ ସେମାନଙ୍କୁ ୪୦ ହଜାର ଟଙ୍କା ମିଳୁଥିଲା  । ବିଧାନସଭା ଉପବାଚସ୍ପତି ଏଣିକି ମାସକୁ ୯୪ ହଜାର ଟଙ୍କା ଦରମା ପାଇବେ । ପୂର୍ବରୁ ଏଥିପାଇଁ ସେମାନଙ୍କୁ ୩୮ ହଜାର ଟଙ୍କା ମିଳୁଥିଲା । ଉପବାଚସ୍ପତି ବୈଠକ ଭତ୍ତା ବାବଦରେ ଦୈନିକ ୨ ହଜାର ଟଙ୍କା ପାଇବାବେଳେ କାର ରକ୍ଷଣାବେକ୍ଷଣ ପାଇଁ ମାସକୁ ୮୫ ହଜାର ଟଙ୍କା ପାଇବେ । ପୂର୍ବରୁ ବୈଠକ ଭତ୍ତା ଦୈନିକ ୮୦୦ ଟଙ୍କା ଓ କାର ରକ୍ଷଣାବେକ୍ଷଣ ଭତ୍ତା ୧୭ ହଜାର ଟଙ୍କା ପାଉଥିଲେ । ଉପବାଚସ୍ପତିଙ୍କୁ ମାସକୁ ବ୍ୟକ୍ତିଗତ ଭତ୍ତା ୧ ଲକ୍ଷ ୭୭ ହଜାର ଟଙ୍କା ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି । ଗୃହରେ ବିଧାୟକମାନେ ସର୍ବସମ୍ମତକ୍ରମେ ବିଲକୁ ପାରିତ କରାଇଥିଲେ । ବିଧାୟକମାନଙ୍କର ଅବସର ପରେ ପେନସନ  ମାସିକ ୮୦ ହଜାର ଟଙ୍କା କରାଯାଇଛି । ଭତ୍ତା ଏବଂ ଅନ୍ୟାନ୍ୟ ସହାୟତାକୁ ମିଶାଇ ୧ ଲକ୍ଷ ୨୦ ହଜାର ଟଙ୍କା ମିଳିବ ବୋଲି ଜଣାପଡ଼ିଛି ।