ସମ୍ପତ୍ତି ତାଲିକା ଦେବେ ଶ୍ରୀମନ୍ଦିର କର୍ମଚାରୀ
ପୁରୀ: ଶ୍ରୀମନ୍ଦିରର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ୫ ସୂତ୍ରୀ କାର୍ଯ୍ୟାବଳୀ ଅନୁପାଳନ କରିବେ । ଏନେଇ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ପରାମର୍ଶ ଦେଇଛନ୍ତି । ସେଗୁଡ଼ିକ ହେଉଛି; ଡୁ୍ୟଟି ସମୟରେ ଶ୍ରୀମନ୍ଦିର ପ୍ରଶାସନର କୌଣସି ଅଧିକାରୀ ତଥା କର୍ମଚାରୀ ପାନ, ଗୁଟଖା କିମ୍ବା କୌଣସି ମାଦକ ଦ୍ରବ୍ୟ ସେବନ କରିବେ ନାହିଁ । ସେହିପରି ପ୍ରତ୍ୟେକ ମାସ ତୃତୀୟ ଶୁକ୍ରବାରରେ ବରିଷ୍ଠ ଅଧିକାରୀଙ୍କସ୍ତରରେ କାର୍ଯ୍ୟ ସମୀକ୍ଷା କରାଯିବ । ସମସ୍ତ ଅଧିକାରୀ ତଥା କର୍ମଚାରୀମାନେ ଜାନୁଆରୀ ୩୧ ସୁଦ୍ଧା ୨୦୨୪ ବର୍ଷ ପାଇଁ ବାଧ୍ୟତାମୂଳକ ଭାବେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ । ଏହା ଦାଖଲ ନକଲେ କୌଣସି ଇନକ୍ରିମେଣ୍ଟ, ପଦୋନ୍ନତି, ପୁରସ୍କାର କିମ୍ବା କୌଣସି ଆର୍ଥିକ ପ୍ରୋସôାହନ ରାଶି ପ୍ରଦାନ କରାଯିବ ନାହିଁ । ପ୍ରତ୍ୟେକ ଶୁକ୍ରବାର ସମସ୍ତ ଅଧିକାରୀ ତଥା କର୍ମଚାରୀ ହସ୍ତତନ୍ତ ଲୁଗା ପିନ୍ଧି କାର୍ଯ୍ୟାଳୟ ଆସିବେ । ୟୁନିଫର୍ମ ପୋଷାକଧାରୀଙ୍କ ସକାଶେ ଏହା ଲାଗୁ ହେବ ନାହିଁ । ଶ୍ରୀମନ୍ଦିର ମଧ୍ୟରେ ଅଧିକାରୀ ତଥା କର୍ମଚାରୀଙ୍କ ମୋବାଇଲ୍ ବ୍ୟବହାର ଉପରେ ମଧ୍ୟ କଟକଣା ଜାରି କରାଯାଇଛି ।