ବାଂଲାଦେଶୀ ଅନୁପ୍ରବେଶକାରୀ : ଗୁଜରାଟ ଭାଙ୍ଗିଲାଣି ୨ ହଜାର ଘର

ନୂଆଦିଲ୍ଲୀ : ପହଲଗାମ ଆତଙ୍କୀ ଆକ୍ରମଣ ପରେ ଏବେ ଖାଲି ପାକିସ୍ତାନୀ ନୁହଁନ୍ତି, ବାଂଲାଦେଶୀ ଅନୁପ୍ରବେଶକାରୀମାନଙ୍କୁ ମଧ୍ୟ ତଡ଼ିବା ପାଇଁ ଯୋଜନା କରାଯାଇଛି  । ବେଆଇନ୍ ଭାବେ ବିଭିନ୍ନ ରାଜ୍ୟକୁ ଆସି ଅନୁପ୍ରବେଶକାରୀମାନେ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି  । ବିଭିନ୍ନ ରାଜ୍ୟରେ ଅନୁପ୍ରବେଶକାରୀମାନେ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି  । ଏସବୁକୁ ଲକ୍ଷ୍ୟ କରିବା ପରେ ଗୁଜରାଟ ସରକାର ଅନୁପ୍ରବେଶକାରୀ ବାଂଲାଦେଶୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି  । ହଜାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଅଟକ ରଖା ଯାଇଥିବାବେଳେ ୨ ହଜାର ଘର ଧ୍ୱଂସ କରାଯାଇଛି  । ଅପରପକ୍ଷରେ ଓଡ଼ିଶା ସରକାର ବି ଅନୁରୂପ ପଦକ୍ଷେପ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି  ।
ଅହମ୍ମଦାବାଦର ଚାନେ୍ଦାଲ ଲେକ୍ ଅଞ୍ଚଳରେ ଏକ ବଡ଼ ମୁସଲିମ୍ ବସ୍ତି ରହିଥିଲା । ଯାହାକୁ ଗୁଜରାଟର ଧରାବୀ ବୋଲି କୁହାଯାଏ  । ପହଲଗାମ ଆତଙ୍କୀ ଆକ୍ରମଣ ପରେ ଗୁଜୁରାଟ ସରକାର ସେହି ଅଞ୍ଚଳରେ ଛାନଭିନ କରିବା ସହ ହଜାରରୁ ଉଦ୍ଧ୍ୱର୍ ଲୋକଙ୍କୁ ଅଟକ ରଖିଥିଲେ  । ସେହିପରି ବେଆଇନ୍ ଭାବେ ନିର୍ମିତ ପ୍ରାୟ ୨ ହଜାର ଘରକୁ ବୁଲଡ଼ୋଜରରେ ଭାଙ୍ଗି ଦେଇଥିଲେ । ଏମିତିକି ଗୁଜରାଟ୍ ହାଇକୋର୍ଟ ମଧ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ବିରୋଧରେ ରହିତାଦେଶ ଜାରି କରିବାକୁ ମନା କରିଦେଇଥିଲେ  । ଅହମ୍ମଦାବାଦରେ ୮୯୦ ସନ୍ଦିଗ୍ଧଙ୍କୁ ପୁଲିସ୍ ଅଟକ ରଖିଥିବାବେଳେ ସୁରଟରେ ୧୩୪ ଓ ବଡ଼ଦୋରାରେ ମଧ୍ୟ ୨୦୦ ଲୋକଙ୍କୁ ଅଟକ ରଖାଯାଇଥିଲା  । 
