ସପ୍ତାହେ ସ୍କୁଲ ନଗଲେ ଘରକୁ ଯିବେ ଶିକ୍ଷକ 

ସପ୍ତାହେ ସ୍କୁଲ ନଗଲେ ଘରକୁ ଯିବେ ଶିକ୍ଷକ 

ଭୁବନେଶ୍ୱର : ରାଜ୍ୟରେ ବଢୁଥିବା ଡ୍ରପ ଆଉଟ୍‌ ହାରକୁ ନେଇ ଚିନ୍ତାରେ ରାଜ୍ୟ ସରକାର । ଏନେଇ ଗତ ଡିସେମ୍ବର ୨୬ ତାରିଖରେ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଓଏସ୍‌ସିପିସିଆର୍‌) ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି । ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ଚିଠି ଅନୁଯାୟୀ, ଡ୍ରପ୍‌ ଆଉଟ ହାର ରୋକିବା, ଶିଶୁ ଶ୍ରମିକ ରୋକିବା ଓ ବାଲ୍ୟ ବିବାହ ରୋକିବାକୁ ଗୁରୁତ୍ୱ ଦେବା ସହ ଯଦି କୌଣସି ପିଲା ସ୍କୁଲକୁ ସପ୍ତାହେ ଧରି ନ ଆସନ୍ତି, ତେବେ ତାଙ୍କ ଘରକୁ ସ୍କୁଲ କର୍ତ୍ତୃପକ୍ଷ ଯିବେ ଏବଂ ସିଧାସଳଖ ପିଲାର ବାପା, ମା’ଙ୍କ ସହ ଆଲୋଚନା କରିବେ । କାହିଁକି ସ୍କୁଲ ଆସୁନି ? ତାର କଣ ଅସୁବିଧା ରହିଛି ଏବଂ କେଉଁ କାରଣରୁ ସେ ପାଠ ପଢା ଛାଡିଛି ସବିଶେଷ ତଥ୍ୟ ସଂଗ୍ରହ କରିବେ । ଏପରିକି ପିଲାଙ୍କୁ ପୁଣି ଥରେ ସ୍କୁଲରେ ନାମ ଲେଖାଇବେ । ଏହା ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ପାଇଁ କାର୍ଯ୍ୟକାରୀ ବାଧ୍ୟତାମୂଳକ ବୋଲି କୁହାଯାଇଛି ।

   ସେହିପରି ଯଦି ଘର ପରିଦର୍ଶନ ସମୟରେ ସୂଚନା ପାଆନ୍ତି ଯେ, ଆର୍ଥିକ ସମସ୍ୟା ପାଇଁ ପିଲାଟି କୌଣସି ସ୍ଥାନରେ ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଛି ତେବେ ଶ୍ରମ ବିଭାଗ ସହ ଯୋଗାଯୋଗ କରି ଶିଶୁଟିକୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ କାର୍ଯ୍ୟ କରିବେ । ଏହା ସହ ଯଦି ବାଲ୍ୟ ବିବାହ ପାଇଁ ଶିଶୁଟି ଅଧାରୁ ପାଠପଢା ଛାଡିଛି ତେବେ ଏହାକୁ ରୋକିବେ । ଏନେଇ ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ ତରଫରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି ।