ଭାରତ-ଭୁଟାନ ସମ୍ପର୍କ ପ୍ରଗତି ଆଧାରିତ: ମୋଦି

ଭାରତ-ଭୁଟାନ ସମ୍ପର୍କ ପ୍ରଗତି ଆଧାରିତ: ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭୁଟାନର ଥିମ୍ପୁର ଚାଙ୍ଗଲିମେଥାଙ୍ଗ ସେଲିବ୍ରେସନ୍‌ ଗ୍ରାଉଣ୍ଡରେ ଏକ ସମାବେଶରେ ଯୋଗଦେଇଥିଲେ । ପ୍ରଧାନମନ୍ତ୍ରୀ ଭୁଟାନର ରାଜା  ଜିଗମେ ଖେସର ନାମଗ୍‌ୟେଲ ୱାଙ୍ଗଚୁକ୍‌ ଏବଂ ଚତୁର୍ଥ ରାଜା ଜିଗମେ ସିଙ୍ଗୟେ ୱାଙ୍ଗଚୁକ୍‌ ଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ । ସେ ରାଜପରିବାରର ସମ୍ମାନିତ ସଦସ୍ୟ, ଭୁଟାନର ପ୍ରଧାନମନ୍ତ୍ରୀ,  ଶେରିଂ ତୋବଗେ ଏବଂ ଉପସ୍ଥିତ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନର ସହିତ ସ୍ୱାଗତ କରିଥିଲେ ।


     ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ଭୁଟାନ, ଭୁଟାନର ରାଜପରିବାର ଏବଂ ବିଶ୍ୱ ଶାନ୍ତିରେ ବିଶ୍ୱାସ କରୁଥିବା ସମସ୍ତଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ । ସେ ଭାରତ ଓ ଭୁଟାନ ମଧ୍ୟରେ ଶହ ଶହ ବର୍ଷ ଧରି ରହିଥିବା ଗଭୀର ଭାବପ୍ରବଣତାପୂର୍ଣ୍ଣ ଏବଂ ସାଂସ୍କୃତିକ ସମ୍ପର୍କ ଉପରେ ଆଲୋକପାତ କରିଥିଲେ । ଆଜି ଗୁରୁ ପଦ୍ମସମ୍ଭବଙ୍କ ଆଶୀର୍ବାଦରେ ଭୁଟାନରେ ବିଶ୍ୱ ଶାନ୍ତି ପ୍ରାର୍ଥନା ମହୋତ୍ସବ ଅନୁଷ୍ଠିତ ହେଉଛି ଏବଂ ଏହା ସହିତ ଭଗବାନ ବୁଦ୍ଧଙ୍କ ପିପ୍ରାହୱା ଅବଶେଷର ପବିତ୍ର ଦର୍ଶନ ମଧ୍ୟ କରାଯାଉଛି । ଏହି ଅବସରରେ ମହାମହିମ ଚତୁର୍ଥ ରାଜାଙ୍କ ୭୦ତମ ଜନ୍ମବାର୍ଷିକୀ ପାଳନ କରାଯାଉଛି, ଯେଉଁଥିରେ ଅନେକ ବ୍ୟକ୍ତିଙ୍କ ମର୍ଯ୍ୟାଦାଜନକ ଉପସ୍ଥିତି ଭାରତ - ଭୁଟାନ ସମ୍ପର୍କର ଶକ୍ତିକୁ ପ୍ରତିଫଳିତ କରୁଛି । ଭାରତ ‘ବସୁଧୈବ କୁଟୁମ୍ବକମ୍‌ - ବିଶ୍ୱ ଏକ ପରିବାର’  ଭଳି ପ୍ରାଚୀନ ଆଦର୍ଶରୁ ପ୍ରେରଣା ନିଏ ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ "ସର୍ବେ ଭବନ୍ତୁ ସୁଖିନଃ’ ମନ୍ତ୍ର ମାଧ୍ୟମରେ ସାର୍ବଜନୀନ ସୁଖ ପାଇଁ ଭାରତର ପ୍ରାର୍ଥନାକୁ ପୁନରାବୃତ୍ତି କରିଥିଲେ । 


