ସୋମବାର ନୂଆ ବିଜେପି ସଭାପତି

ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ନେଇ ଚାଲିଥିବା ଦ୍ୱନ୍ଦ୍ୱର ଅବସାନ ଘଟିବାକୁ ଯାଉଛି । ଆସନ୍ତା ସୋମବାର ବିଜେପି ନୂଆ ରାଜ୍ୟ ସଭାପତି ଚୟନ କରିବ । ଆସନ୍ତାକାଲି ଠାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ । ଜୁଲାଇ ପହିଲା ଅର୍ଥାତ୍ ମଙ୍ଗଳବାର ଏଥିପାଇଁ ଭୋଟ୍ ଗ୍ରହଣ ପାଇଁ ଦିନ ଧାର୍ଯ୍ୟ ହୋଇଛି । ତେବେ ବିଜେପି ସବୁବେଳେ ସହମତି ଭିତିରେ ରାଜ୍ୟ ସଭାପତି ଚୟନ କରୁଥିବାରୁ ସୋମବାର ନାମାଙ୍କନରୁ ହିଁ ସବୁକିଛି ସ୍ପଷ୍ଟ ହୋଇଯିବ । ଦଳୀୟ ଅଳିନ୍ଦରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ରାଜ୍ୟ ସଭାପତି ରେସ୍ରେ ସର୍ବାଗ୍ରେ ମନମୋହନ ସାମଲ ଅଛନ୍ତି । ତେବେ ପ୍ରଦୀପ ପୁରୋହିତ, ଯତୀନ ମହାନ୍ତି, ସୁକାନ୍ତ ପାଣିଗ୍ରାହୀ ଓ ସାରଦା ଶତପଥିଙ୍କ ନାମ ବି ଶୁଣିବାକୁ ମିଳୁଛି ।
ଦୁଇ ଦିନ ଭିତରେ ବିଜେପିର ନୂଆ ସଭାପତି ନିର୍ବାଚନ ହେବାର ଥିବାରୁ ବିଜେପି ଶିବିର ଚଳଚଞ୍ଚଳ ହୋଇଯାଇଛି । ରାଜ୍ୟ ବିଜେପିର ପ୍ରମୁଖ ନେତାମାନେ ନୂଆ ସଭାପତି ଚୟନ କରିବେ ବୋଲି ବାର୍ତ୍ତା ଦିଆଯାଉଥିଲେ ବି ବାସ୍ତବରେ କେନ୍ଦ୍ରୀୟ ବିଜେପି ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନେଇଥା’ନ୍ତି । କେନ୍ଦ୍ରୀୟ ବିଜେପିଙ୍କ ନିଷ୍ପତ୍ତି କେବଳ ରାଜ୍ୟ ସାଂଗଠନିକ ନିର୍ବାଚନ ବେଳେ କାର୍ଯ୍ୟକାରୀ ହିଁ ହୋଇଥାଏ । ଏଯାଏଁ କିଏ ସଭାପତି ହେବେ ସେନେଇ କେହି କିଛି ସ୍ପଷ୍ଟ ଭାବେ କହିପାରୁନାହାନ୍ତି । ପ୍ରଥମ ଥର ପାଇଁ ବିଜେପି ସରକାର ଗଢ଼ିଥିବାରୁ ନୂଆ ରାଜ୍ୟ ସଭାପତିଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିବ । କାହିଁକିନା ତାଙ୍କ ନେତୃତ୍ୱରେ ଦଳ ଗୁୁରୁତ୍ୱପୂର୍ଣ୍ଣ ପଞ୍ଚାୟତ ଓ ପୌର ନିର୍ବାଚନ ଲଢ଼ିବ । ଯେଉଁ ନେତା ସରକାର ଓ ସଂଗଠନକୁ ସାଙ୍ଗରେ ଧରି ଚାଲିପାରିବ ସେଭଳି ନେତାଙ୍କୁ ହିଁ ରାଷ୍ଟ୍ରୀୟ ବିଜେପି ନେତାମାନେ ଚୟନ କରିବେ ବୋଲି କୁହାଯାଉଛି । ଓଡ଼ିଶାରେ ଦୀର୍ଘଦିନ ଧରି ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଚାଲିଥିବାରୁ ସଭାପତି ଚୟନ ହୋଇପାରିନାହିଁ । ୨୦୨୪ ନିର୍ବାଚନ ବେଳେ ମନମୋହନ ସାମଲ ରାଜ୍ୟ ବିଜେପି ସଭାପତି ଥିଲେ । ସେମିତି ଦେଖିଲେ ତାଙ୍କୁ ୩ ବର୍ଷିଆ କାର୍ଯ୍ୟକାଳ ଦିଆଯାଇନଥିଲା । ତେଣୁ ସେ ପୁଣିଥରେ ସଭାପତି ହେବାକୁ ଆଗ୍ରହୀ ରହିବା ସ୍ୱାଭାବିକ । ଗୋଟିଏ ଗୋଷ୍ଠୀ ମନମୋହନଙ୍କ ସପକ୍ଷରେ ଲବି ବି କରୁଛନ୍ତି । ଅପରପକ୍ଷରେ ମନମୋହନଙ୍କ ବିରୋଧୀମାନେ କିନ୍ତୁ ତାଙ୍କୁ ସଭାପତି କରିବାକୁ ଚାହୁଁନାହାନ୍ତି । ଇତିମଧ୍ୟରେ ବିଜେପିରେ ଅନେକ ଗୋଷ୍ଠୀ ମୁଣ୍ଡ ଟେକୁଥିବା ଦେଖିବାକୁ ମିଳୁଛି । ବିଶେଷକରି ସମସ୍ତଙ୍କର ନଜର କିନ୍ତୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ରହିଛି । ୨୦୧୪ରେ ସେ କେନ୍ଦ୍ରମନ୍ତ୍ରୀ ହେବା ପରେ ବସ୍ତୁତଃ ରାଜ୍ୟ ବିଜେପିର ସଭାପତି ଚୟନରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଥିଲେ । ତେବେ ୨୦୨୩ରେ ହଠାତ୍ ସମୀର ମହାନ୍ତିଙ୍କୁ ହଟାଯାଇ ତାଙ୍କ ସ୍ଥାନରେ ମନମୋହନ ସାମଲଙ୍କ ନିଯୁକ୍ତିକୁ ନେଇ ବିଜେପିରେ ବେଶ୍ ହଟଚମଟ ସୃଷ୍ଟି ହୋଇଥିଲା । ଖାଲି ସେତିକିନୁହେଁ, ଯେଉଁ ସମୟରେ ବସନ୍ତ ପଣ୍ଡା ସଭାପତି ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ସେତେବେଳେ ବରିଷ୍ଠ ନେତା ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବି ନାମାଙ୍କନ ଦାଖଲ କରିଥିଲେ । କିନ୍ତୁ ପରେ ପ୍ରତାପଙ୍କୁ ବୁଝାଶୁଝା କରାଯିବାରୁ ସେ ନାମାଙ୍କନ ପ୍ରତ୍ୟାହାର କରିଥିଲେ । ଏଥିରୁ ଧର୍ମେନ୍ଦ୍ରଙ୍କ ଦବଦବା ବେଶ୍ ସ୍ପଷ୍ଟ ବାରି ହୋଇପଡୁଥିଲା । ଏବେ ଧର୍ମେନ୍ଦ୍ର ଦଳୀୟ କାର୍ଯ୍ୟକ୍ରମରେ ନୀରବ ରହୁଥିଲେବି ତାଙ୍କର ଗୋଟିଚାଳନା ଉପରେ ନଜର ରହିବା ସ୍ୱାଭାବିକ । ଗତ କିଛିଦିନ ଧରି ସେ ମଧ୍ୟ ଓଡ଼ିଶାରେ ଡେରା ପକାଇ ରହିଛନ୍ତି । ଏନେଇ ସୂଚନା ଦେଇ ରାଜ୍ୟ ନିର୍ବାଚନ ଅଧିକାରୀ ତଥା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତିଯେ, କେନ୍ଦ୍ର ନିର୍ବାଚନ ଅଧିକାରୀ ଡ. ବି. ଲକ୍ଷ୍ମଣଙ୍କ ନିଦେ୍ର୍ଦଶକ୍ରମେ ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା ଜୁନ୍ ୨୯ରୁ ଆରମ୍ଭ ହେବାକୁ ଯାଉଛି । ୩ ଦିନ ଧରି ହେବାକୁ ଥିବା ଏହି ନିର୍ବାଚନ ପ୍ରକ୍ରିୟା ଜୁଲାଇ ୧ ସୁଦ୍ଧା ଶେଷ ହେବ । ନିର୍ବାଚନ ପ୍ରକ୍ରିୟାର ସୁପରିଚାଳନା ଓ ତଦାରଖ କରିବା ପାଇଁ କେନ୍ଦ୍ର ନିର୍ବାଚନ ଅଧିକାରୀଙ୍କ ତରଫରୁ ବିହାର ସାଂସଦ ସଞ୍ଜୟ ଜୟସ୍ୱାଲଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଶ୍ରୀ ଜୟସ୍ୱାଲ ଓଡିଶା ଗସ୍ତ କରିବେ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ, ପ୍ରତି ୩ ବର୍ଷରେ ଥରେ ଭାରତୀୟ ଜନତା ପାର୍ଟିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୁଏ । ବିଗତ ନିର୍ବାଚନ ପରି ଚଳିତ ‘ସାଙ୍ଗଠନିକ ନିର୍ବାଚନ ୨୦୨୪’ ସ୍ଥାନୀୟସ୍ତରରୁ ଆରମ୍ଭ ହୋଇ ରାଷ୍ଟ୍ରୀୟ ସଭାପତିଙ୍କ ନିର୍ବାଚନରେ ଶେଷ ହେବ । ଇତିମଧ୍ୟରେ ବିଜେପିର ସ୍ଥାନୀୟ ସମିତି, ମଣ୍ଡଳ ସମିତି, ଜିଲ୍ଲା ସମିତି ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି ।