ମହାନଦୀ ଜଳ ବିବାଦ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି 

ମହାନଦୀ ଜଳ ବିବାଦ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି 

ଭୁବନେଶ୍ୱର : ସମାଧାନ ହେବ ମହାନଦୀ ଜଳ ବିବାଦ । ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ୱାରା ମହାନଦୀ ଜଳ ବିବାଦର ସମାଧାନ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏହି କମିଟି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି । ଏହାସହିତ ୭ ଜଣ ସଦସ୍ୟ ଏହି କମିଟିରେ ସାମିଲ କରାଯାଇଛି ।

     ଦୀର୍ଘ ଦିନଧରି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଛି ମହାନଦୀ ଜଳ ବିବାଦ । ଯାହାକୁ ନେଇ ଅନେକ ସମୟରେ ଉଭୟ ରାଜ୍ୟର ନେତା ଓ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ବୈଠକ ବସିଥିଲା । ଏହା ସହିତ କିଛି ସମାଧାନର ରାସ୍ତା ମଧ୍ୟ ବାହାରିଥିଲା । ତଥାପି ବିବାଦର ସମାଧାନ  ହୋଇପାରୁନି । ଏପିରିକି ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲରେ ମାମଲାର ଶୁଣାଣି ହୋଇଥିଲା । ସେଠାରେ ଉଭୟ ରାଜ୍ୟ ଆପୋସ ସାମଧାନ କଥା ହୋଇଥିଲା । ଏବେ ରାଜ୍ୟ ସରକାର ବିବାଦର ସମାଧାନ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏହି କମିଟି ଗଠନ କରାଯାଇଛି । ଯେଉଁଥିରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତା କରାଯାଇଛି । ବାକି ଆଉ ସାତ ଜଣ ସଦସ୍ୟଙ୍କୁ ଚୟନ କରାଯାଇଛି । ଏଥିରେ ମନ୍ତ୍ରୀ ସୁରେଶ ପୂଜାରୀ, ପୃଥ୍ୱୀରାଜ ହରିଚନ୍ଦନ,  ସମ୍ପଦ ଚନ୍ଦ୍ର ସ୍ୱାଇଁ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ବିଧାୟକ ନିରଞ୍ଜନ ପୂଜାରୀ, ବିଧାୟକ ଜୟନାରାୟଣ ମିଶ୍ର, ବିଧାୟିକା ସୋଫିଆ ଫିର୍ଦ୍ଦୋଶ ରହିଛନ୍ତି।