ବେଆଇନ୍ ବାଂଲାଦେଶୀମାନେ ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ବିପଦ ସାଜିପାରନ୍ତି ବୋଲି ଗୁଇନ୍ଦା ସୂଚନା ମିଳିଥିଲା  । ଏମିତିକି ସେମାନଙ୍କ ମଧ୍ୟରୁ କେତେକ ଅଲକାଏଦା ଓ ଇଣ୍ଡିଆନ୍ ମୁଜାହିଦ୍ଦିନ ସହ ସମ୍ପର୍କ ରଖିଥିବା ନେଇ ଚର୍ଚ୍ଚା ହେଉଛି  । ୭୦ଟି ବୁଲଡ଼ୋଜର, ୨୦୦ ଟ୍ରକ ଓ ୨ ହଜାର ପୁଲିସ ବଳ ଏଥିପାଇଁ ନିୟୋଜିତ ହୋଇଥିଲା  । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ବାଂଲାଦେଶ ଅନୁପ୍ରବେଶକାରୀମାନେ ବିହାର, ଉତ୍ତରପ୍ରଦେଶ, ଓଡ଼ିଶା ଓ ପଶ୍ଚିମବଙ୍ଗରେ ରହୁଥିବାବେଳେ ସେଠାରୁ ଗୁଜୁରାଟର ସୁରତ ଓ ଅହମ୍ମଦାବାଦକୁ ଯାଇଥିଲେ  । ଗୁଜୁରାଟ ସରକାରଙ୍କ ଏଭଳି ପଦକ୍ଷେପ ପରେ ଓଡ଼ିଶା ବି ଏତାଦୃଶ କାର୍ଯ୍ୟାନୁଷ୍ଠାନ ନେଇପାରେ  । ପୂର୍ବରୁ ବିଜେପି ପକ୍ଷରୁ ମଧ୍ୟ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ହଟାଇବା ପାଇଁ ଦାବି କରିଆସୁଛି  । ବିଜେପିକୁ ସମର୍ଥନ କରୁଥିବା ଅନେକ ସଂଘ ବି ଅତୀତରେ ବାଂଲାଦେଶୀ ହଟାଅ ଅଭିଯାନ ଜୋରଦାର  କରିଥିଲେ  । ନିକଟରେ ବିଦେଶୀଙ୍କ ରାସନ୍ କାର୍ଡ଼ କାଟିବାକୁ ବି ସରକାର ନିଦେ୍ର୍ଦଶ ଦେଇସାରିଛନ୍ତି  । ଫଳରେ ପ୍ରଶାସନ ପକ୍ଷରୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି  । ରାଜ୍ୟରେ ୧ ଲକ୍ଷ ୬୭ ହଜାର ୪୩୨ ଜଣ ଶରଣାର୍ଥି ଥିବା ଜାଣିବାକୁ ମିଳିଛି  । ସେମାନଙ୍କ ମଧ୍ୟରୁ କେତେକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବୁଝାମଣା କ୍ରମେ ଆଇନଗତ ଭାବେ ରହିଛନ୍ତି  । ତେବେ ଗତ କିଛିବର୍ଷ ଧରି ଅନେକ ଅନୁପ୍ରବେଶକାରୀ ଜଳପଥ ଯୋଗେ ଓଡ଼ିଶାକୁ ବେଆଇନ୍ ଭାବେ ଆସିଛନ୍ତି  । ସେହିପରି ବାଂଲାଦେଶରେ ରାଜନୈତିକ ଅସ୍ଥିରତାବେଳେ କେତେଜଣ ଓଡ଼ିଶା ଚାଲି ଆସିଥିବା କହୁଛନ୍ତି  । କେତେକ ବାଂଲାଦେଶୀ ଡ୍ରଗ୍ସ କାରବାର, ସେକ୍ସ ରାକେଟ, ଡକାୟତ, ଲୁଟ୍ ଓ ବନ୍ଧୁକ କାରବାରରେ ଲିପ୍ତ ରହୁଥିବା ନେଇ ପୁଲିସ ପାଖରେ ଖବର ରହିଛି  । ୧୦ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ମଧ୍ୟ ପୂର୍ବରୁ ଏସଟିଏଫ ଗିରଫ କରିଥିଲା  ।