ଜମିପଟ୍ଟା ସଂଶୋଧନ ସାରିବାକୁ ନିର୍ଦ୍ଦେଶ ; ବିଳମ୍ବ ହେଲେ ତହସିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର : ରାଜ୍ୟର ସମସ୍ତ ଜିଲ୍ଲାରେ ଜମିପଟ୍ଟା ବା ରେକର୍ଡ ଅଫ ରାଇଟ୍ସର ସଂଶୋଧନ ସମ୍ବନ୍ଧୀୟ ଅପେକ୍ଷିତ ମାମଲାଗୁଡ଼ିକୁ ସମୟସୀମା ମଧ୍ୟରେ ସାରିବା ପାଇଁ ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଜିଲ୍ଲାପାଳମାନଙ୍କୁ ବ୍ୟକ୍ତିଗତ ଭାବେ ନିରୀକ୍ଷଣ କରିବାକୁ କୁହାଯାଇଛି । ଏପରିକି ବିଳମ୍ବ ହେଲେ ତହସିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବବୋଲି ଚେତାବନୀ ଦିଆଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ ସମସ୍ତ ଅପେକ୍ଷିତ ମାମଲାକୁ ମିଶନ୍ ମୋଡରେ ସମାଧାନ କରିବା ଓ କୌଣସି ପ୍ରକ୍ରିୟାଗତ ବିଳମ୍ବ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତହସିଲ୍ ଭିତ୍ତିକ ସମୀକ୍ଷା ପରେ ନୂଆପଡ଼ା, କୋରାପୁଟ, ବୌଦ୍ଧ, କଳାହାଣ୍ଡି, ମାଲକାନଗିରି ଓ ସମ୍ବଲପୁର ଆଦି ଜିଲ୍ଲାର ସକ୍ରିୟ ଅଗ୍ରଗତିକୁ ନେଇ ରାଜସ୍ୱ ସଚିବ ସନ୍ତୋଷ ପ୍ରକାଶ କରିଥିବା ବେଳେ କିଛି ଜିଲ୍ଲାରେ ଅଧିକ ବିଳମ୍ବ ଓ ଅସନ୍ତୋଷଜନକ ପ୍ରଗତି ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ।
ଡ. ପାଢ଼ୀ କହିଛନ୍ତିଯେ, କଲମ–୨ ବା ଖତିଆନରେ ୨ ଖାନା ସଂଶୋଧନ କେବଳ ଏକ ସାଧାରଣ ସରକାରୀ ଦ୍ଭ ପ୍ରକ୍ରିୟା ନୁହେଁ ; ଏହା ଜମି ମାଲିକାନାର ସୁରକ୍ଷା ଓ ସରକାରୀ ସେବା ପ୍ରଦାନ ସହ ସିଧାସଳଖ ଭାବରେ ସମ୍ପୃକ୍ତ । ସଠିକ୍ ସଂଶୋଧନ ଓ ଚାଷୀ ପଞ୍ଜୀକରଣ ମାଧ୍ୟମରେ ଚାଷୀମାନେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଓ ଅନ୍ୟାନ୍ୟ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଯୋଜନାର ସିଧାସଳଖ ସୁଫଳ ପାଇପାରିବେ । ମାତ୍ର ଏଥିରେ ବିଳମ୍ବ ହେଲେ ନାଗରିକମାନେ ସିଧାସଳଖ ପ୍ରଭାବିତ ହେବେ ଏବଂ ପ୍ରଶାସନିକ କାର୍ଯ୍ୟକୁଶଳତା ହ୍ରାସ ପାଇବ । ଏହି ପରିପ୍ରେକ୍ଷୀରେ ଜାରି ହୋଇଥିବା ପ୍ରମୁଖ ନିର୍ଦ୍ଦେଶାବଳୀଗୁଡିକ ମଧ୍ୟରେ ସମୟସୀମା ମଧ୍ୟରେ ନିଷ୍ପତ୍ତି ନେଇ ସମସ୍ତ ଅପେକ୍ଷିତ ବା ବଳକା ମାମଲାକୁ ମିଶନ୍ ମୋଡରେ ସଠିକ୍ ସମୟରେ ସାରିବାକୁ ଗୁରୁତ୍ୱ ଦିଆଯାଇଛି । ଅଧିକ ବଳକା ମାମଲା ଥିବା ତହସିଲଦାରମାନଙ୍କୁ ଚିହ୍ନଟ କରି ଆବଶ୍ୟକ ନିର୍ଦ୍ଦେଶ ତଥା ଚେତାବନୀ ଜାରି କରିବା ସହ ଅସନ୍ତୋଷଜନକ କାର୍ଯ୍ୟଦକ୍ଷତା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଉପଜିଲ୍ଲାପାଳମାନେ ନିୟମିତ ନିରୀକ୍ଷଣ ପାଇଁ ଉତ୍ତରଦାୟୀ ରହିବା ସହ ବଳକା ମାମଲା ଶୀଘ୍ର ସାରିବା ପ୍ରକ୍ରିୟାର ପର୍ଯ୍ୟବେକ୍ଷଣ ପାଇଁ ଡ୍ୟାସବୋର୍ଡ ବ୍ୟବସ୍ଥା ଆରମ୍ଭ ହେବ । ସଂଶୋଧନ ପ୍ରକ୍ରିୟାର ଅଗ୍ରଗତି ଓ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କିତ ସଂଯୁକ୍ତ ରିପୋର୍ଟ ନିୟମିତ ଭାବରେ ଦାଖଲ କରିବା ସହ ଏଥି ସହ ସମ୍ପୃକ୍ତ ସମସ୍ୟାଗୁଡ଼ିକୁ ବିଭାଗକୁ ଅବଗତ କରାଇବା ପାଇଁ କୁହାଯାଇଛି ।