ରାଜ୍ୟସ୍ତରୀୟ ଶିଶୁ ଉତ୍ସବ ‘ମହକ’ : ଯୋଗଦେଲେ ୫ଶହ ଶିଶୁ

ଭୁବନେଶ୍ୱର : ରାଜ୍ୟସ୍ତରୀୟ ଶିଶୁ ଉତ୍ସବ ‘ମହକ’ ଆଜି ଉଦ୍‌ଘାଟିତ ହୋଇଯାଇଛି । ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଆନୁକୂଲ୍ୟରେ ୫ ଦିନ ଧରି କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେଉଛି । ଏଥିରେ ରାଜ୍ୟର ସମସ୍ତ ଜିଲ୍ଲାରୁ ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ଶିଶୁ ଅଂଶଗ୍ରହଣ କରି ଗୀତ, ନୃତ୍ୟ, ଚିତ୍ରାଙ୍କନ, ବକ୍ତୃତା, ସାଧାରଣ ଜ୍ଞାନ ଆଦି ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ନିଜର ପ୍ରତିଭା ପ୍ରଦର୍ଶନ କରିବେ ।  


       ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ସମନ୍ୱିତ ଶିଶୁ ବିକାଶ ଯୋଜନାର ନିର୍ଦ୍ଦେଶକ ମୋନିଷା ବାନାର୍ଜୀ, ବିଭାଗୀୟ ଅତିରିକ୍ତ ଶାସନ ସଚିବ କୃତିବାସ ରାଉତ ପ୍ରମୁଖ ଯୋଗଦେଇ ଶିଶୁମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ପ୍ରତ୍ୟେକ ଶିଶୁ ମଧ୍ୟରେ ଭରି ରହିଥିବା ପ୍ରତିଭାର ପରିପ୍ରକାଶ ନିମନ୍ତେ ‘ମହକ’ ଏକ ପ୍ରକୃଷ୍ଟ ମଞ୍ଚ ହେବ ବୋଲି ଅତିଥିମାନେ ଆଶା ପ୍ରକାଶ କରିଥିଲେ । ଏହି ଉଦ୍‌ଘାଟନୀ ଉତ୍ସବରେ ମିଶନ ବାତ୍ସଲ୍ୟ ସଫଳତା ଉପରେ ଏକ ବୃତ୍ତଚିତ୍ର ପରିବେଷିତ ହୋଇଥିଲା । ଏଥି ସହ ଓଡିଶାରେ ଶିଶୁ ସୁରକ୍ଷା ଯାତ୍ରା ଉପରେ ଆଧାରିତ ଏକ କଫି ଟେବୁଲ୍‌ ବୁକକୁ ଅତିଥିମାନେ ଉନ୍ମୋଚିତ କରିଥିଲେ ।