ଓଡ଼ିଶାରେ ‘ନୁ୍ୟ ଏଜ୍ ଅର୍ଥନୀତି’ର ନେତୃତ୍ୱ ନେବ ଭିସୁଟ

 ବୁର୍ଲା :  ଦଶନ୍ଧି ଦଶନ୍ଧି ଧରି ଭିସୁଟ ରାଜ୍ୟ ତଥା ଦେଶରେ ବୈଷୟିକ ଶିକ୍ଷାର ପ୍ରସାର କରିଆସୁଛି  । ଗରିବ ଓ ସାଧାରଣ ଘରୁ ଆସି ଭିସୁଟରେ ପଢୁଥିବା ପିଲାମାନେ ଆମ ଦେଶର ବୈଜ୍ଞାନିକ ଓ ଇଞ୍ଜିନିୟରିଂ ଶକ୍ତିର ପ୍ରତୀକ ହୋଇଛନ୍ତି ବୋଲି ଶନିବାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ), ବୁର୍ଲାର ୧୬ତମ ସମାବର୍ତ୍ତନ ସମାରୋହରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କ ସହ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଡିଗ୍ରି, ଉପାଧି ଓ ପଦକ ଲାଭ କରିଥିବା ଛାତ୍ରଛାତ୍ରୀ ଓ ଗବେଷକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି, ଛାତ୍ରଛାତ୍ରୀ ଓ ଗବେଷକମାନଙ୍କ ପାଇଁ ବିଶ୍ୱମାନର ଗୁଣାତ୍ମକ ଶିକ୍ଷାର ସୁଯୋଗ ପ୍ରଦାନ କରି ଭିସୁଟ ଆଗାମୀ ଦିନରେ ସାରା ଦୁନିଆରେ ଆହୁରି ସୁନାମ ଅର୍ଜନ କରିବାର ସାମର୍ଥ୍ୟ ବହନ କରୁଛି । ଏକବିଂଶ ଶତାବ୍ଦୀ ହେଉଛି ଜ୍ଞାନର ଶତାବ୍ଦୀ  । ବୈଷୟିକ ଜ୍ଞାନକୌଶଳର ବିକାଶ ଖୁବ୍ ଦ୍ରୁତ ଗତିରେ ହେଉଛି । ଏହି ସମୟରେ ଆମର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚାକିରି ଖୋଜିବା ନୁହେଁ ବରଂ ଚାକିରିଦାତା ହେବାର ଇଚ୍ଚାଶକ୍ତି ବଢିବା ଦରକାର ।   ଆଜି ଯେତେବେଳେ ଓଡ଼ିଶାରେ ନୁ୍ୟ ଏଜ୍ ଅର୍ଥନୀତିର ଧାରା ଆରମ୍ଭ ହୋଇଛି, ଭିସୁଟ ତାହାର ନେତୃତ୍ୱ ନେବ । ଭିସୁଟକୁ ଭବିଷ୍ୟତ ଆଧାରିତ ବୈଷୟିକ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପାଇଁ ସମସ୍ତଙ୍କୁ ଦାୟିତ୍ୱ ନେବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି । 
ଏହି ଅବସରରେ  ରାଜ୍ୟପାଳ ଓ ଶ୍ରୀ ପ୍ରଧାନଙ୍କ କରକମଳରେ ‘ଓପନ ଏୟାର କ୍ଲାସରୁମ’ ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଥିଲା । ଏହା ପୂର୍ବରୁ ଶ୍ରୀ ପ୍ରଧାନ ଭିସୁଟ, ବୁର୍ଲା କ୍ୟାମ୍ପସ ପରିସରରେ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ବରପୁତ୍ର ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।  ଏଥିରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମନ୍ତ୍ରୀ ରବି ନାରାୟଣ ନାଏକ, ବିଧାୟକ ଜୟ ନାରାୟଣ ମିଶ୍ର, ବିଧାୟକ ଇରାଶିଷ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇଥିଲେ ।