ଏଟିଏମ୍ ଲୁଟେରା ଗିରଫ

 ପୁରୀ: ଏଟିଏମ୍ରୁ ଟଙ୍କା ଉଠାଇବା ପାଇଁ ଆସୁଥିବା ବୟସ୍କ ଲୋକମାନଙ୍କୁ ସାହାଯ୍ୟ କରିବା ବାହାନାରେ ତାଙ୍କ ଏଟିଏମ୍ କାର୍ଡ଼ ବଦଳାଇ ଦେଇ ଟଙ୍କା ଲୁଟ୍ କରୁଥିବା ଜଣେ ଆନ୍ତଃରାଜ୍ୟ ଲୁଟେରାକୁ କୁମ୍ଭାରପଡ଼ା ଥାନା ଅଞ୍ଚଳରୁ ଟାଉନଥାନା ପୋଲିସ ଗିରଫ କରିଛଇ । ପୋଲିସ ଏହି ଲୁଟେରା ରହୁଥିବା ହୋଟେଲ ପରିଚୟର କୋଠରୀ ଉପରେ ଚଢାଉ କରି ବିଭିନ୍ନ ନମ୍ବରର ୧୧ଟି ଏଟିଏମ୍ କାର୍ଡ଼, ନଗଦ ୭୮ହଜାର ଟଙ୍କା, ଅରୁନ୍ଧତି ଜୁଲଲାରୀରୁ ଖରିଦ କରିଥିବା ୬୦ହଜାର ଟଙ୍କା ମୂଲ୍ୟର ଏକ ସୁନା ମୁଦି, ଖିମ୍ଜି ଜୁଏଲାରୀରୁ ୫୬ହଜାର ଟଙ୍କା ମୂଲ୍ୟର ଏକ ସୁନା ମୁଦି ଜବତ କରିଛି ବୋଲି ଅତିରିକ୍ତ ଏସ୍.ପି ସୁଶୀଲ ମିଶ୍ର ପ୍ରକାଶ କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଅତିରିକ୍ତ ଏସ୍.ପି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି ଯେ ଗତ ୯ତାରିଖ ପୂର୍ବାହ୍ନରେ ଦରଜି ପୋଖରୀ ନିକଟସ୍ଥ ବ୍ୟାଙ୍କ ଅଫ୍ ବରୋଦାର ଏଟିଏମ୍ରୁ ଟଙ୍କା ଉଠାଇବା ପାଇଁ ଯାଇଥିବା ପୁରୀ ସଦର ଅନ୍ତର୍ଗତ ଆଳିକିଆ ଗ୍ରାମର ହନୁମାନ ପାଣିଗ୍ରାହୀ (୬୭) ବାରମ୍ବାର ଚେଷ୍ଟା କରିବା ପରେ ମଧ୍ୟ ଟଙ୍କା ଉଠାଇ ପାରିନଥିଲେ ।  ସେଠାରେ ଉପସ୍ଥିତ ଜଣେ ଯୁବକ ତାଙ୍କୁ ସାହାଯ୍ୟ କରିବା ପାଇଁ କହି ଉକ୍ତ ଏଟିଏମ୍ କାର୍ଡ଼ଟିକୁ ବଦଳାଇ ଦେଇଥିଲା । ପରେ ତାଙ୍କ ଏଟିଏମ୍ କାର୍ଡ଼କୁ ବ୍ୟବହାର କରି ପ୍ରଥମେ ୨୫ହଜାର ଟଙ୍କା କାଢିନେଇଥିଲା । ଏହା ପରେ ସଂପୃକ୍ତ ଯୁବକ ଅରୁନ୍ଧତି ଜୁଏଲାରୀରୁ ସୁନା କିଶିଥିଲା । ଏହାପରେ ଖିମ୍ଜି ଜୁଏଲାରୀରୁ ଯାଇ ସେଠାରୁ ସୁନା ମୁଦି କିଣିଥିଲା । ହନୁମାନ ପାଣିଗ୍ରାହୀଙ୍କ ଏତଲା କ୍ରମେ ଟାଉନଥାନା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସୀତାରାମ ମଣ୍ଡଳ (୩୭)କୁ ଗିରଫ କରିଥିଲା । ସୀତାରାମର ଘର ଝାଡ଼ଖଣ୍ଡ ଅଞ୍ଚଳରେ ବୋଲି ଜଣାପଡ଼ିଛି । ପୋଲିସ ଏ ସଂକ୍ରାନ୍ତରେ କୁମ୍ଭାରପଡ଼ା ଥାନାରେ ବିଏନ୍ଏସ୍ର ୩୧୮(୪), ୩୧୯(୨), ଆଇଟି ଆକ୍ଟରରେ ୧୦୧/୨୦୨୫ ନମ୍ବର ମାମଲା ରୁଜୁ କରିବା ସହିତ ଟାଉନଥାନାରେ ବିଏନ୍ଏସ୍ର ୩୦୩(୨), ୩୧୮(୪), ୯୫/୨୦୨୫ ନମ୍ବର ମାମଲା ଓ କୁମ୍ଭାରପଡ଼ା ଥାନାରେ ୧/୨୦୨୫ ନମ୍ବର ମାମଲା ରୁଜୁ କରିଛି । କୁମ୍ଭାରପଡ଼ା ଥାନା ଇନ୍ସପେକ୍ଟର ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।