ବାଜିଲା ରାଜ୍ୟସଭା ନିର୍ବାଚନ ବିଗୁଲ
- ଓଡ଼ିଶାର ୪ ଆସନରେ ଭୋଟ୍
- ୨୬ରେ ପ୍ରକାଶ ପାଇବ ବିଜ୍ଞପ୍ତି
- ମାର୍ଚ୍ଚ ୫ରେ ନାମାଙ୍କନ, ୧୬ରେ ମତଦାନ
ନୂଆଦିଲ୍ଲୀ : ବାଜିଛି ରାଜ୍ୟସଭା ନିର୍ବାଚନ ବିଗୁଲ । ଆସନ୍ତା ଏପ୍ରିଲ ମାସରେ ୧୦ଟି ରାଜ୍ୟରେ ୩୭ଜଣ ରାଜ୍ୟସଭା ସଦସ୍ୟଙ୍କର କାର୍ଯ୍ୟକାଳ ଶେଷ ହେଉଛି । ଏମାନଙ୍କ ମଧ୍ୟରେ ଓଡିଶାର ୪ ଜଣ ରାଜ୍ୟସଭା ସଦସ୍ୟ ରହିଛନ୍ତି । ଓଡିଶାରୁ ମମତା ମହନ୍ତ, ମୁଜିବୁଲ୍ଲା ଖାନ, ସୁଜିତ କୁମାର, ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ୍ ୨ ତାରିଖରେ ଶେଷ ହେବ । ଏହାବ୍ୟତୀତ ମହାରାଷ୍ଟ୍ରର ୭ଟି, ତାମିଲନାଡୁର ୬ଟି, ପଶ୍ଚିମବଙ୍ଗର ୫ଟି, ଆସାମର ୩ଟି, ବିହାରର ୫ଟି, ତେଲଙ୍ଗାନା, ଛତିଶଗଡ ଓ ହରିୟାଣାର ୨ଟି ଲେଖାଏଁ ଏବଂ ହିମାଚଳ ପ୍ରଦେଶର ଗୋଟିଏ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ବର୍ତ୍ତମାନ ନିର୍ବାଚନ ଆୟୋଗ ଏସବୁ ପଦବୀ ଲାଗି ନିର୍ବାଚନ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ରାଜ୍ୟସଭା ନିର୍ବାଚନ ଲାଗି ଆସନ୍ତା ୨୬ ତାରିଖ (ଗୁରୁବାର)ରେ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ ୫ (ଗୁରୁବାର) ଧାର୍ଯ୍ୟ କରାଯାଇଛି । ମାର୍ଚ୍ଚ ୬ (ଶୁକ୍ରବାର) ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ପ୍ରାର୍ଥୀମାନେ ମାର୍ଚ୍ଚ ୯ (ସୋମବାର) ସୁଦ୍ଧା ସେମାନଙ୍କର ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ । ରାଜ୍ୟସଭା ନିର୍ବାଚନ ଲାଗି ମତଦାନ ମାର୍ଚ୍ଚ ୧୬ (ସୋମବାର) ଅନୁଷ୍ଠିତ ହେବ । ସକାଳ ୯ଟାରୁ ଅପରାହ୍ଣ ୪ଟା ମଧ୍ୟରେ ଭୋଟ୍ ଗ୍ରହଣ କରାଯିବ । ମାର୍ଚ୍ଚ ୧୬ (ସୋମବାର) ଅପରାହ୍ଣ ୫ଟାରେ ଭୋଟ ଗଣନା କରାଯିବ । ମାର୍ଚ୍ଚ ୨୦ ସୁଦ୍ଧା ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବ ।
ମତପତ୍ରରେ ପସନ୍ଦ ଚିିହ୍ନିତ କରିବା ଲାଗି କେବଳ ରିଟର୍ଣ୍ଣିଂ ଅଧିକାରୀ ଯୋଗାଇ ଦେଇଥିବା ପୂର୍ବ-ନିର୍ଦ୍ଧାରିତ ବାଇଗଣୀ ରଙ୍ଗର କାଳି ଥିବା କଲମ ବ୍ୟବହାର କରାଯିବ ବୋଲି ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ବାଚନରେ ପସନ୍ଦର ପ୍ରାର୍ଥୀଙ୍କୁ ଚିହ୍ନିତ କରିବା ଲାଗି ଅନ୍ୟ କୌଣସି କଲମ ଉପଯୋଗ କରାଯିବ ନାହିଁ । ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରିବା ଲାଗି ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ନିର୍ବାଚନ ପ୍ରକ୍ରିୟାର ଗଭୀର ନିରୀକ୍ଷଣ ଲାଗି ପର୍ଯ୍ୟାପ୍ତ ଉପାୟ କରାଯିବ ।