ଶୁଭାଂଶୁଙ୍କ ସହ କଥା ହେଲେ ମୋଦି : ‘ମହାକାଶରୁ ଭବ୍ୟ ଦିଶୁଛି ଭାରତ’

 ଶୁଭାଂଶୁଙ୍କ ସହ କଥା ହେଲେ ମୋଦି :  ‘ମହାକାଶରୁ ଭବ୍ୟ ଦିଶୁଛି ଭାରତ’

ନୂଆଦିଲ୍ଲୀ: ମହାକାଶରୁ ଆଜି ଶୁଭାଂଶୁଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍)ରୁ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା ମୋଦିଙ୍କ ସହିତ ଭିଡିଓ କଲ୍ ତଥା ଆଭାସୀ ଯୋଗେ କଥା ହୋଇ ୧୪୦ କୋଟି ଦେଶବାସୀଙ୍କ ପ୍ରଶଂସା ସାଉଁଟିଛନ୍ତି । ପ୍ରଥମତଃ ମୋଦି ଏହି ଶୁଭାଂଶୁଙ୍କୁ ମହାକାଶ ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହ ଏହା ୧୪୦ କୋଟି ଭାରତୀୟଙ୍କ ସଫଳତା ବୋଲି ଜଣାଇଥିଲେ । ଏହାସହ ମୋଦି ଶୁଭାଂଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ମିଶନ ବିଷୟରେ ସମ୍ୟକ ପ୍ରଶ୍ନ କରିଥିବା ବେଳେ ଉତ୍ତରରେ ଶୁଭାଂଶୁ ଖୁବ୍ ଭଲ ଥିବା କହିଥିଲେ । ଏହାସହ ତାଙ୍କ ଅନୁସନ୍ଧାନ ଜାରି ରଖିଥିବା କହିଥିଲେ ।
ରାକେଶ ଶର୍ମାଙ୍କ ଭଳି ଆପଣ ମଧ୍ୟ ଇତିହାସ ରଚିଥିବା ମୋଦି କହିଥିଲେ । ମୋଦି କହିଥିଲେ ଆପଣ ମାତୃଭୂମି ଠାରୁ ଦୂରରେ ଥିଲେ ମଧ୍ୟ ୧୪୦ କୋଟି ଭାରତୀୟଙ୍କ ହୃଦହରେ ଅବସ୍ଥାନ କରିଛନ୍ତି । ମୋଦି ବ୍ୟକ୍ତିଗତ ଭାବେ ଶୁଭାଂଶୁଙ୍କୁ କହିଥିଲେ ଯେ, ଆପଣଙ୍କ ନାଁରେ ‘ଶୁଭ’ ରହିଛି ଏବଂ ଆପଣଙ୍କ ଯାତ୍ରା ବି ନୂଆଯୁଗର ଶୁଭାରମ୍ଭକୁ ଦର୍ଶାଇଛି । ଆପଣଙ୍କ ଏହି ଐତିହାସିକ ଯାତ୍ରା ଭାରତୀୟ ଯୁବପିଢ଼ିଙ୍କ ପ୍ରେରଣା ବୋଲି କହିଥିଲେ । ଶୁଭାଂଶୁ ମଧ୍ୟ ଅଭିନନ୍ଦନକୁ ସାଦରେ ଗ୍ରହଣ କରି ଭାରତକୁ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ମିଳିଥିବାରୁ ନିଜକୁ ଧନ୍ୟ ମନେ କରିଥିବା କହିଥିଲେ । ଏହାସହ ତାଙ୍କ ଭଳି ଅନ୍ୟ ଭାରତୀୟମାନେ ମଧ୍ୟ ମହାକାଶ ଆସି ଏହାର ଅନୁଭବ ନିଅନ୍ତୁ ବୋଲି ମନକାମନା କରିଥିଲେ । ସେ ମହାକାଶରେ ଛିଡ଼ା ହୋଇଥିବା ସ୍ଥାନରେ ତାଙ୍କ ପଛପାଶ୍ୱର୍ରେ ଲଗାଯାଇଥିବା ତ୍ରିରଙ୍ଗା ଏହା ଦର୍ଶାଉଥିଲା ଯେ, ଏହା କେବଳ ଆକ୍ସିୟମ୍-୪ ମିଶନ୍ର ସଫଳତା ନୁହେଁ ବରଂ ମହାକାଶ କ୍ଷେତ୍ରରେ ଭାରତର ଆଉ ଏକ ସଫଳତା । ମହାକାଶରୁ ପୃଥିବୀ ତଥା ଭାରତ କେମିତି ଦିଶୁଛି ପ୍ରଶ୍ନରେ ଶୁଭାଂଶୁ କହିଥିଲେ, ଏତେ ଦୂରରୁ ପୃଥିବୀ ଖୁବ୍ ସୁନ୍ଦର ଦିଶୁଛି । ଏହାସହ ଦେଶର କୌଣସି ବି ସୀମା ସରହଦ ଏଠାରେ ନାହିଁ । ଆଉ ଭାରତ କଥା ଦେଖିବାକୁ ଗଲେ ମାନଚିତ୍ର ଅପେକ୍ଷା ଏହା ବାସ୍ତବରେ ଖୁବ୍ ବୃହତ, ଅନନ୍ୟ ଓ ସୁନ୍ଦର ଦେଖା ଯାଉଥିବା କହିଥିଲେ ।   ଏ ଅବସରରେ ମୋଦି ଶୁଭାଂଶୁଙ୍କୁ ହୋମ୍ ୱାର୍କ ଦେବା ସ୍ୱରୂପ କହିଥିଲେ, ଆପଣଙ୍କର ଏ ମହାକାଶ ଅନୁଭବ ଏବଂ ଅନୁସନ୍ଧାନ ଆସନ୍ତା ଦିନରେ ହେବାକୁ ଥିବା ଗଗନାୟନ, ଚନ୍ଦ୍ରୟାନ ଭଳି ଅଭିଯାନ ପାଇଁ ବିଶେଷ ଉପଯୋଗୀ ହେବ । ଏହାସହ ଭାରତ ମଧ୍ୟ ମହାକାଶରେ ନିଜର ସ୍ପେସ୍ ଷ୍ଟେସନ୍ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଆପଣଙ୍କ ପରାମର୍ଶ ଖୁବ୍ ଉପଯୋଗୀ ହେବ ବୋଲି କହିଥିଲେ । ମହାକାଶ କ୍ଷେତ୍ରରେ ଆପଣଙ୍କ ସହାୟତାରେ ଭାରତ ଆଜି ଯେଉଁ ଇତିହାସ ସୃଷ୍ଟି କରିଛି ତାହା ଆଗାମୀ ପିଢ଼ି ପାଇଁ ଐତିହାସିକ ହୋଇ ରହିବ ବୋଲି କହିଥିଲେ ।.