ଯାଜପୁର ଲଜ୍ଜା: ନାବାଳିକା କୁକର୍ମ ଓ ପ୍ରସବ ଘଟଣା ; ସିଲ୍‌ ହେବ ନର୍ସିଂହୋମ୍‌

ଯାଜପୁର ଲଜ୍ଜା: ନାବାଳିକା କୁକର୍ମ ଓ ପ୍ରସବ ଘଟଣା ; ସିଲ୍‌ ହେବ ନର୍ସିଂହୋମ୍‌

ଯାଜପୁର : ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ନାବାଳିକା କୁକର୍ମ ଓ ପ୍ରସବ ଘଟଣାରେ ନୂଆମୋଡ଼ । ପୂର୍ବରୁ କୁକର୍ମ ଭିଆଇଥିବା ବ୍ୟାସନଗର କୋପଣ୍ଡ ଗାଁର ୭୦ବର୍ଷୀୟ ବୃଦ୍ଧ ପଦ୍ମନାଭ ଶତପଥୀ ଏବଂ ନର୍ସିଂ ହୋମ୍‌ ଏମ୍‌ଡିଙ୍କୁ ଗିରଫ ହୋଇଥିବା ବେଳେ ନାବାଳିକା ରହୁଥିବା ଭଡ଼ାଘରର ମାତ୍ର କିଛି ଦୂରରୁ ନବଜାତ ଉଦ୍ଧାର ପରେ ଏବେ ଗର୍ଭପାତ କରାଇଥିବା ଯାଜପୁର ରୋଡ୍‌ ଗୋଶାଳା ଛକରେ ଥିବା ଘରୋଇ ନର୍ସିଂହୋମକୁ ସିଲ୍‌ କରାଯିବ। ଘରୋଇ ନର୍ସିଂହୋମ୍‌ ଆଇନ୍‌ର ଉଲ୍ଲଂଘନ କରିଛି ତେଣୁ ସିଲ୍‌ ହେବ ବୋଲି କୁହାଯାଇଛି । ନାବାଳିକା ପୀଡ଼ିତାକୁ ଯାଜପୁର ସକ୍ଷୀ ଘରେ ସିଡବ୍ଲୁଓର କାଉନ୍‌ସେଲିଂ କରାଯାଇଛି । ତେବେ ଉଦ୍ଧାର ଶିଶୁର ସ୍ୱାସ୍ଥ୍ୟବସ୍ଥା ଠିକ୍‌ ଥିବା ମେଡିକାଲର ଶିଶୁ ବିଶେଷଜ୍ଞ ସୂଚନା ଦେଇଛନ୍ତି । ନାବାଳିକା ଜଣକ ଘରୋଇ ମେଡିକାଲରେ ଶିଶୁକୁ ଜନ୍ମ ଦେଇଥିଲେ । ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା । 
ସୂଚନା ଅନୁସାରେ, ନାବାଳିକା ଘରୋଇ ସହାୟିକାଙ୍କ ସହ କୁକର୍ମ ଓ ଗର୍ଭପାତ ପାଇଁ ବାଧ୍ୟ ଘଟଣାରେ ଯାଜପୁର ଜିଲ୍ଲାର ଜଣେ ୭୦ ବର୍ଷୀୟ ବୃଦ୍ଧ ଓ ୬ ମାସ ଗର୍ଭବତୀ ନାବାଳିକାଙ୍କ ଗର୍ଭପାତ କରାଇଥିବା ଘରୋଇ ହସ୍ପିଟାଲର ମ୍ୟାନେଜିଂ ଡାଇରେକ୍ଟରଙ୍କୁ ଗିରଫ କରାଯାଇଛି । ଘରୋଇ ହସ୍ପିଟାଲର ଜଣେ କର୍ମଚାରୀ ଘଟଣା ସମ୍ପର୍କରେ ସରକାରୀ ସ୍ୱାସ୍ଥ୍ୟକର୍ମୀଙ୍କୁ ଜଣାଇବା ପରେ ଘଟଣାଟି ସାମ୍ନାକୁ ଆସିଛି । ମାମଲାରେ ନାବାଳିକାଙ୍କ ପିତା ବୃଦ୍ଧଙ୍କ ବିରୋଧରେ ଏତଲା ଦେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଗୋଟିଏ ଅଞ୍ଚଳର ବାସିନ୍ଦା ହୋଇଥିବାରୁ ମାମଲାର ଉଭୟ ଅଭିଯୁକ୍ତ ପରସ୍ପରକୁ ଜାଣନ୍ତି ବୋଲି ପୁଲିସ୍‌ କହିଛି ।  

ନାବାଳିକାଙ୍କ ପିତାଙ୍କ ଅଭିଯୋଗ ଅନୁସାରେ, ବୃଦ୍ଧ ଯିଏ ନିଜେ ବିବାହିତ ଗତ ୮ ମାସ ହେଲା ତାଙ୍କ ଝିଅକୁ ଯୌନ ନିର୍ଯାତନା ଦେଇ ଆସୁଥିବା ଫଳରେ ସେ ଅନ୍ତସତ୍ୱା ହୋଇଛି । ସେହିପରି ଗର୍ଭପାତ କରାଇଥିବା ହସ୍ପିଟାଲର ମ୍ୟାନେଜିଂ ଡାଇରେକ୍ଟର ଏଥିପାଇଁ ଝିଅର ଅନୁମତି ମଧ୍ୟ ନେଇନାହାନ୍ତି । ତେବେ ଏବେ ପୁଲିସ୍‌ ହସ୍ପିଟାଲରେ ନାବାଳିକାଙ୍କ ଗର୍ଭପାତ କରାଇଥିବା ଡାକ୍ତରଙ୍କୁ ଖୋଜୁଛି । ତଦନ୍ତକାରୀ ଅଧିକାରୀ ଆଶିଷ କୁମାର ସାହୁ, ମାମଲାରେ ଆହୁରି ଅଧିକ ଲୋକ ଗିରଫ ହୋଇ ପାରନ୍ତି ବୋଲି କହିଛନ୍ତି । ନାବାଳିକାଙ୍କ ପିତାଙ୍କ ଅଭିଯୋଗ ଆଧାରରେ ପୁଲିସ ଭାରତୀୟ ନ୍ୟାୟ ସଂହିତା ଧାରା ୭୦(୨), ୮୯ ଓ ପକ୍‌ସୋ ଅଧିନିୟମ ଧାରା ୪ ଓ ୬ରେ ଦୁଷ୍କର୍ମ ଅଭିଯୋଗ ରୁଜୁ କରିଛି । ଉଭୟ ଅଭିଯୁକ୍ତଙ୍କୁ ଯାଜପୁର ରୋଡ କୋର୍ଟରେ ହାଜର କରାଯାଇଥିଲା । ତେବେ କୋର୍ଟ ସେମାନଙ୍କ ଜାମିନ ନିବେଦନକୁ ଖାରଜ କରିବା ସହ ବିଚାର ବିଭାଗୀୟ ହାଜତ ପଠାଯାଇଛି ।