ବ୍ରହ୍ମଗିରି ଗଣବଳାତ୍କାର ଘଟଣାରେ ମୁହଁ ଖୋଲିଲେ ନବୀନ

ଭୁବନେଶ୍ୱର : ପୁରୀ ଜିଲା ବ୍ରହ୍ମଗିରିସ୍ଥିତ ବାଲିହରଚଣ୍ଡୀ ମନ୍ଦିରଠାରେ ଜଣେ ଯୁବତୀଙ୍କୁ ଗଣବଳାତ୍କାର କରାଯିବା ଘଟଣା ଆଶ୍ଚର୍ଯ୍ୟଜନକ ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି। ଏହି ପର୍ଯ୍ୟଟନ ସ୍ଥଳୀ ରାଜ୍ୟର ରାଜଧାନୀଠାରୁ ମାତ୍ର ୫୦ କି.ମି. ଦୂରରେ ଅବସ୍ଥିତ। ଓଡ଼ିଶାରେ ଏହିଭଳି ଘଟଣା ଯେପରି ବାରମ୍ବାର ସାମ୍ନାକୁ ଆସୁଛି ଏହା ଅତ୍ୟନ୍ତ ଭୟଙ୍କର। ଗୋପାଳପୁର, ବଳଙ୍ଗା, ବାଲେଶ୍ୱର ଏବଂ ରାଜ୍ୟର ବିଭିନ୍ନ ସ୍ଥାନର ପୀଡ଼ିତା ନ୍ୟାୟ ପାଇବା ଅପେକ୍ଷାରେ ରହିଛନ୍ତି। ସବୁବେଳେ ଲୋକଙ୍କ ସରକାର କହୁଛନ୍ତି ମହିଳାଙ୍କୁ ନିର୍ଯାତନା ଦେଉଥିବା ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ହେଲେ ବାସ୍ତବରେ କିଛି ହେଉନାହିଁ। ମହିଳାମାନେ ଆମର ଯେପରି ନିଜକୁ ସୁରକ୍ଷିତ ଭାବିପାରିବେ ରାଜ୍ୟର ଭାଜପା ପ୍ରଶାସନ ସେପରି କିଛି କାମ କରୁନାହିଁ। ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ଏଭଳି ଘଟଣା ଘଟିବା ଦ୍ୱାରା ଓଡ଼ିଶାର ଭାବମୂର୍ତ୍ତି ଉପରେ ଦେଶ ଭିତରେ ଏବଂ ବିଦେଶରେ କୁପ୍ରଭାବ ପଡୁଛି। ତୁରନ୍ତ ଭାଜପା ସରକାର ଏଭଳି ଘଟଣା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଯେପରି ରାଜ୍ୟର ମହିଳାମାନେ ନିଜକୁ ସୁରକ୍ଷିତ ଅନୁଭବ କରିବେ ବୋଲି ନବୀନ କହିଛନ୍ତି।