     ଚତୁର୍ଥ ରାଜାଙ୍କୁ ସମ୍ମାନ ପ୍ରଦର୍ଶନ କରି  ତାଙ୍କ ଜୀବନକୁ ଜ୍ଞାନ, ସରଳତା, ସାହସ ଏବଂ ଦେଶ ପ୍ରତି ନିଃସ୍ୱାର୍ଥପର ସେବାର ସଙ୍ଗମ ଭାବରେ ବର୍ଣ୍ଣନା କରିଥିଲେ । ମହାମହିମଙ୍କ ଦ୍ୱାରା ପ୍ରଚଳିତ "ସମଗ୍ର ଜାତୀୟ ଖୁସି’ ଧାରଣା ଅଭିବୃଦ୍ଧିକୁ ପରିଭାଷିତ କରିବା ପାଇଁ ଏକ ବିଶ୍ୱସ୍ତରୀୟ ସ୍ୱୀକୃତିପ୍ରାପ୍ତ ମାନଦଣ୍ଡ ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ଭାରତ ଏବଂ ଭୁଟାନ କେବଳ ସୀମା ଦ୍ୱାରା ଯୋଡି ହୋଇନାହାନ୍ତି, ସେମାନେ ସଂସ୍କୃତି ଦ୍ୱାରା ମଧ୍ୟ ଯୋଡି ହୋଇଛନ୍ତି । ଆମର ସମ୍ପର୍କ ମୂଲ୍ୟବୋଧ, ଭାବନା, ଶାନ୍ତି ଏବଂ ପ୍ରଗତି କ୍ଷେତ୍ରରେ ଏକ  ବୋଲି ମୋଦି  କହିଥିଲେ । ଉଭୟ ଭାରତ - ଭୁଟାନ ଜଳବିଦ୍ୟୁତ ସହଯୋଗର ମୂଳଦୁଆ ମହାମହିମ ଚତୁର୍ଥ ରାଜାଙ୍କ ନେତୃତ୍ୱରେ ସ୍ଥାପିତ ହୋଇଥିଲା । ଏହି ଦୂରଦୃଷ୍ଟିପୂର୍ଣ୍ଣ ଭିତ୍ତିଭୂମି ଭୂଟାନକୁ ବିଶ୍ୱର ପ୍ରଥମ କାର୍ବନ-ନେଗେଟିଭ୍‌ ଦେଶ ହେବାକୁ ସକ୍ଷମ କରିଛି । ମୋଦି ଘୋଷଣା କରିଥିଲେ ଯେ, ଭାରତ ସରକାର ବାରାଣସୀରେ ଏକ ଭୁଟାନିଜ୍‌ ମନ୍ଦିର ଏବଂ ଅତିଥି ଭବନ ନିର୍ମାଣ ପାଇଁ ଆବଶ୍ୟକୀୟ ଜମି ଯୋଗାଇ ଦେଉଛନ୍ତି । ଏହି ମନ୍ଦିରଗୁଡ଼ିକ ଭାରତ ଓ ଭୁଟାନ ମଧ୍ୟରେ ମୂଲ୍ୟବାନ ଏବଂ ଐତିହାସିକ ସାଂସ୍କୃତିକ ସମ୍ପର୍କକୁ ମଜଭୁତ କରୁଛି । ଉଭୟ ଦେଶ ଉପରେ ଭଗବାନ ବୁଦ୍ଧ ଏବଂ ଗୁରୁ ରିନପୋଚେଙ୍କ ନିରନ୍ତର ଆଶୀର୍ବାଦ ପାଇଁ ପ୍ରାର୍ଥନା କରିଥିଲେ ।